କୋର୍ନେଲା ଡି ଲୋବ୍ରେଗାଟ୍ : ରବିବାର ବାର୍ସିଲୋନା ୨୭ତମ ଥର ପାଇଁ ଲା ଲିଗା ଫୁଟବଲ୍ ଚାମ୍ପିଅନ୍ଶିପ୍ରେ ଟାଇଟଲ୍ ହାସଲ କରିଛି । ଦଳ ଏସ୍କାନିଓଲ୍କୁ ୪-୨ରେ ପରାସ୍ତ କରି ଗତ ୨୦୧୯ ପରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ୍ରେ ଚାମ୍ପିଅନ୍ ହୋଇଛି । କାଟାଲାନ୍ ଜାଏଣ୍ଟ୍ସ ଭାବେ ପରିଚିତ ବାର୍ସିଲୋନା ପକ୍ଷରୁ ରୋବର୍ଟ ଲେୱାଣ୍ଡୋସ୍କି ଦୁଇଟି ଗୋଲ୍ ଦେଇଥିବା ବେଳେ ଆଲେଜାଣ୍ଡ୍ରୋ ବାଲ୍ଡେ ଓ ଜୁଲ୍ଓ କୋଣ୍ଡେ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ସେହିପରି ଜେଭି ପୁଆଡୋ ଓ ଜୋସେଲୁଙ୍କ ଗୋଲ୍ ମାଧ୍ୟମରେ ଏସ୍ପାନିଓଲ୍ କିଛିଟା ଲଢ଼େଇ କରିପାରିଥିଲା ।
କିମ୍ବଦନ୍ତୀ ଫୁଟବଲର୍ ଲିଓନେଲ୍ ମେସି ଦଳ ଛାଡ଼ିବା ପରେ ପ୍ରଥମ ଥର ପାଇଁ ବାର୍ସିଲୋନା ଏହି ସ୍ପାନିଶ୍ ଚାମ୍ପିଅନ୍ଶିପ୍ରେ ଟାଇଟଲ୍ ହାତେଇପାରିଛି । ତା’ଛଡ଼ା ଗତ ୨୦୨୧ ନଭେମ୍ବରରେ କୋଚ୍ ଦାୟିତ୍ୱ ନେବା ପରେ ଜେଭି ହର୍ଣ୍ଣାଣ୍ଡେଜ୍ ପ୍ରଥମ ଥର ପାଇଁ ଦଳକୁ କୌଣସି ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟ୍ରେ ଚାମ୍ପିଅନ୍ କରାଇପାରିଛନ୍ତି । ଚାମ୍ପିଅନ୍ସ ଲିଗ୍ରୁ ବେଶ୍ ସଅଳ ବିଦାୟ ନେଇଥିଲେ ମଧ୍ୟ ଦଳ ଗତ ଜାନୁଆରୀରେ ସ୍ପାନିଶ୍ ସୁପର୍ କପ୍ରେ ଚାମ୍ପିଅନ୍ ହୋଇଥିଲା । ସେହିପରି ଏଠାରେ ୪ଟି ମ୍ୟାଚ୍ ଖେଳିବାକୁ ବାକି ଥିବା ପୂର୍ବରୁ ଦଳ ଟାଇଟଲ୍ ହାତେଇବାର ସଫଳତା ପାଇଛି ।