ଭୁବନେଶ୍ୱର: କୋଭିଡ୍ କର୍ଫ୍ୟୁ ସମୟରେ କେନ୍ଦ୍ର ସରକାର ସ୍କୁଲ୍ ବନ୍ଦ ପାଇଁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଶିକ୍ଷା ବ୍ୟବସ୍ଥା ଯେପରି ସମ୍ପୂର୍ଣ୍ଣ ଭୁଶୁଡ଼ି ନଯିବ ତାହାକୁ ଆଖି ଆଗରେ ରଖି ପରିସ୍ଥିତି ଦେଖି ଧିରେ ଧିରେ ସ୍କୁଲ୍ ଖୋଲିବାକୁ ସବୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ଏହାକୁ ଭିତ୍ତି କରି ୨୦୨୧ ଫେବ୍ରୁଆରୀରେ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ପର୍ଯ୍ୟାୟ କ୍ରମେ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏବଂ ସ୍କୁଲ୍ ଖୋଲିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଧିରେ ଧିରେ ଦଶମ ଓ ନବମ ପିଲାଙ୍କୁ ସ୍କୁଲ୍ ଆସିବା ପାଇଁ ଘୋଷଣା କରାଯାଇଥିଲା । କୋଭିଡ୍ କଟକଣା (ସାମାଜିକ ଦୂରତା ଅବଲମ୍ବନ, ମାସ୍କ ପରିଧାନ ବାଧ୍ୟତାମୂଳକ, ସାନିଟାଇଜର୍ କରିବା)କୁ ମାନି ପିଲାଏ ସ୍କୁଲ୍ ଆସିଥିବା ବେଳେ ଦୀର୍ଘ ଦିନର ବ୍ୟବଧାନ ପରେ ସ୍କୁଲ୍ ମାଡ଼ିଥିବାରୁ ସେମାନଙ୍କୁ ଫୁଲ ଦେଇ ସ୍ୱାଗତ କରାଯାଇଥିଲା । ହେଲେ ସମୟ କ୍ରମେ ପୁଣି ସଂକ୍ରମଣ ବଢ଼ିବାରୁ ସ୍କୁଲ୍ରେ ଧିରେ ଧିରେ ସଂକ୍ରମଣ କମିଥିଲା । ଫଳରେ ବାଧ୍ୟ ହୋଇ ଖୋଲିବା ନିଷ୍ପତ୍ତିକୁ ରଦ୍ଦ କରାଯାଇଥିଲା । ଏହାର ଆଉ ଦିନ କେଇଟା ପରେ ଦଶମ ବୋର୍ଡ ପରୀକ୍ଷା ଥିବାରୁ ଦଶମ ପିଲାଙ୍କୁ କଟକଣା ଭିତ୍ତିରେ ସ୍କୁଲ୍ ଆସିବାକୁ କୁହାଯାଇଥିଲା । ଏହାସହ ଅଫ୍ଲାଇନ୍ ମାଟ୍ରିକ୍ ପରୀକ୍ଷା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ହେଲେ କୋଭିଡ୍ ସ୍ଥିତିରେ ପିଲାଙ୍କ ସୁରକ୍ଷା ନେଇ ଅଭିଭାବକଙ୍କ ସମେତ ବିଭିନ୍ନ ମହଲରେ ବୁଦ୍ଧିଜୀବୀ, ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଥିଲେ । ଏପରିକି ବିଭିନ୍ନ ସ୍ଥାନରେ ବିଭିନ୍ନ ସଂଗଠନ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଧାରଣା ମଧ୍ୟ ଦିଆଯାଇଥିଲା । ଏହିସବୁ ସ୍ଥିତିକୁ ଦୃଷ୍ଟିରେ ରଖି ପୁନର୍ବାର ରାଜ୍ୟ ସରକାରଙ୍କ ପକ୍ଷରୁ ଅଫ୍ଲାଇନ୍ ପରୀକ୍ଷାକୁ ବାତିଲ୍ କରି ଅନ୍ଲାଇନ୍ ଜରିଆରେ ସମେଟିଭ୍ ଆସେସ୍ମେଣ୍ଟ ପରୀକ୍ଷା ପାଇଁ ଘୋଷଣା କରାଯାଇଥିଲା ।
ଅନ୍ଲାଇନ୍ରେ ପରୀକ୍ଷା ହେଲା ସତ, କିନ୍ତୁ ପରୀକ୍ଷା ଫଳକୁ ନେଇ ବହୁ ସରକାରୀ ସ୍କୁଲ୍ ସମେତ ଶିଶୁ ମନ୍ଦିରମାନଙ୍କରେ ଛାତ୍ରଛାତ୍ରୀ ଅଭିଭାବକ ହୋହାଲ୍ଲା କରିଥିଲେ । ପରବର୍ତ୍ତୀ ସମୟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍ଲାଇନ୍ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା ।