32.1 C
Bhubaneswar
Friday, April 26, 2024
Homeଅପରାଧଯୁବତୀଙ୍କୁ ଜାମିନ୍ କରାଇଦେବାକୁ କହି ୨.୩୦ଲକ୍ଷ ଠକିନେଲା ଠକ

ଯୁବତୀଙ୍କୁ ଜାମିନ୍ କରାଇଦେବାକୁ କହି ୨.୩୦ଲକ୍ଷ ଠକିନେଲା ଠକ

ଭୁବନେଶ୍ୱର: ଜଣେ ଅଭିଯୁକ୍ତ ଯୁବତୀଙ୍କୁ ଏକ ମାମଲାରେ ଜାମିନ୍ କରାଇଦେବାକୁ କହି ୨ଲକ୍ଷ ୩୦ହଜାର ଟଙ୍କା ଠକିନେଇଥିବା ମାମଲାରେ ଭୁବନେଶ୍ୱର ସାଇବର ଅପରାଧ ଏବଂ ଅର୍ଥନୈତିକ ଥାନା ପୁଲିସ ସମ୍ପୃକ୍ତ ଠକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ପ୍ରଗତିନଗରର ହାପି ଓରଫ ଶୁଭମ ମହାନ୍ତି(୨୬) ।  ଅଭିଯୁକ୍ତ ଶୁଭମ ଖଣ୍ଡଗିରି ଥାନା ଅନ୍ତର୍ଗତ କସ୍‌ମୋପଲି ଛକରେ ରହୁଥିଲା । ଏଥିସହ ଅନଲାଇନ୍‌ରେ ବିଜ୍ଞାପନ ପ୍ରକାଶ କରିବାର ଏକ ଏଜେନ୍ସି ଖୋଲିଥିଲା । ଏୟାରପୋର୍ଟ ଥାନା ଅଞ୍ଚଳର ଲିଲିଲତା ମିଶ୍ର(୨୫) ନାମ୍ନୀ ଜଣେ ଯୁବତୀ ସାଇବର ଥାନାରେ ହୋଇଥିବା ଏକ ଭିଡ଼ିଓ ଭାଇରାଲ ମାମଲା ରେ ଅଭିଯୁକ୍ତ ଥିଲେ । ତେଣୁ ତାଙ୍କୁ ଜାମିନ୍ କରାଇଦେବାକୁ କହି ଅଭିଯୁକ୍ତ ଉକ୍ତ ଟଙ୍କା ନେଇଥିଲା । ହେଲେ ପରେ ଜାମିନ କାଗଜ ଜାଲି ବୋଲି ଜଣାପଡ଼ିଥିଲା । ଏନେଇ ଲିଲିଲତା ଗତ ୯ତାରିଖରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ବୁଧବାର କୋର୍ଟ ଚାଲାଣ କରିଥିଲା । ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଗତ ମାସରେ ଏୟାରପୋର୍ଟ ଥାନା ଅଞ୍ଚଳର ଏକ ଯୁବତୀଙ୍କ ଅଶ୍ଲିଳ ଭିଡ଼ିଓ ଭାଇରାଲ୍ ହୋଇଥିଲା । ସମ୍ପୃକ୍ତ ଯୁବତୀ ଜଣକ ଲିଲିଲତାଙ୍କ ସମେତ ଏକାଧିକ ଯୁବତୀଙ୍କ ନାଁରେ ଭୁବନେଶ୍ୱର ସାଇବର ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ପରେ ପୁଲିସ ଲିିଲିଲତାଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲେ । ହେଲେ ଲିଲିଲତାଙ୍କ ସମ୍ପୃକ୍ତି ନେଇ କୌଣସି ତଥ୍ୟ ମିଳିନଥିଲା । ତେଣୁ ପୁଲିସ ତାଙ୍କୁ ଛାଡ଼ିଦେଇଥିଲା । ପରେ ଯେତେବେଳେ ଡାକିଲେ ହାଜର ହେବାକୁ ତାଙ୍କୁ କୁହାଯାଇଥିଲା । ଏହାକୁ ନେଇ ଲିଲିଲତା ଭୟଭୀତ ହୋଇପଡ଼ିଥିଲେ । ତେଣୁ ସେ ଅଭିଯୁକ୍ତ ଶୁଭମ ସହ ଯୋଗାଯୋଗ କରିଥିଲେ । ଶୁଭମ ନିଜକୁ ଏକ ଫିଲ୍ମ ପ୍ରଯୋଜକ, ବିଜ୍ଞାପନ ଏଜେଣ୍ଟ ବୋଲି ପରିଚୟ ଦେଇଥିଲା । ଏଥିସହ ଭୁବନେଶ୍ୱର ପୁଲିସରେ ତା’ର ସମସ୍ତେ ପରିଚିତ ଅଛନ୍ତି, ତେଣୁ ସହଜରେ ଜାମିନ କରାଇଦେବ ବୋଲି ଲିଲିଲତାଙ୍କୁ ପ୍ରତିଶ୍ରୁତି ଦେଇଥିଲା ।

ହେଲେ ପୁଲିସ ଏବଂ ଓକିଲ ଲକ୍ଷାଧିକ ଟଙ୍କା ନେବେ ବୋଲି ଶୁଭମ୍ କହିଥିଲା । ଏକଥାରେ ବିଶ୍ୱାସ କରି ଲିଲିଲତା ଶୁଭମ୍‌ଙ୍କ ଦାବି ଅନୁସାରେ ୨ଲକ୍ଷ ୩ହଜାର ଟଙ୍କା ଅନଲାଇନ୍ ଜରିଆରେ ଦେଇଥିଲେ । ପରେ ଶୁଭମ ଏକ ନକଲି ଜାମିନ ନିର୍ଦ୍ଦେଶନାମା ଆଣି ଲିଲିଲତାଙ୍କୁ ଦେଇଥିଲା । ତାଙ୍କୁ କେହି ଆଉ ଥାନାକୁ ଡାକିବେନି ବୋଲି ସେ ଦୃଢ଼ତାର ସହ କହିଥିଲା । ହେଲେ ଗତ ସୋମବାର ଉକ୍ତ ଭିଡ଼ିଓ ଭାଇରାଲ ମାମଲାରେ ଲିଲିଲତାଙ୍କୁ ଭୁବନେଶ୍ୱର ସାଇବର ଥାନା ପୁଲିସ ଜେରା କରିବାକୁ ପୁଣି ଡାକିଥିଲା । ତେଣୁ ଲିଲିଲତା ତାଙ୍କ ପାଖରେ ଥିବା ଜାମିନ ନିର୍ଦ୍ଦେଶନାମା ନେଇ ପୁଲିସକୁ ଦେଖାଇଥିଲେ ।

ହେଲେ ଉକ୍ତ ଜାମିନ ନିର୍ଦ୍ଦେଶାନାମାଟି ପୁରା ଜାଲି ବୋଲି ଜଣାପଡିଥିଲା । ଏହାପରେ ଲିଲିଲତା ଶୁଭମକୁ ଯୋଗାଯୋଗ କରି ଏସମ୍ପର୍କରେ ପଚାରିବାରୁ ସେ ଅସଲି ଜାମିନ୍ ନିର୍ଦ୍ଦେଶାନାମା ଦେଇପାରିନଥିଲା । ତେଣୁ ଲିଲିଲତା ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନାରେ ଏକ ଠକେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ତେବେ ଅଭିଯୋଗକାରୀ ଲିଲିଲତା ଏବେ ବି ଭାଇରାଲ ଭିଡ଼ିଓ ମାମଲାରେ ଅଭିଯୁକ୍ତ ଅଛନ୍ତି । ଉକ୍ତ ମାମଲାର ତଦନ୍ତ ଚାଲୁଥିବାରୁ ପୁଲିସ ତାଙ୍କୁ ଆବଶ୍ୟକସ୍ଥଳେ ଥାନାକୁ ଡାକି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking