29.1 C
Bhubaneswar
Saturday, May 4, 2024
Homeଓଡିଶାଗୁରୁଦିବସ ପାଳନ ନ କରିବାରୁ ୨ ଶିକ୍ଷୟିତ୍ରୀ ନିଲମ୍ବିତ

ଗୁରୁଦିବସ ପାଳନ ନ କରିବାରୁ ୨ ଶିକ୍ଷୟିତ୍ରୀ ନିଲମ୍ବିତ

ଗୁମାଗଡ: ଗୁରୁ ଦିବସ ପାଳନ ନକରିବାରୁ ଦୁଇ ଶିକ୍ଷୟିତ୍ରୀଙ୍କୁ ଫୁଲବାଣୀ ଗୋଷ୍ଠୀଶିକ୍ଷା ଅଧିକାରୀ ନିଲମ୍ବିତ କରିଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପଣ୍ଡା ଓ ସହକାରୀ ଶିକ୍ଷୟତ୍ରୀ ସରିତା ମିଶ୍ର ସୋମବାର ଗୁରୁଦିବସକୁ ନଯିବାରୁ ଆଜି ନିଲମ୍ବିତ ହୋଇଛନ୍ତି । ଫୁଲବାଣୀ ବ୍ଲକ ଅନ୍ତର୍ଗତ ଲାହାବାଡି ପ୍ରାଥମିକ ବିଦ୍ୟାଳୟରେ ସୋମବାର ପିଲାମାନେ ଗୁରୁଦିବସ ପାଇଁ ସକାଳୁ ସ୍କୁଲ ଯାଇଥିଲେ ହେଁ ଶିକ୍ଷୟିତ୍ରୀ ଆସିନଥିଲେ । ମଙ୍ଗଳବାର ଅଭିଭାବକମାନେ ସ୍କୁଲରେ ତାଲା ପକାଇ ଦେଇଥିଲେ । ଛାତ୍ରଛାତ୍ରୀ ଗୁରୁ ଦିବସ ପାଳନ କରିବା ପାଇଁ ସକାଳ ସାଢେ ଛଅରୁ ବିଦ୍ୟାଳୟକୁ ଆସି ଦିନ ୧୦ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ କିନ୍ତୁ ଶିକ୍ଷୟିତ୍ରୀଙ୍କ ଦେଖାନଥିଲା । ଦିନ ୧୦ଟାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟ କମିଟିର ସଦସ୍ୟା ଜାନକୀ କଟାଙ୍କୁ ଫୋନ କରି ସ୍କୁଲ ଛୁଟି ବୋଲି କହିଥିଲେ ।

ତା’ପରେ ଛାତ୍ରଛାତ୍ରୀ ବିଦ୍ୟାଳୟରୁ ଘରକୁ ଫେରି ଯାଇଥିଲେ । ଫଳରେ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଥିଲା । ମଙ୍ଗଳବାର ସକାଳୁ ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇଥିଲେ । ଶିକ୍ଷୟିତ୍ରୀ ଦୁଇଜଣ ସ୍କୁଲ ଆସିବା ପରେ ସ୍କୁଲ ପରିସରକୁ ପ୍ରବେଶ କରାଇ ଦେଇନ ଥିଲେ ଅଭିଭାବକ ଓ ଗ୍ରାମବାସୀ । ସ୍କୁଲରେ ୩ ତାରିଖ ଦିନ ଗୁରୁ ଦିବସ ପାଳନ କରିଯାଇଛି ବୋଲି ଦୁଇ ଶିକ୍ଷୟିତ୍ରୀ କହିଥିଲେ । ଗୁରୁଦିବସ ସାରା ଦେଶରେ ୫ ତାରିଖ ପାଳନ କରୁଥିବା ବେଳେ କିଭଳି ୩ ତାରିଖରେ ଗୁରୁ ଦିବସ ପାଳନ କଲେ ଶିକ୍ଷୟିତ୍ରୀ ବୋଲି କହିଛନ୍ତି ଗ୍ରାମବାସୀ । ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର ସ୍କୁଲରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଗ୍ରାମବାସୀଙ୍କୁ ବୁଝାସୁଝା କରି ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ।

ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ଅବଗତ ହେବାପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର ସହିତ ଆଲୋଚନା କରିଥିଲେ । ତା’ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପଣ୍ଡା ଓ ସହକାରୀ ଶିକ୍ଷୟିତ୍ରୀ ସରିତା ମିଶ୍ରଙ୍କୁ ନିଲମ୍ବିତ କରିଛନ୍ତି । ସ୍କୁଲରେ ସମୁଦାୟ ଦୁଇ ଶିକ୍ଷୟିତ୍ରୀ ଥିବାରୁ ଆଜି ଜଣେ ନୂତନ ଶିକ୍ଷକଙ୍କୁ ଡେପୁଟେସନରେ ନିୟୋଜନ କରିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର । ଅମିତ କୁମାର କହଁର ନାମକ ଶିକ୍ଷକଙ୍କୁ ଡେପୁଟେସନରେ ଲାହାବାଡି ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦେଇଛନ୍ତି । ସେ ପୂର୍ବରୁ ସଦନମେଣ୍ଡି ବିଦ୍ୟାଳୟରେ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking