ନୂଆଦିଲ୍ଲୀ : ଦିଲ୍ଲୀ ନୋଏଡା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଘରେ ଶୋଇଥିବାବେଳେ ନିଆଁ ଲାଗି ତିନୋଟି ଛୁଆ ଜୀବନ୍ତ ଦଗ୍ଧ । ଅନ୍ୟପକ୍ଷେ ବାପା ଓ ମାଆଙ୍କ ଅବସ୍ଥା ଗୁରୁତର ଅଛି । ସୂଚନା ଅନୁଯାୟୀ, ନୋଏଡା ଅଞ୍ଚଳର ସେକ୍ଟର-୮ର ଫେଜ୍-୧ରେ ବିଳମ୍ବିତ ରାତି ପ୍ରାୟ ୪ଟା ସମୟରେ ଜଣଙ୍କ ଘରେ ନିଆଁ ଲାଗିଥିଲା । ଫଳରେ ଶୋଇଥିବା ଅବସ୍ଥାରେ ଘରର ସମସ୍ତ ସଦସ୍ୟ ଫସି ଯାଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ୩ ଜଣ ପିଲାଙ୍କୁ ମୃତ ଘୋଷଣା କରିଛନ୍ତି । ଦୁଇଟି ପିଲାଙ୍କ ବୟସ ୧୦ ରୁ ୭ ବର୍ଷ ମଧ୍ୟରେ ହୋଇଥିବା ବେଳେ ଆଉ ଜଣେ ୫ ବର୍ଷର ଶିଶୁ ବୋଲି ଜଣାପଡ଼ିଛି । ଗୁରୁତର ବାପାଙ୍କୁ ଦିଲ୍ଲୀର ଏକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଜଣେ ଅଗ୍ନିଶମ ଅଧିକାରୀଙ୍କ ସୂଚନା ମୁତାବକ, ଗୋଟିଏ କୋଠରୀ ବିଶିଷ୍ଠ ଘରେ ପିଲାମାନେ ଖଟରେ ଶୋଇଥିବାବେଳେ ବାପା ମାଆ ତଳେ ଶୋଇଥିଲେ । ବାପା ବ୍ୟାଟେରୀ ଅଟୋ ରିକ୍ସା ଚଲାନ୍ତି । ବ୍ୟାଟେରୀ ଚାର୍ଜ ହେଉଥିବା ବେଳେ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ବ୍ୟାଟେରୀଟି ଫାଟି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଥିବା ବେଳେ ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି ।