ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀରେ ସମ୍ମେଟିଭ-୧ ଏବଂ ସମ୍ମେଟିଭ-୨ ପରୀକ୍ଷା କରାଯାଉଥିବା ବେଳେ ଚଳିତବର୍ଷ ପ୍ରଥମ କରି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ଆସେସ୍ମେଣ୍ଟ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କେବଳ ସମ୍ମେଟିଭ-୨ପରୀକ୍ଷା କରାଯିବ ବୋଲି ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଥିବା ଜଣାପଡ଼ିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ଲାଗୁ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ । ଗତ ୨ବର୍ଷ ହେବ ରାଜ୍ୟରେ କୋଭିଡ କଟକଣା ଲାଗି ଶିକ୍ଷାଦାନ ବ୍ୟବସ୍ଥା ବନ୍ଦ ରହିଥିଲା । ଫଳରେ ଦଶମ ଶ୍ରେଣୀ ପରୀକ୍ଷା ହୋଇନଥିବାରୁ ଛାତ୍ରଛାତ୍ରୀଙ୍କୁ ନବମ ଶ୍ରେଣୀ ମାର୍କ ଅନୁସାରେ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏପରି ସମସ୍ୟାର ସମାଧାନ ଲାଗି ଦଶମ ଶ୍ରେଣୀରେ ଉଭୟ ସମ୍ମେଟିଭ ଆସେସମେଣ୍ଟ- ୧ ଏବଂ ୨ ପରୀକ୍ଷାର ଆୟୋଜନ କରାଯାଉଛି । ଯଦି କରୋନା ପରି ସମସ୍ୟା ଉପୁଜେ ତେବେ ଛାତ୍ରଛାତ୍ରୀଙ୍କୁ ସମ୍ମେଟିଭ ଆସେସ୍ମେଣ୍ଟ ରେଜଲ୍ଟକୁ ଭିତ୍ତିକରି ସାର୍ଟିଫିକେଟ୍ ପ୍ରଦାନ କରାଯିବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍ ଫେଲ ବ୍ୟବସ୍ଥା ଉଚ୍ଛେଦ ହୋଇଥିବା ବେଳେ ସମ୍ମେଟିଭ ଲାଗୁ କରିବାକୁ ନେଇ ଚର୍ଚ୍ଚା ହେଉଛି । ମାର୍ଚ୍ଚ ୨୧ରୁ ୨୫ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ମେଟିଭ ଆସେସ୍ମେଣ୍ଟ ଶେଷ କରିବାକୁ କୁହାଯାଇଛି । ଏହି ସମ୍ମେଟିଭ ଲାଗି ପ୍ରଶ୍ନ-ଉତ୍ତର ସିଟ୍, ଆନ୍ସର କି’ ଏବଂ ଓରାଲ ପ୍ରଶ୍ନପତ୍ର ‘ଟିଇ ଆଣ୍ଡ ଏସ୍ସିଇଆର୍ଟି’ ଦ୍ୱାରା ପ୍ରସ୍ତୁତ କରାଯିବ । ପ୍ରଶ୍ନପତ୍ରର ସଫ୍ଟ କପି ଯଥାଶୀଘ୍ର ସମସ୍ତ ଜିଲ୍ଲାର ଡିପିଓଙ୍କୁ ପଠଯିବ । ଜିଲ୍ଲାସ୍ତରରେ ଥିବା ସ୍କୁଲର ସଂଖ୍ୟା, ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏବଂ ବିଷୟକୁ ନଜର ଦେଇ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ରାଜ୍ୟର ସରକାରୀ, ଅନୁଦାନପ୍ରାପ୍ତ ଏବଂ ସ୍ୱକୃତିପ୍ରାପ୍ତ ସ୍କୁଲରେ ଏହି ପରୀକ୍ଷା ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।