ନୂଆଦିଲ୍ଲୀ : ଦେଶରେ ୨୦୦୦ ଟଙ୍କିଆ ନୋଟ୍ର ପ୍ରଚଳନକୁ ରିଜର୍ଭ ବ୍ୟାଙ୍କ ବନ୍ଦ ଘୋଷଣା କରିସାରିଥିବାବେଳେ ମଙ୍ଗଳବାର (୨୩ ମେ’)ଠାରୁ ଏହାର ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ ବ୍ୟାଙ୍କଗୁଡିକରେ ଗ୍ରାହକଙ୍କମର ସେଭଳି ଭିଡ ହୋଇନଥିବା ପରିଲକ୍ଷିତ ହୋଇଛି । ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଲୋକେ ଚଳିତବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଯେକୌଣସି ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ର ସର୍ବାଧିକ ୨୦ ହଜାର ଟଙ୍କା ବଦଳ କରି ଅନ୍ୟ ପରିମାଣର ନୋଟ୍ ଆଣିପାରିବେ ।
୨୦୦୦ ଟଙ୍କିଆ ନୋଟ୍ ବଦଳ ପ୍ରକ୍ରିୟାକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରସାରିତ ହେବାପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଏହି ପରିମାଣର ନୋଟ୍ ବଦଳାଇବା ସମୟରେ ସଂପୃକ୍ତ ଗ୍ରାହକଙ୍କୁ କୌଣସି ଫର୍ମ ପୂରଣ କରିବାକୁ ପଡିବ ନାହିଁ କିମ୍ବା ଆଧାରକାର୍ଡର ନକଲ ଦେବାକୁ ପଡିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ତେବେ ମଙ୍ଗଳବାର କେତେକ ଘରୋଇ ବ୍ୟାଙ୍କରେ ପ୍ରଥମ ଦୁଇ ଘଣ୍ଟାରେ ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ ଲୋକଙ୍କର ଭିଡ ଜମିଥିଲା । ସୂଚନାଯୋଗ୍ୟ ୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ର ପ୍ରଚଳନ ବନ୍ଦ କରିବାପରେ ଏଗୁଡିକୁ ବଦଳାଇବାକୁ ସବୁ ବ୍ୟାଙ୍କରେ ଲୋକଙ୍କର ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା ।
ଏଥର ୪ ମାସ ସମୟ ମିଳିଥିବା ଏବଂ ୨୦ ହଜାରରୁ ଅଧିକ ପରିମାଣର ଅର୍ଥ ନିଜ ଆକାଉଣ୍ଟରେ ଜମା କରିବାର ସୁଯୋଗ ମିଳିଥିବାରୁ ଲୋକେ ବହୁମାତ୍ରାରେ ଆଶ୍ୱସ୍ତ ହୋଇପଡିଛନ୍ତି । ୨୦୧୬ ନଭେମ୍ବରରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍କୁ ହଠା୍ ଅଚଳ କରିଦିଆଯାଇଥିବାବେଳେ ଏଥର ୨୦୦୦ ଟଙ୍କିଆ ନୋଟ୍ ଉପରେ ସେଭଳି କଟକଣା ଲାଗୁ କରାଯାଇନାହିଁ । ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ କିମ୍ବା ଜମା କରିବାକୁ ପର୍ଯ୍ୟାନ୍ତ ସମୟ ପ୍ରଦାନ କରାଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ତେଣୁ କୌଣସି ଗୁଜବରେ ନିଶ୍ୱାସ ନକରି ଏହାର ସୁଯୋଗ ନେବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତିି ।