ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ନିର୍ମାଣସୌଧରେ କାର୍ଯ୍ୟରତ ରାସ୍ତା ଏବଂ କୋଠା ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କୁ ଭିଜିଲାନ୍ସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ତାଙ୍କର ସମୁଦାୟ ୪କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । ଯାହା ତାଙ୍କ ଆୟ ଠାରୁ ୨୯୩ପ୍ରତିଶତ ଅଧିକା । ଶ୍ରୀ ମିଶ୍ର ନିଜ ଆୟ ଠାରୁ ଅଧିକା ସମ୍ପତ୍ତି ହାତେଇଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ ଭିଜିଲାନ୍ସ କଟକ କେସ୍ ନଂ ୧୫/୨୦୨୨ରେ ଅଜୟ ମିଶ୍ରଙ୍କ ସମେତ ତାଙ୍କ ପତ୍ନୀ ଶୁଭଶ୍ରୀ ମିଶ୍ରଙ୍କ ନାଁରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ଅଜୟଙ୍କ ବିରୋଧରେ ଲାଞ୍ଚ ନେଇ ବିଲ୍ ପାସ୍ କରେଇବା, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଭଳି ଅଭିଯୋଗ ହୋଇଥିଲା । ଏନେଇ ଢ଼େଙ୍କାନାଳ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ ଏକ ସର୍ଚ୍ଚ ୱାରେଣ୍ଟ୍ ଜାରି କରିଥିଲେ । ୱାରେଣ୍ଟ୍ ବଳରେ ଭିଜିଲାନ୍ସର ୬ଟି ଟିମ୍ ଶ୍ରୀ ମିଶ୍ରଙ୍କ ଭୁବନେଶ୍ୱର ପଟିଆ ଶ୍ରୀବିହାରରେ ଥିବା ଭଡ଼ା ଆପାର୍ଟମେଣ୍ଟ୍, ସରକାରୀ କାର୍ଯ୍ୟାଳୟ ସମେତ ଢ଼େଙ୍କାନାଳ, ଖୋର୍ଦ୍ଧା, ଅନୁଗୁଳର ୬ଟି ସ୍ଥାନରେ ସୋମବାର ଚଢ଼ଉ କରିଥିଲେ । ଏହାପରେ ଶ୍ରୀ ମିଶ୍ରଙ୍କ ୪କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । ଚଢ଼ାଉ ପରେ ଭୁବନେଶ୍ୱର, ଢ଼େଙ୍କାନାଳରେ ୩ଟି କୋଠା, ୭ଟି ପ୍ଲଟ୍ ଠାବ ହୋଇଥିବାବେଳେ ଅଜୟଙ୍କ ନିକଟରୁ ୮ଲକ୍ଷର ଏକ ହୁଣ୍ଡାଇ-ଆଇ୧୦ କାର୍, ୮ଲକ୍ଷର ଏକ ଡୁକାଟି ବାଇକ୍, ୭ଲକ୍ଷର ଏକ ହାର୍ଲେ ଡାଭିଡ୍ସନ ବାଇକ୍, ୫.୪୫ଲକ୍ଷର ହାର୍ଲେ ଡାଭିଡ୍ସନ ରୋଷ୍ଟର୍-୧୨୦୦ସିସି ବାଇକ୍, ୭୦ହଜାର ଟଙ୍କାର ଏକ ଗ୍ରାଜିଆ ସ୍କୁଟି, ୭୫ହଜାର ଟଙ୍କାର ଏକ ହୁଣ୍ଡା ଡିଓ ସ୍କୁଟି ଠାବ ହୋଇଛି । ଏଥିସହ ୪୦ଲକ୍ଷର ସୁନାଗହଣା, ବ୍ୟାଙ୍କ ଜମା, ଇନ୍ସୁରାନ୍ସ ଏବଂ ଘରକରଣା ଜିନିଷ ମିଳିଛି ।