ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେଶର ୨ୟ ଲୋକପାଳ ଅଧ୍ୟକ୍ଷ ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅଜୟ ମାଣିକରାଓ ଖାନ୍ୱିଲକରଙ୍କୁ ନିଜ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଲୋକପାଳ ଅଧ୍ୟକ୍ଷ ଭାବେ ଖାନୱିଲକରଙ୍କ ନିଯୁକ୍ତି, ଗତ ମାସ ଶେଷ ସୁଦ୍ଧା ହିଁ ଚୂଡାନ୍ତ ହୋଇସାରିଥିଲା, କିନ୍ତୁ ବିଧିବଦ୍ଧ ଭାବେ ସେ ଶପଥ ଗ୍ରହଣ କରିବା ବାକି ରହିଥିଲା । ପ୍ରକାଶ, ଜଷ୍ଟିସ୍ ଖାନୱିଲକର ୨୦୧୬ ମେ’ ୧୩ରୁ ୨୦୨୨ ଜୁଲାଇ ୨୯ ଯାଏ ସୁପ୍ରିମକୋର୍ଟର ଅନ୍ୟତମ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସୂଚନାଯୋଗ୍ୟ, ଗତ ୨ ବର୍ଷ ଧରି ଦେଶର ଲୋକପାଳ ଅଧ୍ୟକ୍ଷ ପଦ ଖାଲି ପଡିଥିଲା ।
ଦେଶରେ ଲୋକପାଳ ବ୍ୟବସ୍ଥା ଲାଗୁ ହେବା ପରେ ପରେ ଦେଶର ପ୍ରଥମ ଲୋକପାଳ ହେବାର ସୌଭାଗ୍ୟ ଅର୍ଜନ କରିଥିବା ପିନାକୀ ଚନ୍ଦ୍ର ବୋଷଙ୍କ କାର୍ଯ୍ୟକାଳ ୨୦୨୨ ମେ’ ୨୭ରେ ଶେଷ ହୋଇଥିଲା । ସେ ଏହି ପଦରୁ ଅବସର ନେବା ପରେ ଲୋକପାଳ ଅଧ୍ୟକ୍ଷ ପଦ ଖାଲି ପଡିଥିଲା, ଯାହାକି ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । କିନ୍ତୁ ଏବେ ଖାନୱିଲକରଙ୍କ ନିଯୁକ୍ତି ସହ ଏହି ଖାଲି ଆସନ ପୁୂରଣ ହୋଇଛି । ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରୀ ମାସରେ ଖାନୱିଲ୍କରଙ୍କ ନାମ ଲୋକପାଳ ଅଧ୍ୟକ୍ଷ ଭାବେ ଚୟନ କରାଯିବା ସହ ଲୋକପାଳ ବ୍ୟବସ୍ଥାରେ ନ୍ୟାୟିକ ସଦସ୍ୟ ଭାବେ ଜଷ୍ଟିସ୍ ଋତୁରାଜ ଅବସ୍ଥିତ, ଜଷ୍ଟିସ୍ ଲିଙ୍ଗାପ୍ପା ନାରାୟଣ ସ୍ୱାମୀ, ଜଷ୍ଟିସ ସଞ୍ଜୟ ଯାଦବଙ୍କୁ ନିଯୁକ୍ତି ଦିଆଯାଇସାରିଛି ।