ଭୁବନେଶ୍ୱର: ଇଲେକ୍ଟ୍ରିକ ଅଫିସରୁ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୁଲିସ । ସେମାନେ ହେଲେ ୟୁନିଟ-୩ ଅଞ୍ଚଳର ଏସକେ ଶାହାଜାହାନ(୨୩) ଏବଂ ୟୁନିଟ୍-୨ ଅଞ୍ଚଳର ଏସକେ ଜମାଲ(୨୨) । ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖ ରାତ୍ରି ସମୟରେ ଉକ୍ତ ଦୁଇ ଯୁବକ ଓ ତାଙ୍କର ଅନ୍ୟ ସହଯୋଗୀମାନେ ୟୁନିଟ୍-୪, ମଧୁସୂଦନନଗରରେ ଥିବା ଇଲେକ୍ଟ୍ରିକ ଅଫିସରୁ ପ୍ରାୟ ୨.୩ଲକ୍ଷ ଟଙ୍କାର ୧୬ଟି ବ୍ୟାଟେରୀ ଚୋରୀ କରି ଗୋଟିଏ ଟାଟା ଇଣ୍ଟେରୋ ଗାଡିରେ ନେଇ ଯାଇଥିଲେ । ଏନେଇ ଦେବବ୍ରତ ସାରଙ୍ଗୀ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲାର ତଦନ୍ତ କରିବ ସହିତ ଆଜି ବିଶେଷ ସୂତ୍ରରୁ ଖବର ପାଇ ଉଭୟଙ୍କୁ ଗିରଫ କରିଥିଲେ ଏବଂ ସେମାନଙ୍କର ହେପାଜତରୁ ୨ଟି ବ୍ୟାଟେରୀ ଓ ଚୋରୀରେ ବ୍ୟବହୃତ ଗାଡିଟିକୁ ଜବତ କରି ଥାନାକୁ ଆଣିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଦୁହେଁ ତାଙ୍କର ଅନ୍ୟ ସହଯୋଗୀଙ୍କ ସହିତ ମିଳିତ ଭାବରେ ଚୋରୀ କରିଥିବା ନେଇ ମାନିଥିଲେ । ଏବଂ ଚୋରୀ ସାମଗ୍ରୀକୁ ବିକ୍ରୟ କରି ମିଳିଥିବା ଟଙ୍କାକୁ ସେମାନଙ୍କ ମଧ୍ୟରେ ବାଣ୍ଟିଥିବା ନେଇ ଦର୍ଶାଇଥିଲେ । ଅଭିଯୁକ୍ତ ମାନଙ୍କରଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ ଜମାଲ ଆଗରୁ ଖାରବେଳନଗର ଥାନାରେ ଚୋରୀ ଓ ଅପରାଧିକ ମାମଲାରେ କୋର୍ଟ ଚାଲାଣ ହୋଇଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ସ୍ଥଳେ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଚେଷ୍ଠା ଜାରି ରହିଛି ।