ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ନାମଲେଖା ପାଇଁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁଲାଇ ୨୦ ତାରିଖରୁ ସାମ୍ସ ସେଣ୍ଟର ମାଧ୍ୟମରେ ଅନଲାଇନ ଆବେଦନ ହେବ । ଛାତ୍ରଛାତ୍ରୀ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ସେହିପରି ଅଗଷ୍ଟ ୧୭ ତାରିଖ ଅପରାହ୍ଣ ୩ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ୧୯ ରୁ ୨୫ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଚାଲିବ । ସେହିପରି ଅଗଷ୍ଟ ୨୭ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମ ଲେଖାଇଥିବା ପିଲାମାନେ ସ୍ଲାଇଡ୍ ଅପ୍ କରିପାରିବେ । ସେପ୍ଟେମ୍ବରର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ।
ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୫ରୁ ୭ ତାରିଖ ମଧ୍ୟରେ ହେବାକୁ ଥିବା ବେଳେ ୮ ତାରିଖ ରାତି ୯ଟାରେ ନାମଲେଖା ତାଲିକା ପୋର୍ଟାଲରେ ଅପଲୋଡ ହେବ । ସେପ୍ଟେମ୍ବର ୧୩ ତାରିଖରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ୧୪ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ନାମଲେଖା ପ୍ରକ୍ରିୟା ସରିବ । ୧୭ ତାରିଖ ସଂଧ୍ୟା ୬ଟାରେ ପିଲାଙ୍କ ନାମଲେଖା ନେଇ ଚୁଡ଼ାନ୍ତ ତଥ୍ୟ ପୋର୍ଟାଲରେ ଅପଡେଟ୍ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଦର୍ଶାଯାଇଛି ।
ତେବେ ଆବେଦନ ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀ ୨ଶହ ଟଙ୍କା ପୈଠ କରିବାକୁ ଥିବାବେଳେ ଏସସି ଓ ଏସଟି ବର୍ଗର ଛାତ୍ରଛାତ୍ରୀ ଶହେ ଟଙ୍କା ଦାଖଲ କରିବେ । ଛାତ୍ରଛାତ୍ରୀ ନାମଲେଖା ସମ୍ପର୍କିତ ସମସ୍ତ ତଥ୍ୟ ୱେବସାଇଟ୍ରୁ ପାଇପାରିବେ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ସେହିପରି ସିବିଏସ୍ଇ ଏବଂ ଆଇସିଏସ୍ଇ ରେଜଲ୍ଟ ପ୍ରକାଶ ପାଇବାରେ ଯଦି ବିଳମ୍ବ ହୁଏ ତେବେ ନାମଲେଖା ପାଇଁ ଆବେଦନ ଅବଧି ବୃଦ୍ଧି କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି ।