29.1 C
Bhubaneswar
Thursday, May 14, 2026
Homeଦେଶ ବିଦେଶହର୍ମୁଜ ପାର କଲା ୨ ଭାରତୀୟ ଏଲପିଜି ବୋଝେଇ ଜାହାଜ, ୨ ମାସ ଭିତରେ ୭...

ହର୍ମୁଜ ପାର କଲା ୨ ଭାରତୀୟ ଏଲପିଜି ବୋଝେଇ ଜାହାଜ, ୨ ମାସ ଭିତରେ ୭ ଲକ୍ଷ ପିଏନଜି ସଂଯୋଗ ପ୍ରଦାନ

• ଗତ ୩ ଦିନ ମଧ୍ୟରେ ପ୍ରାୟ ୧.୪୦ କୋଟି ଏଲପିଜି ସିଲିଣ୍ଡର ବୁକିଂ ହୋଇଥିବା ବେଳେ ପ୍ରାୟ ୧.୩୯ କୋଟି ଏଲପିଜି ସିଲିଣ୍ଡର ବିତରଣ କରାଯାଇଛି।
• ୩ ଏପ୍ରିଲ ୨୦୨୬ ରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ୫ କେଜି ବିଶିଷ୍ଟ ଏଫଟିଏଲ ସିଲିଣ୍ଡର ପାଇଁ ୧୧,୮୭୦ ରୁ ଅଧିକ ସଚେତନତା ଶିବିର ଆୟୋଜନ କରାଯାଇଛି ଏବଂ ଏହି ଶିବିରଗୁଡ଼ିକ ମାଧ୍ୟମରେ ୨.୧୦ ଲକ୍ଷରୁ ଅଧିକ ୫ କେଜି ଏଫଟିଏଲ ସିଲିଣ୍ଡର ବିକ୍ରି ହୋଇଛି।
• ମାର୍ଚ୍ଚ ୨୦୨୬ ରୁ ପ୍ରାୟ ୭.୦୩ ଲକ୍ଷ ପିଏନଜି ସଂଯୋଗକୁ ଗ୍ୟାସ ପ୍ରଦାନ କରାଯାଇଛି ଏବଂ ଅତିରିକ୍ତ ୨.୭୨ ଲକ୍ଷ ସଂଯୋଗ ପାଇଁ ଭିତ୍ତିଭୂମି ସୃଷ୍ଟି କରାଯାଇଛି, ଏହା ସହିତ ପ୍ରାୟ ୭.୪୯ ଲକ୍ଷ ଗ୍ରାହକ ନୂତନ ସଂଯୋଗ ପାଇଁ ପଞ୍ଜୀକୃତ ହୋଇଛନ୍ତି।
• ଭାରତ ପାଇଁ ଏଲପିଜି କାର୍ଗୋ ବହନ କରୁଥିବା ଦୁଇଟି ଜାହାଜ ସିମି ( SYMI) ଏବଂ ଏନ୍‍ଭି ସନ୍‍ ସାଇନ୍‍ (NV SUNSHINE) ସୁରକ୍ଷିତ ଭାବେ ହରମୁଜ ପ୍ରଣାଳୀ ଅତିକ୍ରମ କରିଛି; କାଣ୍ଡଲା ଏବଂ ନ୍ୟୁ ମାଙ୍ଗାଲୋରକୁ କାର୍ଗୋ ବିତରଣ ନିର୍ଧାରିତ ସମୟରେ ରହିଛି।
• ଓମାନ ଜଳରାଶିରେ ଦୁର୍ଘଟଣାଗ୍ରସ୍ତ ଭାରତୀୟ କାଠ କାର୍ଗୋ ‘ଧାଉ’ ରେ ଥିବା ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି; ଗତ ୭୨ ଘଣ୍ଟା ମଧ୍ୟରେ ଭାରତୀୟ ଜାହାଜ କିମ୍ବା ଭାରତୀୟ ନାବିକ ଥିବା ବିଦେଶୀ ଜାହାଜ ସମ୍ବନ୍ଧୀୟ ଅନ୍ୟ କୌଣସି ଘଟଣା ରିପୋର୍ଟ କରାଯାଇ ନାହିଁ।

ନୂଆଦିଲ୍ଲୀ: ପଶ୍ଚିମ ଏସିଆର ବଦଳୁଥିବା ପରିସ୍ଥିତି ସମ୍ପର୍କରେ ଭାରତ ଜନସାଧାରଣଙ୍କ ଲାଗି ନେଉଥିବା ପଦକ୍ଷେପ ସମ୍ପର୍କରେ ନିୟମିତ ଅପଡେଟ୍ ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ଆଜି ନ୍ୟାସନାଲ ମିଡିଆ ସେଣ୍ଟରରେ ଏକ ମିଡିଆ ବ୍ରିଫିଂ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀମାନେ ଜାଳେଣିର ଉପଲବ୍ଧତା, ସାମୁଦ୍ରିକ କାର୍ଯ୍ୟକଳାପ ଏବଂ ପ୍ରମୁଖ କ୍ଷେତ୍ରଗୁଡିକରେ ସ୍ଥିରତା ବଜାୟ ରଖିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ସୂଚନା ପ୍ରଦାନ କରିଥିଲେ।
ଶକ୍ତି ଯୋଗାଣ ଏବଂ ଜାଳେଣି ଉପଲବ୍ଧତା
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ବର୍ତ୍ତମାନର ଜାଳେଣି ଯୋଗାଣ ସ୍ଥିତି ଉପରେ ଏକ ଅପଡେଟ୍ ପ୍ରଦାନ କରିବା ସହ ପଶ୍ଚିମ ଏସିଆର ସ୍ଥିତିକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ ଉତ୍ପାଦ ଏବଂ ଜନସାଧାଣଙ୍କ ଲାଗି ଏଲପିଜିର ନିରବଚ୍ଛିନ୍ନ ଉପଲବ୍ଧତା ନିଶ୍ଚିତ କରିବାକୁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ଭିତରେ ଜନସାଧାରଣଙ୍କ ପରିସ୍ଥିତି ସମ୍ପର୍କରେ ଅବଗତ କରାଇବା, ସାଧାରଣ ପରାମର୍ଶ ତଥା ମାର୍ଗ ଦର୍ଶିକା ଜାରି କରିବା ଯୋଗାଣ ସଙ୍କଟ ସମ୍ପର୍କରେ ସଚେତନ କରି ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବା ପ୍ରଭୃତି ଅନ୍ୟତମ।
ସାଧାରଣ ପରାମର୍ଶ ଏବଂ ନାଗରିକ ସଚେତନତା:
• ସରକାର ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଉପଲବ୍ଧତା ନିଶ୍ଚିତ କରିବାକୁ ସମସ୍ତ ପ୍ରୟାସ କରୁଥିବାରୁ ନାଗରିକମାନଙ୍କୁ ଏ ନେଇ ଆତଙ୍କିତ ହୋଇ କୌଣସି ସାମଗ୍ରୀ ନ କିଣିବାକୁ ପରାମର୍ଶ ଦିଆଯାଇଛି।
• ଗୁଜବ ପ୍ରତି ସତର୍କ ରୁହିବା ଏବଂ ସଠିକ୍ ସୂଚନା ପାଇଁ ସରକାରୀ ସୂତ୍ର ଉପରେ ନିର୍ଭର କରିବାକୁ କୁହାଯାଇଛି।
• ଏଲପିଜି ଗ୍ରାହକମାନଙ୍କୁ ଡିଜିଟାଲ୍ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବାକୁ ପରାମର୍ଶ ଦିଆଯିବା ସହ ବିତରକଙ୍କ ପାଖକୁ ଯିବାକୁ ବାରଣ କରାଯାଇଛି।
• ନାଗରିକମାନଙ୍କୁ ପିଏନଜି ଏବଂ ଇଲେକ୍ଟ୍ରିକ୍ କିମ୍ବା ଇଣ୍ଡକସନ୍ କୁକଟପ୍ ପରି ବିକଳ୍ପ ଜାଳେଣି ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି।
• ବର୍ତ୍ତମାନର ପରିସ୍ଥିତିରେ ନିଜର ଦୈନନ୍ଦିନ ବ୍ୟବହାରରେ ଶକ୍ତି ସଂରକ୍ଷଣ ପାଇଁ ଆବଶ୍ୟକୀୟ ପ୍ରୟାସ କରିବାକୁ ସମସ୍ତ ନାଗରିକଙ୍କୁ ଅନୁରୋଧ କରାଯାଇଛି।
ସରକାରୀ ପ୍ରସ୍ତୁତି ଏବଂ ଯୋଗାଣ ପରିଚାଳନା ପଦକ୍ଷେପ
• ଚାଲିଥିବା ଭୂ-ରାଜନୈତିକ ସ୍ଥିତି ସତ୍ତ୍ୱେ ସରକାର ଘରୋଇ ଏଲପିଜି, ଘରୋଇ ପିଏନଜି ଏବଂ ସିଏନଜି (ପରିବହନ) ପାଇଁ ୧୦୦% ଯୋଗାଣ ନିଶ୍ଚିତ କରିଛନ୍ତି।
• ବ୍ୟବସାୟିକ ଏଲପିଜି ପାଇଁ ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନକୁ ପ୍ରାଥମିକତା ଦିଆଯାଇଛି। ଏହା ବ୍ୟତୀତ ଫାର୍ମା, ଷ୍ଟିଲ୍, ଅଟୋମୋବାଇଲ୍, ବିହନ, କୃଷି ଇତ୍ୟାଦି କ୍ଷେତ୍ରକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ପ୍ରବାସୀ ଶ୍ରମିକମାନଙ୍କୁ ୫ କେଜି ଏଫଟିଏଲ୍ (FTL) ସିଲିଣ୍ଡର ଯୋଗାଣ ମଧ୍ୟ ଦ୍ୱିଗୁଣିତ କରାଯାଇଛି।
• ସରକାର ଯୋଗାଣ ଏବଂ ଚାହିଦା ଉଭୟ କ୍ଷେତ୍ରରେ କେତେକ ଯୁକ୍ତିଯୁକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି, ଯେଉଁଥିରେ ରିଫାଇନାରୀ ଉତ୍ପାଦନ ବୃଦ୍ଧି, ସହରାଞ୍ଚଳରେ ବୁକିଂ ବ୍ୟବଧାନକୁ ୨୧ ରୁ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବା ଅନ୍ତର୍ଭୁକ୍ତ।
• ଏଲପିଜି ଚାହିଦା ଉପରେ ଚାପ ହ୍ରାସ କରିବା ପାଇଁ କିରୋସିନ ଏବଂ କୋଇଲା ପରି ବିକଳ୍ପ ଜାଳେଣି ଉପଲବ୍ଧ କରାଯାଇଛି।
• କୋଇଲା ମନ୍ତ୍ରଣାଳୟ କୋଲ୍ ଇଣ୍ଡିଆ ଏବଂ ସିଙ୍ଗାରେନି କଲିଅରିଜକୁ କ୍ଷୁଦ୍ର ଓ ମଧ୍ୟମ ଗ୍ରାହକଙ୍କୁ ଅତିରିକ୍ତ କୋଇଲା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛି।
• ନୂଆ ଏବଂ ପୁରୁଣା ଗ୍ରାହକଙ୍କୁ ପିଏନ୍‍ଜି ସଂଯୋଗ ନେବା ଲାଗି ସୁବିଧା ପ୍ରଦାନ କରିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ପ୍ରତିଷ୍ଠାନଗୁଡିକ ସହ ମିଳିତ ପ୍ରୟାସ
• ରାଜ୍ୟ ସରକାରମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ, ୧୯୫୫ ଏବଂ ଏଲପିଜି ନିୟନ୍ତ୍ରଣ ଆଦେଶ, ୨୦୦୦ ଅନୁଯାୟୀ ଯୋଗାଣ ଉପରେ ନଜର ରଖିବା ଏବଂ କଳାବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତା ଦିଆଯାଇଛି।
• ପେଟ୍ରୋଲ, ଡିଜେଲ ଏବଂ ଏଲ୍.ପି.ଜି. ସମେତ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଯୋଗାଣ ସ୍ଥିତିର ଅନୁଧ୍ୟାନ ଓ ନିୟନ୍ତ୍ରଣ କରିବାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କୁ ଏକ ପ୍ରାଥମିକ ଭୂମିକା ଗ୍ରହଣ କରିବାକୁ ହେବ। ଭାରତ ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବିଭିନ୍ନ ପତ୍ର ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହା ପୁନରାବୃତ୍ତି କରିଛନ୍ତି।
• ଭାରତ ସରକାର ତାରିଖ ୨୭.୦୩.୨୦୨୬ ଏବଂ ୦୨.୦୪.୨୦୨୬ ର ପତ୍ର ମାଧ୍ୟମରେ ପର୍ଯ୍ୟାପ୍ତ ଇନ୍ଧନ ଉପଲବ୍ଧତା ସମ୍ପର୍କରେ ନାଗରିକମାନଙ୍କୁ ଆଶ୍ୱାସନା ଦେବା ପାଇଁ ସକ୍ରିୟ ଜନସମ୍ପର୍କର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ନିୟମିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ, ୦୨.ଏପ୍ରିଲ ୨୦୨୬ ଦିନ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଏବଂ ୬ ଏପ୍ରିଲରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ସଚିବ, ସୂଚନା ଓ ପ୍ରସାରଣ ଏବଂ ଗ୍ରାହକ ବ୍ୟାପାର ସଚିବଙ୍କ ମିଳିତ ଅଧ୍ୟକ୍ଷତାରେ ଏକ ବୈଠକ ଆହୁତ କରାଯାଇଥିଲା, ଯେଉଁଥିରେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲା:
⮚ ଦୈନିକ ପ୍ରେସ୍ ବ୍ରିଫିଙ୍ଗ୍ ଏବଂ ନିୟମିତ ଜନସାଧାରଣଙ୍କ ପାଇଁ ପରାମର୍ଶବଳୀ ଜାରି କରିବା।
⮚ ସୋସିଆଲ ମିଡିଆରେ ମିଥ୍ୟା ଖବର / ଭ୍ରମାତ୍ମକ ସୂଚନାକୁ ସକ୍ରିୟ ଭାବରେ ଅନୁଧ୍ୟାନ କରିବା ଏବଂ ଏହାର ମୁକାବିଲା କରିବା।
⮚ ଜିଲ୍ଲା ପ୍ରଶାସନ ଦ୍ୱାରା ଦୈନିକ ପ୍ରବର୍ତ୍ତନ ଅଭିଯାନକୁ ଜୋରଦାର କରିବା ଏବଂ ତୈଳ ବିପଣନ କମ୍ପାନୀଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ଚଢ଼ାଉ ଓ ଯାଞ୍ଚ ଜାରି ରଖିବା।
⮚ ସେମାନଙ୍କ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବ୍ୟାବସାୟିକ ଏଲ୍.ପି.ଜି. ଆବଣ୍ଟନ ନିର୍ଦ୍ଦେଶ ଜାରି କରିବା।
⮚ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆବଣ୍ଟିତ ଅତିରିକ୍ତ କିରୋସିନି ଯୋଗାଣ ତଥା ଆବଣ୍ଟନ ନିର୍ଦ୍ଦେଶ ଜାରି କରିବା।
⮚ ପି.ଏନ୍.ଜି. ଆପଣାଇବା ଏବଂ ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହିତ କରିବା।
⮚ ଏଲ୍.ପି.ଜି. ଯୋଗାଣକୁ ପ୍ରାଥମିକତା ଦେବା, ବିଶେଷ କରି ଘରୋଇ ଆବଶ୍ୟକତା ପାଇଁ, ଏବଂ ଯୋଗାଣ ସ୍ଥିରତା ନିଶ୍ଚିତ କରିବାକୁ ୫ କିଲୋଗ୍ରାମ ବିଶିଷ୍ଟ ଏଫ୍.ଟି.ଏଲ୍. ସିଲିଣ୍ଡରର ଲକ୍ଷ୍ୟ ଧାର୍ଯ୍ୟ ବଣ୍ଟନ ପ୍ରକ୍ରିୟା ଗ୍ରହଣ କରିବା।
• କଳାବଜାରୀ ଏବଂ ମହଜୁଦକାରୀଙ୍କୁ ରୋକିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିୟନ୍ତ୍ରଣ କକ୍ଷ ଏବଂ ଜିଲ୍ଲା ଅନୁଧ୍ୟାନ ସମିତି ଗଠନ କରିଛନ୍ତି।
• ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରେସ୍ ବ୍ରିଫ୍ ଜାରି କରୁଛନ୍ତି।
କ୍ରିୟାନ୍ୱୟନ ଏବଂ କାର୍ଯ୍ୟାନୁଷ୍ଠାନ
• ଏଲପିଜିର ମହଜୁଦ ଏବଂ କଳାବଜାରୀକୁ ରୋକିବା ପାଇଁ ଦେଶସାରା ବ୍ୟାପକ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟ ଜାରି ରହିଛି। ଗତକାଲି ସାରା ଦେଶରେ ୨୦୦୦ ରୁ ଅଧିକ ଚଢ଼ାଉ କରାଯାଇଛି।
• ସରକାରୀ ତୈଳ ବିପଣନକାରୀ କମ୍ପାନୀର ଅଧିକାରୀମାନେ ଗତକାଲି ପ୍ରାୟ ୧୧୬୦ଟି ରିଟେଲ ଆଉଟଲେଟ୍ ଏବଂ ଏଲପିଜି ବିତରକ କେନ୍ଦ୍ରରେ ଆକସ୍ମିକ ଯାଞ୍ଚ କରିଛନ୍ତି।
• ଗତକାଲି ସୁଦ୍ଧା ୪୦୧ ଟି ଏଲପିଜି ବିତରକଙ୍କ ଉପରେ ଜରିମାନା ଲଗାଯାଇଥିବା ବେଳେ ୭୬ ଟି ଏଲପିଜି ବିତରକ କେନ୍ଦ୍ରକୁ ନିଲମ୍ବିତ କରାଯାଇଛି। କଳାବଜାରୀ ଓ ବେଆଇନ ମହଜୁଦକୁ ରୋକିବା ଲାଗି ଆକସ୍ମିକ ଚଢ଼ାଉ ନିୟମିତ ଜାରି ରହିଛି।
ଏଲପିଜି ଯୋଗାଣ
ଘରୋଇ ଏଲପିଜି ଯୋଗାଣ ସ୍ଥିତି:
• ପ୍ରଚଳିତ ଭୂ-ରାଜନୈତିକ ସ୍ଥିତି ଯୋଗୁଁ ଏଲପିଜି ଯୋଗାଣ ପ୍ରଭାବିତ ହେବା ଜାରି ରହିଛି।
• ଘରୋଇ ଗ୍ରାହକମାନଙ୍କୁ ଏଲପିଜି ଯୋଗାଣ କ୍ଷେତ୍ରରେ ପ୍ରାଥମିକତା ଦିଆଯାଇଛି।
• କୌଣସି ଏଲପିଜି ବିତରକଙ୍କ ପାଖରେ ଷ୍ଟକ୍ ଶେଷ ହେବାର ସୂଚନା ନାହିଁ।
• ଗତକାଲି ଶିଳ୍ପ ଭିତ୍ତିରେ ଅନଲାଇନ୍ ଏଲପିଜି ସିଲିଣ୍ଡର ବୁକିଂ ପ୍ରାୟ ୯୯% କୁ ବୃଦ୍ଧି ପାଇଛି।
• ଗ୍ୟାସର ଅପବ୍ୟବହାର ରୋକିବା ପାଇଁ ଡେଲିଭରି ଅଥେଣ୍ଟିକେସନ୍ କୋଡ୍ (DAC) ଆଧାରିତ ବିତରଣ ପ୍ରାୟ ୯୫% କୁ ବୃଦ୍ଧି ପାଇଛି। ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏହି DAC କୋଡ୍ ପ୍ରାପ୍ତ ହୁଏ।
• ଗତ ୩ ଦିନ ମଧ୍ୟରେ ପ୍ରାୟ ୧.୪୦ କୋଟି ଏଲପିଜି ସିଲିଣ୍ଡର ବୁକିଂ ବିପକ୍ଷରେ ୧.୩୯ କୋଟି ସିଲିଣ୍ଡର ବିତରଣ କରାଯାଇଛି।
• ଗତକାଲି ପ୍ରାୟ ୪୬.୦୬ ଲକ୍ଷ ବୁକିଂ ହୋଇଥିଲା, ୪୯.୭ ଲକ୍ଷରୁ ଅଧିକ ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର ବିତରଣ କରାଯାଇଛି।
ବ୍ୟବସାୟିକ ଏଲପିଜି ଯୋଗାଣ ଏବଂ ଆବଣ୍ଟନ ପଦକ୍ଷେପ:
• ସମୁଦାୟ ବ୍ୟାବସାୟିକ ଏଲ୍.ପି.ଜି. ଆବଣ୍ଟନକୁ ସଙ୍କଟ-ପୂର୍ବ ସ୍ତରର ପ୍ରାୟ ୭୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯେଉଁଥିରେ ୧୦% ସଂସ୍କାର-ଆଧାରିତ ଆବଣ୍ଟନ ସାମିଲ ରହିଛି।
• ଭାରତ ସରକାର ୦୬ ଏପ୍ରିଲ ୨୦୨୬ ର ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ, ପ୍ରତ୍ୟେକ ରାଜ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ବଣ୍ଟନ ପାଇଁ ଉପଲବ୍ଧ ୫ କିଲୋଗ୍ରାମ ବିଶିଷ୍ଟ ଏଫ୍.ଟି.ଏଲ୍. ସିଲିଣ୍ଡରର ଦୈନିକ ପରିମାଣକୁ, ଗତ ୨-୩ ମାର୍ଚ୍ଚ ୨୦୨୬ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ହୋଇଥିବା ହାରାହାରି ଦୈନିକ ଯୋଗାଣ (ସିଲିଣ୍ଡର ସଂଖ୍ୟା) ଆଧାରରେ ଦ୍ୱିଗୁଣିତ କରାଯାଉଛି, ଯାହା ୨୧ ମାର୍ଚ୍ଚ ୨୦୨୬ର ପତ୍ରରେ ଉଲ୍ଲେଖ କରାଯାଇଥିବା ୨୦% ସୀମା ବାହାରେ ଅଟେ। ଏହି ୫ କିଲୋଗ୍ରାମ ବିଶିଷ୍ଟ ଏଫ୍.ଟି.ଏଲ୍. ସିଲିଣ୍ଡରଗୁଡ଼ିକ ରାଜ୍ୟ ସରକାରଙ୍କ ଅଧୀନରେ ରହିଛି, ଯାହାକୁ ସେମାନେ ତୈଳ ବିପଣନ କମ୍ପାନୀଗୁଡ଼ିକର ସହାୟତାରେ କେବଳ ସେମାନଙ୍କ ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ଯୋଗାଇବା ପାଇଁ ବ୍ୟବହାର କରିବେ।
• ଗତ ୩ ଦିନ ମଧ୍ୟରେ ପ୍ରାୟ ୧.୯୦ ଲକ୍ଷ ୫ କିଲୋଗ୍ରାମ ବିଶିଷ୍ଟ ଏଫ୍.ଟି.ଏଲ୍. ସିଲିଣ୍ଡର ବିକ୍ରି ହୋଇଛି।
• ଗତକାଲି, ପ୍ରାୟ ୬୭,୬୦୦ଟି ୫ କିଲୋଗ୍ରାମ ବିଶିଷ୍ଟ ଏଫ୍.ଟି.ଏଲ୍. ସିଲିଣ୍ଡର ବିକ୍ରି ହୋଇଥିଲା।
• ୩ ଏପ୍ରିଲ ୨୦୨୬ ଠାରୁ, ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ୫ କିଲୋଗ୍ରାମ ବିଶିଷ୍ଟ ଏଫ୍.ଟି.ଏଲ୍. ସିଲିଣ୍ଡର ପାଇଁ ୧୧,୮୭୦ ରୁ ଅଧିକ ସଚେତନତା ଶିବିର ଆୟୋଜନ କରିଛନ୍ତି, ଯେଉଁଥିରେ ୨.୧୦ ଲକ୍ଷରୁ ଅଧିକ ୫ କିଲୋଗ୍ରାମ ବିଶିଷ୍ଟ ଏଫ୍.ଟି.ଏଲ୍. ସିଲିଣ୍ଡର ମଧ୍ୟ ବିକ୍ରି ହୋଇଛି।
• ଗତକାଲି, ପ୍ରାୟ ୨୧୪ ଟି ଶିବିର ମାଧ୍ୟମରେ ପ୍ରାୟ ୩୪୮୦ଟି ୫ କିଲୋଗ୍ରାମ ବିଶିଷ୍ଟ ଏଫ୍.ଟି.ଏଲ୍. ସିଲିଣ୍ଡର ବିକ୍ରି ହୋଇଥିଲା।
• ଆଇ.ଓ.ସି.ଏଲ୍., ଏଚ୍.ପି.ସି.ଏଲ୍. ଏବଂ ବି.ପି.ସି.ଏଲ୍.ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନଙ୍କୁ ନେଇ ଗଠିତ ଏକ ତିନି ଜଣିଆ କମିଟି, ରାଜ୍ୟ କର୍ତ୍ତୃପକ୍ଷ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକ ସହ ପରାମର୍ଶ କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବ୍ୟାବସାୟିକ ଏଲ୍.ପି.ଜି. ବିକ୍ରି ପାଇଁ ଯୋଜନାକୁ ଚୂଡ଼ାନ୍ତ କରନ୍ତି।
• ମଇ ମାସଠାରୁ, ସମୁଦାୟ ୮୩,୫୪୯ ମେଟ୍ରିକ୍ ଟନ୍ (୧୯ କିଲୋଗ୍ରାମ ବିଶିଷ୍ଟ ୪୩.୯୭ ଲକ୍ଷରୁ ଅଧିକ ଏଲ୍.ପି.ଜି. ସିଲିଣ୍ଡର) ବ୍ୟାବସାୟିକ ଏଲ୍.ପି.ଜି. ବିକ୍ରି ହୋଇଛି।
• ଗତ ୩ ଦିନ ମଧ୍ୟରେ, ସମୁଦାୟ ୨୩,୮୨୦ ମେଟ୍ରିକ୍ ଟନ୍ (୧୯ କିଲୋଗ୍ରାମ ବିଶିଷ୍ଟ ୧୨.୫୩ ଲକ୍ଷରୁ ଅଧିକ ଏଲ୍.ପି.ଜି. ସିଲିଣ୍ଡର) ବ୍ୟାବସାୟିକ ଏଲ୍.ପି.ଜି. ବିକ୍ରି ହୋଇଛି।
• ଗତକାଲି, ପ୍ରାୟ ୭୮୩୬ ମେଟ୍ରିକ୍ ଟନ୍ (୧୯ କିଲୋଗ୍ରାମ ବିଶିଷ୍ଟ ୪.୧୨ ଲକ୍ଷରୁ ଅଧିକ ଏଲ୍.ପି.ଜି. ସିଲିଣ୍ଡର ସହ ସମାନ) ବ୍ୟାବସାୟିକ ଏଲ୍.ପି.ଜି. ବିକ୍ରି ହୋଇଥିଲା।
• ଜାନୁଆରୀ-୨୬ ଏବଂ ଫେବୃଆରୀ-୨୬ ମଧ୍ୟରେ ପ୍ରାୟ ୧୭୭ ମେଟ୍ରିକ୍ ଟନ୍‌ର ଦୈନିକ ହାରାହାରି ତୁଳନାରେ, ଗତକାଲି ସରକାରୀ ତୈଳ ବିପଣନକାରୀ କମ୍ପାନୀଙ୍କ ଦ୍ୱାରା ପ୍ରାୟ ୩୫୭ ମେଟ୍ରିକ୍ ଟନ୍ ଅଟୋ ଏଲ୍.ପି.ଜି. ବିକ୍ରି ହୋଇଥିଲା।

ପ୍ରାକୃତିକ ଗ୍ୟାସ୍ ଯୋଗାଣ ଏବଂ ପିଏନଜି ସମ୍ପ୍ରସାରଣ
• ଉପଭୋକ୍ତାମାନଙ୍କୁ ପ୍ରାଥମିକତା ଦିଆଯାଇ ଘରୋଇ ପିଏନଜି ଏବଂ ସିଏନ୍‍ଜି-ପରିବହନ ପାଇଁ ୧୦୦% ଯୋଗାଣ କରାଯାଉଛି।
• ସିଜିଡି ନେଟୱାର୍କ ମାଧ୍ୟମରେ ଯୋଗାଣ ସମେତ ଅନ୍ୟାନ୍ୟ ଶିଳ୍ପ ଏବଂ ବ୍ୟବସାୟିକ କ୍ଷେତ୍ର ପାଇଁ ଗ୍ୟାସ୍ ଯୋଗାଣକୁ ୮୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
• ବ୍ୟବସାୟିକ ଏଲପିଜିର ଉପଲବ୍ଧତା ସମ୍ପର୍କିତ ଚିନ୍ତାଧାରାକୁ ଦୂର କରିବା ପାଇଁ ସମସ୍ତ ଭୌଗୋଳିକ ଅଞ୍ଚଳରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ୟାଣ୍ଟିନ ପରି ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ପିଏନଜି ସଂଯୋଗ ଦେବା କ୍ଷେତ୍ରରେ ପ୍ରାଥମିକତା ଦେବାକୁ ସିଜିଡି ସଂସ୍ଥାଗୁଡ଼ିକୁ ପରାମର୍ଶ ଦିଆଯାଇଛି।
• ଆଇଜିଏଲ, ଏମଜିଏଲ, ଗେଲ ଏବଂ ବିପିସିଏଲ୍‍ ସମେତ ସିଜିଡି କମ୍ପାନୀଗୁଡ଼ିକ ଘରୋଇ ଏବଂ ବ୍ୟବସାୟିକ ପିଏନଜି ସଂଯୋଗ ପାଇଁ ରିହାତି ବା ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି।
• ସିଜିଡିନେଟୱାର୍କର ସମ୍ପ୍ରସାରଣ ପାଇଁ ଆବଶ୍ୟକ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ଅନୁରୋଧ କରାଯାଇଛି।
• ଭାରତ ସରକାର ୧୮.୦୩.୨୦୨୬ ତାରିଖର ପତ୍ର ମାଧ୍ୟମରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ବ୍ୟବସାୟିକ ଏଲପିଜିର ଅତିରିକ୍ତ ୧୦% ଆବଣ୍ଟନ ପାଇଁ ପ୍ରସ୍ତାବ ଦେଇଛନ୍ତି, ଯଦି ସେମାନେ ଏଲପିଜିରୁ ପିଏନଜିକୁ ଦୀର୍ଘକାଳୀନ ପରିବର୍ତ୍ତନ କ୍ଷେତ୍ରରେ ସାହାଯ୍ୟ କରିପାରିବେ।
• ପିଏନଜି ସମ୍ପ୍ରସାରଣ ସଂସ୍କାର ସହିତ ଜଡ଼ିତ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବର୍ତ୍ତମାନ ଅତିରିକ୍ତ ବ୍ୟବସାୟିକ ଏଲପିଜି ଆବଣ୍ଟନ ପାଉଛନ୍ତି।
• ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୨୪.୦୩.୨୦୨୬ ତାରିଖର ପତ୍ର ମାଧ୍ୟମରେ ସିଜିଡି ଭିତ୍ତିଭୂମି ସମ୍ପର୍କିତ ଆବେଦନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ପାଇଁ ୩ ମାସ ପାଇଁ ଏକ ସ୍ୱତନ୍ତ୍ର ‘ତ୍ୱରାନ୍ୱିତ ଅନୁମୋଦନ ଢାଞ୍ଚା’ ଗ୍ରହଣ କରିଛନ୍ତି।
• ଭାରତ ସରକାର ୨୪.୦୩.୨୦୨୬ ତାରିଖର ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ, ୧୯୫୫ ଅନୁଯାୟୀ ‘ପ୍ରାକୃତିକ ଗ୍ୟାସ୍ ଏବଂ ପେଟ୍ରୋଲିୟମ ଉତ୍ପାଦ ବିତରଣ ଆଦେଶ, ୨୦୨୬’ ଜାରି କରିଛନ୍ତି। ଏହି ଆଦେଶ ଦେଶସାରା ପାଇପଲାଇନ ବିଛାଇବା ଏବଂ ସମ୍ପ୍ରସାରଣ ପାଇଁ ଏକ ସରଳୀକୃତ ତଥା ସମୟବଦ୍ଧ ଢାଞ୍ଚା ପ୍ରଦାନ କରେ, ଯାହା ଅନୁମୋଦନରେ ବିଳମ୍ବ ଏବଂ ଜମି ଅଧିଗ୍ରହଣ ସମସ୍ୟାକୁ ଦୂର କରିବ। ଏହା ପିଏନଜି ନେଟୱାର୍କର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଏବଂ ଭାରତର ଗ୍ୟାସ୍-ଭିତ୍ତିକ ଅର୍ଥନୀତିକୁ ସୁଦୃଢ଼ କରିବ।
• ପିଏନ୍‍ଆରବି ପକ୍ଷରୁ ସିଜିଡି ସଂସ୍ଥାଗୁଡ଼ିକୁ ଘରୋଇ ପିଏନଜି ସଂଯୋଗ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ‘ନ୍ୟାସନାଲ ପିଏନଜି ଡ୍ରାଇଭ୍ ୨.୦’ର ଅବଧିକୁ ୩୦.୦୬.୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
• ଏକ ସ୍ୱଚ୍ଛ ଏବଂ ଆତ୍ମନିର୍ଭରଶୀଳ ଶକ୍ତି ଭବିଷ୍ୟତକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଏକ ମଡେଲ୍ ‘ରାଜ୍ୟ କମ୍ପ୍ରେସଡ୍ ବାୟୋ ଗ୍ୟାସ୍ ( ସିବିଜି) ନୀତି’ ର ଚିଠା ପ୍ରସ୍ତୁତ କରିଛନ୍ତି। ଯେଉଁ ରାଜ୍ୟଗୁଡ଼ିକ ଏହି ନୀତି ଗ୍ରହଣ କରିବେ, ସେମାନଙ୍କୁ ବ୍ୟବସାୟିକ ଏଲପିଜିର ପରବର୍ତ୍ତୀ ଅତିରିକ୍ତ ଆବଣ୍ଟନରେ ପ୍ରାଥମିକତା ଦିଆଯିବ।
• ପରିବେଶ ମନ୍ତ୍ରଣାଳୟ ୦୭ ଏପ୍ରିଲ ୨୦୨୬ ତାରିଖର ଆଦେଶ ମାଧ୍ୟମରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଶ ବୋର୍ଡକୁ ନିର୍ଦ୍ଦେଶ ଦେଇଛି ଯେ ସିଜିଡି ନେଟୱାର୍କ ଓ ଭିତ୍ତିଭୂମି ପାଇଁ ୧୫ ଦିନ ମଧ୍ୟରେ ସ୍ଥାପନ ବା ପରିଚାଳନା ପାଇଁ ସମ୍ମତି ପ୍ରଦାନ କରାଯାଉ।
• ମାର୍ଚ୍ଚ ୨୦୨୬ ରୁ ପ୍ରାୟ ୭.୦୩ ଲକ୍ଷ ପିଏନଜି ସଂଯୋଗ ଗ୍ୟାସୀକରଣ କରାଯାଇଛି ଏବଂ ଅତିରିକ୍ତ ୨.୭୨ ଲକ୍ଷ ସଂଯୋଗ ପାଇଁ ଭିତ୍ତିଭୂମି ସୃଷ୍ଟି କରାଯାଇଛି, ଯାହାଫଳରେ ମୋଟ ସଂଯୋଗ ସଂଖ୍ୟା ୯.୭୫ ଲକ୍ଷରେ ପହଞ୍ଚିଛି। ଏଥିସହ ପ୍ରାୟ ୭.୪୯ ଲକ୍ଷ ଗ୍ରାହକ ନୂତନ ସଂଯୋଗ ପାଇଁ ପଞ୍ଜୀକୃତ ହୋଇଛନ୍ତି।
• ୧୩.୦୫.୨୦୨୬ ସୁଦ୍ଧା ୫୭,୨୦୦ ରୁ ଅଧିକ ପିଏନଜି ଉପଭୋକ୍ତା MYPNGD.in ୱେବସାଇଟ୍ ମାଧ୍ୟମରେ ସେମାନଙ୍କର ଏଲପିଜି ସଂଯୋଗ ଫେରସ୍ତ କରିଛନ୍ତି।
ଅଶୋଧିତ ତୈଳ ସ୍ଥିତି ଏବଂ ରିଫାଇନାରୀ ପରିଚାଳନା
• ସମସ୍ତ ରିଫାଇନାରୀ (ତୈଳ ବିଶୋଧନାଗାର) ପର୍ଯ୍ୟାପ୍ତ ଅଶୋଧିତ ତୈଳ ମହଜୁଦ ସହିତ ଉଚ୍ଚ କ୍ଷମତାରେ କାର୍ଯ୍ୟ କରୁଛି; ଏଥିସହିତ ପେଟ୍ରୋଲ ଏବଂ ଡିଜେଲର ପର୍ଯ୍ୟାପ୍ତ ଷ୍ଟକ୍ ମଧ୍ୟ ବଜାୟ ରଖାଯାଇଛି।
• ଘରୋଇ ବ୍ୟବହାରକୁ ସହାୟତା କରିବା ପାଇଁ ରିଫାଇନାରୀଗୁଡ଼ିକରୁ ଘରୋଇ ଏଲପିଜି ଉତ୍ପାଦନ ବୃଦ୍ଧି କରାଯାଇଛି।
• ଘରୋଇ ବଜାର ପାଇଁ ପେଟ୍ରୋକେମିକାଲ୍ ଫିଡ୍‌ଷ୍ଟକ୍ ଯୋଗାଣ ନିଶ୍ଚିତ କରିବାକୁ ଏକ ଆନ୍ତଃ-ମନ୍ତ୍ରଣାଳୟ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଛି। ପରବର୍ତ୍ତୀ ସମୟରେ, ଭାରତ ସରକାର ୦୧ ଏପ୍ରିଲ ୨୦୨୬ ତାରିଖର ଆଦେଶ ମାଧ୍ୟମରେ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ସମେତ ତୈଳ ବିଶୋଧନ କମ୍ପାନୀଗୁଡ଼ିକୁ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପାଇଁ ନିର୍ଦ୍ଦିଷ୍ଟ ପରିମାଣର ସି୩ ଏବଂ ସି-୪ ଷ୍ଟ୍ରିମ୍ ଉପଲବ୍ଧ କରାଇବାକୁ ଅନୁମତି ଦେଇଛନ୍ତି।
• ଫାର୍ମାସ୍ୟୁଟିକାଲ୍ସ ବିଭାଗ, କେମିକାଲ୍ସ ଏବଂ ପେଟ୍ରୋ କେମିକାଲ୍ସ ବିଭାଗ ଏବଂ ଶିଳ୍ପ ଓ ଆନ୍ତରିକ ବାଣିଜ୍ୟ ପ୍ରୋତ୍ସାହନ ବିଭାଗର ଅନୁରୋଧ କ୍ରମେ ଫାର୍ମା, କେମିକାଲ୍ ଏବଂ ପେଣ୍ଟ୍ କ୍ଷେତ୍ରର କମ୍ପାନୀଗୁଡିକ ପାଇଁ ଏଲପିଜି ପୁଲ୍‌ରୁ ଦୈନିକ ୧୧୨୦ ମେଟ୍ରିକ ଟନ୍ ବ୍ୟବସ୍ଥା କରାଯାଇଛି।
• ୧ ମଇ ୨୦୨୬ ରୁ ବର୍ତ୍ତମାନ ସୁଦ୍ଧା ମୁମ୍ବାଇ, କୋଚି, ବିଶାଖାପାଟଣା, ଚେନ୍ନାଇ, ମଥୁରା ଏବଂ ଗୁଜରାଟ ରିଫାଇନାରୀଗୁଡ଼ିକ ଦ୍ୱାରା କେମିକାଲ୍, ଫାର୍ମା ଏବଂ ପେଣ୍ଟ୍ ଶିଳ୍ପକୁ ୬୭୦୦ ମେଟ୍ରିକ ଟନ୍‌ରୁ ଅଧିକ ସି୩-ସି୪ ଅଣୁ (ପ୍ରୋପିଲିନ୍ ଏବଂ ବ୍ୟୁଟିଲିନ୍ ସମ୍ମିଳିତ) ଏବଂ ୨୮୦୦ ମେଟ୍ରିକ ଟନ୍‌ରୁ ଅଧିକ ବ୍ୟୁଟିଲ୍ ଆକ୍ରିଲେଟ୍ ବିକ୍ରି କରାଯାଇଛି।

ଖୁଚୁରା ଜାଳେଣି ଉପଲବ୍ଧତା ଏବଂ ମୂଲ୍ୟ ନିର୍ଦ୍ଧାରଣ ପଦକ୍ଷେପ
• ସାରା ଦେଶରେ ସମସ୍ତ ଖୁଚୁରା ବିକ୍ରୟ କେନ୍ଦ୍ର ସ୍ବାଭାବିକ ଭାବେ କାର୍ଯ୍ୟ କରୁଛି।
• ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଅଶୋଧିତ ତୈଳ ଦରରେ ଅହେତୁକ ବୃଦ୍ଧି ଘଟିଛି; ତଥାପି, ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି (ଉତ୍ପାଦ ଶୁଳ୍କ) ଲିଟର ପିଛା ୧୦ ଟଙ୍କା ହ୍ରାସ କରିଛନ୍ତି।
• ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲର ପର୍ଯ୍ୟାପ୍ତ ଷ୍ଟକ୍ ଉପଲବ୍ଧ ଅଛି। ପେଟ୍ରୋଲ ଏବଂ ଡିଜେଲର ନିୟମିତ ଖୁଚୁରା ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ଏବଂ ସରକାରୀ ତୈଳ ବିପଣନକାରୀ କମ୍ପାନୀଙ୍କ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ କୌଣସି ମୂଲ୍ୟ ବୃଦ୍ଧି ହୋଇନାହିଁ।
ସାମୁଦ୍ରିକ ସୁରକ୍ଷା ଏବଂ ଜାହାଜ ଚଳାଚଳ କାର୍ଯ୍ୟକଳାପ
ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପାରସ୍ୟ ଉପସାଗରରେ ପ୍ରଚଳିତ ସାମୁଦ୍ରିକ ସ୍ଥିତି ଉପରେ ଏକ ଅପଡେଟ୍ ପ୍ରଦାନ କରିବା ସହ ଏହି ଅଞ୍ଚଳରେ ଭାରତୀୟ ଜାହାଜ ଏବଂ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ବର୍ଣ୍ଣନା କରିଛନ୍ତି। ଏଥିରେ କୁହାଯାଇଛି ଯେ:
• ସିମି (SYMI), ଏକ ମାର୍ଶଲ ଆଇଲ୍ୟାଣ୍ଡ- ପତାକା ଏଲପିଜି ବାହକ ଜାହାଜ, ଯାହା ଭାରତ ପାଇଁ ୧୯,୯୬୫ ମେଟ୍ରିକ ଟନ୍ ଏଲପିଜି କାର୍ଗୋ ଏବଂ ୨୧ ଜଣ ବିଦେଶୀ କ୍ରୁ ସଦସ୍ୟଙ୍କୁ ନେଇ ଆସୁଛି; ଏହା ୧୩ ମେ ୨୦୨୬ ରେ ସୁରକ୍ଷିତ ଭାବେ ହରମୁଜ ପ୍ରଣାଳୀ ଅତିକ୍ରମ କରିଛି ଏବଂ ୧୬ ମେ ୨୦୨୬ ରେ କାଣ୍ଡଲା ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି।
• ଏନଭି ସନ୍‍ ସାଇନ (NV SUNSHINE), ଏକ ଭିଏତନାମ-ଫ୍ଲାଗ୍‌ଡ ଏଲପିଜି ବାହକ ଜାହାଜ, ଯାହା ଭାରତ ପାଇଁ ୪୬,୪୨୭ ମେଟ୍ରିକ ଟନ୍ ଏଲପିଜି କାର୍ଗୋ ଏବଂ ୨୪ ଜଣ ବିଦେଶୀ କ୍ରୁ ସଦସ୍ୟଙ୍କୁ ନେଇ ଆସୁଛି; ଏହା ୧୪ ମେ ୨୦୨୬ ରେ ସୁରକ୍ଷିତ ଭାବେ ହରମୁଜ ପ୍ରଣାଳୀ ଅତିକ୍ରମ କରିଛି ଏବଂ ୧୮ ମେ ୨୦୨୬ ରେ ନ୍ୟୁ ମାଙ୍ଗାଲୋରରେ ପହଞ୍ଚିବାର ଆଶା କରାଯାଉଛି।
• ଏକ ଭାରତୀୟ କାଠ କାର୍ଗୋ ‘ଧାଉ’ ଯାହାକି ଏକ ଯାନ୍ତ୍ରିକ ପାଲଟଣା ଜାହାଜ ହାଜି ଆଲି (HAJI ALI), ସୋମାଲିଆରୁ ଶାରଜା (ୟୁଏଇ) ଯାତ୍ରା କରୁଥିବା ସମୟରେ ୧୩ ମେ ୨୦୨୬ ର ଭୋର ସମୟରେ ଓମାନ ଜଳରାଶିରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା, ଯାହାଫଳରେ ଜାହାଜରେ ନିଆଁ ଲାଗିଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଜାହାଜଟି ବୁଡ଼ି ଯାଇଥିଲା।
• ଏହି ଜାହାଜରେ ଥିବା ସମସ୍ତ ୧୪ ଜଣ କ୍ରୁ ସଦସ୍ୟଙ୍କୁ ଓମାନ କୋଷ୍ଟଗାର୍ଡ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଏବଂ ସେମାନେ ଓମାନର ଦିବା ବନ୍ଦରରେ ପହଞ୍ଚିଛନ୍ତି। କ୍ରୁ ସଦସ୍ୟମାନେ ସୁରକ୍ଷିତ ଥିବା ଜଣାପଡିଛି ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଆବଶ୍ୟକୀୟ ଆନୁଷ୍ଠାନିକ କାର୍ଯ୍ୟ ଶେଷ ହୋଇଛି।
• ଭାରତ ସରକାର ଓମାନ ସୁଲତାନେଟ୍ କର୍ତ୍ତୃପକ୍ଷ, ଭାରତୀୟ ମିଶନ ଅଧିକାରୀ ଏବଂ ସମ୍ପୃକ୍ତ ସାମୁଦ୍ରିକ ଏଜେନ୍ସିଗୁଡ଼ିକ ସହିତ ନିବିଡ଼ ସମନ୍ୱୟ ରକ୍ଷା କରିଛନ୍ତି।
• ଗତ ୭୨ ଘଣ୍ଟା ମଧ୍ୟରେ, ଏମ୍‍ଏସ୍‍ଭି ହାଜି ଅଲି ଘଟଣାକୁ ବାଦ୍ ଦେଲେ ଭାରତୀୟ ଜାହାଜ କିମ୍ବା ଭାରତୀୟ ନାବିକ ଥିବା ବିଦେଶୀ ଜାହାଜ ସମ୍ବନ୍ଧୀୟ ଅନ୍ୟ କୌଣସି ଘଟଣା ରିପୋର୍ଟ କରାଯାଇ ନାହିଁ। ଏହି ଅଞ୍ଚଳରେ ଥିବା ଅନ୍ୟ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି।
• ଜାହାଜ ଚଳାଚଳ କଣ୍ଟ୍ରୋଲ ରୁମ୍ ମହାନିର୍ଦ୍ଦେଶକ କାର୍ଯ୍ୟକ୍ଷମ ହେବା ପରଠାରୁ ୯,୨୬୬ ଟି କଲ୍ ଏବଂ ୨୦,୫୯୨ ରୁ ଅଧିକ ଇମେଲ୍ ପରିଚାଳନା କରିଛି। ଗତ ୭୨ ଘଣ୍ଟା ମଧ୍ୟରେ ମୋଟ ୩୭୭ ଟି କଲ୍ ଏବଂ ୮୩୪ ଟି ଇମେଲ୍ ଗ୍ରହଣ କରାଯାଇଛି।
• ମନ୍ତ୍ରଣାଳୟ, ସିପିଂ ମହାନିର୍ଦ୍ଦେଶାଳୟ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୩,୧୫୮ ରୁ ଅଧିକ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବାରେ ସହାୟତା କରିଛି, ଯେଉଁଥିରେ ଗତ ୭୨ ଘଣ୍ଟା ମଧ୍ୟରେ ଉପସାଗରୀୟ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆସିଥିବା ୬୨ ଜଣ ସାମିଲ ଅଛନ୍ତି।
• ସମଗ୍ର ଭାରତରେ ବନ୍ଦର କାର୍ଯ୍ୟକଳାପ ସ୍ୱାଭାବିକ ରହିଛି ଏବଂ କୌଣସି ସ୍ଥାନରେ ଜାହାଜ ଚଳାଚଳରେ ଅସୁବିଧା ବା ଭିଡ଼ ସୂଚନା ମିଳିନାହିଁ।
• ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ମିଶନ ଏବଂ ସାମୁଦ୍ରିକ ଅଂଶୀଦାରମାନଙ୍କ ସହିତ ସମନ୍ୱୟ ରକ୍ଷା କରି ନାବିକମାନଙ୍କ କଲ୍ୟାଣ ଏବଂ ନିରବଚ୍ଛିନ୍ନ ସାମୁଦ୍ରିକ କାର୍ଯ୍ୟକଳାପ ନିଶ୍ଚିତ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking