– “ଓଡ଼ିିଶା’କୁ ହକିର ‘ଗ୍ଲୋବାଲ୍ ହବ୍’ କରିବା ଲକ୍ଷ୍ୟ
– ହକି ଇଣ୍ଡିଆକୁ ଓଏମ୍ସି ଦେବ ୪୩୮.୧୨ କୋଟି
– ଚୁକ୍ତିର ଅବଧି ୨୦୨୩ରୁ ୨୦୩୩ ପର୍ଯ୍ୟନ୍ତ ବୃଦ୍ଧି
– ବିଜୁ ସେତୁ ଯୋଜନାର ଅବଧିକୁ ୨୦୨୫-୨୬ ଯାଏ ବୃଦ୍ଧି
– ଓବିସି କମିସନ ସଂଶୋଧନ ନେଇ ଅଧ୍ୟାଦେଶ ମଞ୍ଜୁରୀ
ଭୁବନେଶ୍ୱର: “ଓଡ଼ିିଶା’କୁ ହକିର ‘ଗ୍ଲୋବାଲ୍ ହବ୍’ କରିବା ଲକ୍ଷ୍ୟ ନେଇ ଓଡ଼ିଶା ସରକାର ଆଉ ୧୦ ବର୍ଷ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ଚୁକ୍ତିର ଅବଧି ୨୦୨୩ରୁ ୨୦୩୩ ପର୍ଯ୍ୟନ୍ତ ରହିବ । ହକି ଇଣ୍ଡିଆକୁ ଓଡ଼ିଶା ସରକାରଙ୍କ ଓଡ଼ିଶା ଖଣି ନିଗମ(ଓଏମ୍ସି) ମୋଟ୍ ୪୩୮.୧୨ କୋଟି ଦେବ । ଏଥିସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ମୋହର ଦେଇଛି । ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ଏଥିରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ କହିଛନ୍ତି ଯେ, ଭାରତରେ ଏକ ସମୃଦ୍ଧ ହକି ପରମ୍ପରା ରହିଛି । ଓଡ଼ିିଶା ସରକାର ହକି ଖେଳର ଏକ ପ୍ରମୁଖ ପ୍ରୋତ୍ସାହକ । ହକି ଇଣ୍ଡିଆ ସହିତ ରାଜ୍ୟ ସହଭାଗିତା ଦେଶରେ କ୍ରୀଡ଼ାର ପୁନର୍ଜୀବନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଟୋକିଓ ଅଲିମ୍ପିକ୍ସରେ ଉଭୟ ଦଳର ସଫଳତା ଯେଉଁଠାରେ ପୁରୁଷ ଦଳ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଥିଲେ ଏବଂ ମହିଳା ଦଳ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ୨୦୧୮ରୁ ରାଜ୍ୟ ସରକାର ଭାରତୀୟ ହକିର ପ୍ରାୟୋଜକ ହୋଇଛନ୍ତି । ଓଡ଼ିଶା ସରକାରଙ୍କ ଅନୁମୋଦନକ୍ରମେ ଓଡ଼ିଶା ଖଣି ନିଗମ (ଓଏମ୍ସି) ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଭାରତୀୟ ପୁରୁଷ ଓ ମହିଳା, ସିନିୟର ଓ ଜୁନିୟର ପ୍ରାୟୋଜକତା ପାଇଁ ହକି ଇଣ୍ଡିଆ ସହ ଚୁକ୍ତି କରିଥିଲା । ଚୁକ୍ତିକୁ ବୃଦ୍ଧି କରିବା ନିମନ୍ତେ ହକି ଇଣ୍ଡିଆ ଅଧ୍ୟକ୍ଷଙ୍କ ଅନୁରୋଧକ୍ରମେ ଓଏମ୍ସି ଲିମିଟେଡ୍ ରାଜ୍ୟ ସରକାରଙ୍କ ଅନୁମୋଦନ ଲୋଡ଼ିଛି । ଏହାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି । ଓଏମ୍ସି ବର୍ତ୍ତମାନ ଆଉ ୧୦ ବର୍ଷ ପାଇଁ ଅର୍ଥାତ୍ ୨୦୨୩ ଫେବୃଆରୀ ୧ରୁ ୨୦୩୩ ଜାନୁଆରୀ ୩୧ ପର୍ଯ୍ୟନ୍ତ ପ୍ରାୟୋଜକ କରିବାକୁ ପ୍ରତିଶ୍ରୁତି ଦେଇଛି । ଏହି ସମୟ ମଧ୍ୟରେ ଓଏମ୍ସି ପକ୍ଷରୁ ହକି ଇଣ୍ଡିଆକୁ ୪୩୪.୧୨ କୋଟି ଟଙ୍କା ପ୍ରଦାନ କରାଯିବ ।
ଶ୍ରୀ ଜେନା କହିଛନ୍ତି ଯେ, ଓଡ଼ିିଶାର ଯୁବ ବର୍ଗଙ୍କ ମଧ୍ୟରେ ହକି ଏକ ଲୋକପ୍ରିୟ ଖେଳ ହୋଇଥିବାରୁ ରାଜ୍ୟ ସରକାର ଏହି ଜରୁରୀ ନିଷ୍ପତ୍ତି ନେବା ସହିତ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହିତ କରିଛନ୍ତି । ଫଳରେ କ୍ରୀଡ଼ା ପ୍ରତି ଯୁବ ଖେଳାଳିଙ୍କ ଆକର୍ଷଣ ବଢ଼ିବା ସହ ସେମାନଙ୍କର ପ୍ରତିଭା ବିକାଶର ଏକ ଶକ୍ତିଶାଳୀ ମାଧ୍ୟମ ହେବ । ସେହିପରି “ଓଡିଶା’କୁ ହକିର ‘ଗ୍ଲୋବାଲ୍ ହବ୍’ ଭାବରେ ସୁଦୃଢ଼ ହେବ । ଏହାଦ୍ୱାରା ରାଜ୍ୟରେ କେବଳ ଖେଳ, ନୁହେଁ, ବ୍ୟବସାୟ ଓ ପର୍ଯ୍ୟଟନ କ୍ଷେତ୍ରରେ ବି ଉନ୍ନତି ଘଟିବ । ଓଡ଼ିିଶା ସରକାରଙ୍କ ସହଯୋଗରେ ହକି ଇଣ୍ଡିଆ ହକିର ଭାରତୀୟ ପରମ୍ପରାକୁ ସୁଦୃଢ଼ କରିବା ସହ ହକି ‘ପାୱାରହାଉସ୍’ ଭାବେ ନିଜର ସ୍ଥିତି ଫେରାଇ ଆଣିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ଜେନା ଦୃଢ଼ତାର ସହ ପ୍ରକାଶ କରିଛନ୍ତି ।
ଶ୍ରୀ ଜେନା କହିଛନ୍ତି ଯେ, ଓବିସି କମିସନ ସଂଶୋଧନ ନେଇ ଅଧ୍ୟାଦେଶ ଅଣାଯିବାକୁ କ୍ୟାବିନେଟ୍ ମଞ୍ଜରୀ ଦେଇଛନ୍ତି । ଓଡ଼ିିଶା ଜଙ୍ଗଲ ସେବା କ୍ୟାଡରର ପୁନଃଗଠନ କରାଯିବା ପ୍ରସ୍ତାବ ଉପରେ ମୋହର ଲାଗିଛି । ଓଡ଼ିଶା ସ୍ୱତନ୍ତ୍ର ଲଘୁଖଣିଜ ନିଲାମୀ ଅଧିନିୟମରେ ହେବ ସଂଶୋଧନ । ଏଥିପାଇଁ ଆସିବ ସ୍ୱତନ୍ତ୍ର ସଂଶୋଧିତ ଅଧିନିୟମ-୨୦୨୩ । ସେହିପରି ଓଡ଼ିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ଼ ଅଧିନିୟମରେ ହେବ ସଂଶୋଧନ । ଓଡ଼ିଶା ଜଙ୍ଗଲ ସେବା କ୍ୟାଡରର ବି କରାଯିବ ପୁନର୍ଗଠନ । ଜିପିଏଫ୍ ଅଧିନିୟମ-୧୯୩୮ର ସଂଶୋଧନ ସହ ଅବକାରୀ ମନ୍ତ୍ରାଳୟରେ ସହାୟକ, ବରିଷ୍ଠ ସହାୟକ ଓ ସେକ୍ସନ ଅଫିସରଙ୍କ ନିଯୁକ୍ତି ନେଇ ନୂଆ ସର୍ତ୍ତାବଳୀ ଲାଗୁ ହେବ୧ ।
ଅନ୍ୟପକ୍ଷରେ ଅବକାରୀ ସବଇନସପେକ୍ଟର ନିଯୁକ୍ତି ନେଇ ବି ନୂଆ ଅଧିନିୟମ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଅବକାରୀ ସବଇନସ୍ପେକ୍ଟର ନିଯୁକ୍ତି ନେଇ ପୂର୍ବରୁ ଥିବା ନିଯୁକ୍ତି ଅଧିନିୟମ ଅକାମୀ ହେବ । ନୂଆ ଅଧିନିୟମ-୨୦୨୩ ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ । ଅନ୍ୟପକ୍ଷରେ ବିଜୁ ସେତୁ ଯୋଜନାର ଅବଧିକୁ ୨୦୨୫-୨୬ ମସିହାକୁ ବୃଦ୍ଧି କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର ମିଳିଛି । ୨୦୨୧-୨୨ରୁ ୨୦୨୩-୨୪ ମଧ୍ୟରେ ମୋଟ୍ ୫,୧୮୨ କୋଟି ଟଙ୍କା ବିନିଯୋଗ ହୋଇ ୯୪୬ ସେତୁ ନିର୍ମାଣ ପ୍ରସ୍ତାବ ହୋଇଥିଲା । ଏଥିରୁ ୫୫୦ ନୂତନ ସେତୁ ଓ ୩୯୬ଟି ସେତୁ ନିର୍ମାଣ ଧୀନ ଅବସ୍ଥାରେ ରହିଛି । ଏବେ ଅତିରିକ୍ତ ୩୫୯୭.୨୨ କୋଟି ଟଙ୍କାରେ ୮୬୬ ଟି ସେତୁ ନିର୍ମାଣ ପାଇଁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପ୍ରକାଶ କରିଛନ୍ତି ।
୬ ଥାକିଆ ହେବ କଟକ ଖାନ୍ନଗର-ଲିଙ୍କ୍ ରୋଡ୍; ବ୍ୟୟ ହେବ ୧୨୧.୬୫ କୋଟି
କଟକ ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ ହେବ । ଏହି ୬ ଲେନ୍ ଖାନ୍ନଗରରୁ ଲିଙ୍କ୍ ରୋଡ୍ ପର୍ଯ୍ୟନ୍ତ କରାଯିବ । ଏଥିପାଇଁ ମୋଟ୍ ୧୨୧ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ୨୪ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ସ୍ଥିର ହୋଇଛି ।
ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ଶେଷରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପିକେ ଜେନା । ଶ୍ରୀ ଜେନା କହିଛନ୍ତି ଯେ, କଟକ ସହରର ଟ୍ରାଫିକ୍ ସମସ୍ୟାର ଦୂର ପାଇଁ ଓଡ଼ିଶା ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଠିକାଦାର ସଂସ୍ଥା ଆର୍କେଡି କନଷ୍ଟ୍ରକସନ ପ୍ରା. ଲିିମିଟେଡ୍ ଏହି ୬ ଲେନ୍ ବିଶିଷ୍ଟ ରାସ୍ତା କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ କରିବ ।
ଇ-ଯାନ ଉପରେ ରିହାତି ହାର ବୃଦ୍ଧି
ବୈଦୁତିକ ବା ଇ-ଯାନ ଉପରେ ରିହାତି ହାର ବୃଦ୍ଧି ହେବ । ଏହାଦ୍ୱାରା ଇ-ଯାନ କ୍ରୟ ଓ ପଞ୍ଜିକରଣ ପାଇଁ ଦିଆଯାଉଥିବା ପ୍ରୋତ୍ସାହନ ରିହାତି ବୃଦ୍ଧି ପାଇବ । ଏନେଇ ଓଡ଼ିିଶା ଇଭି ପଲିସି-୨୦୨୧ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ପିକେ ଜେନା କହିଛନ୍ତି ଯେ, କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ୨୦୨୫ ସୁଦ୍ଧା ରାଜ୍ୟରେ ୨୦% ଇଭି ଯାନ ପଞ୍ଜିକରଣ ଲକ୍ଷ୍ୟ ନେଇ ଓଡ଼ିଶା ବୈଦୁତିକ ଯାନ ନୀତି-୨୦୨୧ ପ୍ରଣୟନ କରିଛନ୍ତି । ତାହା ସେପ୍ଟେମ୍ବର ୨୦୨୧ରୁ ଲାଗୁ ହୋଇଛି । ଏହି ନୀତି ଆଧାରରେ ଉପଭୋକ୍ତା ଓ ଗାଡ଼ି ନିର୍ମାତାଙ୍କ ପାଇଁ ବିଭିନ୍ନ ରିହାତି ବ୍ରବସ୍ଥା କରାଯାଇଛି । ଏବେ ଉକ୍ତ ରିହାତି ହାରକୁ ବୃଦ୍ଧି କରାଯାଇଛି । ଫଳରେ ବୈଦ୍ୟୁତିକ ଯାନ କ୍ରୟ କରିବା ପାଇଁ ଲୋକେ ପ୍ରେରିତ ହେବେ ।