28.1 C
Bhubaneswar
Sunday, September 29, 2024
Homeଓଡିଶାଦଶମ ସମ୍ମେଟିଭ୍‌‌-୧ ପରୀକ୍ଷା ଫଳ ପ୍ରକାଶ

ଦଶମ ସମ୍ମେଟିଭ୍‌‌-୧ ପରୀକ୍ଷା ଫଳ ପ୍ରକାଶ

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପ୍ରଥମ ସମ୍ମେଟିଭ୍‌‌ ଆସେସ୍‌‌ମେଣ୍ଟ (ଏସ୍‌‌ଏ-୧) ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ବୋର୍ଡ ୱେବ୍‌‌ସାଇଟ୍‌‌ରୁ ଫଳାଫଳ ଜାଣିପାରିବେ। ସ୍କୁଲର ପ୍ରଧାନ ଶିକ୍ଷକମାନେ ମଧ୍ୟ ସ୍କୁଲ କୋଡ୍‌‌ ଏବଂ ପାସ୍‌‌ୱାର୍ଡ ଦ୍ୱାରା ବୋର୍ଡ ୱେବ୍‌‌ସାଇଟ୍‌‌ରୁ ଟାବୁଲେସନ ରେଜିଷ୍ଟର (ଟିଆର୍‌‌) ପାଇପାରିବେ। ଚଳିତବର୍ଷ ୫ ଲକ୍ଷ ୩୨ ହଜାର ୭୪୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ତନ୍ମଧ୍ୟରୁ ୨ ଲକ୍ଷ ୬୫ ହଜାର ୬୩୨ଜଣ ଛାତ୍ର ଥିବାବେଳେ ୨ଲକ୍ଷ ୬୭ ହଜାର ୧୧୪ ଜଣ ଛାତ୍ରୀ ରହିଥିଲେ। କିନ୍ତୁ ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩ ହଜାର ୫୮ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିବା ଜଣାପଡ଼ିଛି। ସେହିଭଳି କପି କରି ୧୪୩ ଜଣ ଧରାପଡ଼ିଛନ୍ତି ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।

ଯଦି କୌଣସି ପରୀକ୍ଷାର୍ଥୀଙ୍କର ମାର୍କକୁ ନେଇ ଅସନ୍ତୋଷ ଥାଏ ବା ସେମାନେ ପରୀକ୍ଷା ଖାତାର ପୁନଃ ଯାଞ୍ଚ କରିବାକୁ ଚାହୁଁଥିବେ ତାହେଲେ ସେମାନଙ୍କୁ ଅନ୍‌‌ଲାଇନ୍‌‌ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଆସନ୍ତା ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନ୍‌‌ଲାଇନ୍‌‌ ମାଧ୍ୟମରେ ଏହି ଆବେଦନ ପ୍ରକ୍ରିୟା ଚାଲିବ। ଯେଉଁମାନେ ଏସ୍‌‌ଏ-୧ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବେ ସେମାନେ ଏସ୍‌‌ଏ-୨ ପରୀକ୍ଷା ନିମନ୍ତେ ଫର୍ମପୂରଣ କରିବେ। କିନ୍ତୁ ଏସ୍‌‌ଏ-୧ ପରୀକ୍ଷାରେ କପି କରି ଧରାପଡ଼ିଥିବା ୧୪୩ଜଣ ପରୀକ୍ଷାର୍ଥୀ ଏସ୍‌‌ଏ-୨ ପାଇଁ ଫର୍ମପୂରଣ କରିପାରିବେ ନାହିଁ। ଯାହାଦ୍ୱାରା ସେମାନେ ଏସ୍‌‌ଏ-୨ ପରୀକ୍ଷା ଦେବାରୁ ବଞ୍ଚିତ ହେବେ ବୋଲି ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସଂସ୍କୃତ ମଧ୍ୟମାର ପ୍ରଥମ ସମ୍ମେଟିଭ୍‌‌ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। ୩ ହଜାର ୬୨୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବା ବେଳେ ସେଥିମଧ୍ୟରୁ ୫୮୩ ଜଣ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି। ଛାତ୍ରଛାତ୍ରୀଙ୍କ ମାର୍କ ବୋର୍ଡ ୱେବ୍‌‌ସାଇଟ୍‌‌ରେ ଅପ୍‌‌ଲୋଡ୍‌‌ କରାଯାଇଛି। ଜୋନ୍‌‌ କାର୍ଯ୍ୟାଳୟଗୁଡ଼ିକରେ ଆସନ୍ତା ୨୦ ତାରିଖରୁ ଟାବୁଲେସନ ରେଜିଷ୍ଟର ମିଳିବ। ସେହିଭଳି ରାଜ୍ୟ ମୁକ୍ତ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଦେବାକୁ ୭୧୭୯ ଜଣ ଫର୍ମପୂରଣ କରିଥିଲେ। ତନ୍ମଧ୍ୟରୁ ୫ ହଜାର ୧୫୭ଜଣ କୃତକାର୍ଯ୍ୟ ହୋଇଛନ୍ତି। ୧ ହଜାର ୪୭୧ ଜଣ ଫେଲ୍‌‌ ହୋଇଥିବାବେଳେ ୪୪୪ଜଣ ପରୀକ୍ଷା ଦେଇନାହାନ୍ତି। ୬୦ଜଣ କପି କରି ଧରାପଡ଼ିଛନ୍ତି।

ପରୀକ୍ଷା ଖାତା ପୁନଃ ଯାଞ୍ଚ ନିମନ୍ତେ ଅଫ୍‌‌ଲାଇନ୍‌‌ ମାଧ୍ୟମରେ ଆସନ୍ତା ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଅନୁଷ୍ଠିତ ହେବ। ସୂଚନା ଥାଉକି, ଆସନ୍ତା ମାର୍ଚ୍ଚ ୧୦ରୁ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ୩୦୨୯ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ବୋର୍ଡ ଦ୍ୱାରା କରାଯାଇଛି। ଏହି ପରୀକ୍ଷା ଶେଷ ହେବା ପରେ ସମ୍ମେଟିଭ-୧ ପରୀକ୍ଷାର ୪୦ ପ୍ରତିଶତ ମାର୍କ, ସମ୍ମେଟିଭ୍‌‌-୨ରେ ୪୦ ପ୍ରତିଶତ ଓ ଫର୍ମେଟିଭ ଆସେସ୍‌‌ମେଣ୍ଟର ୨୦ ପ୍ରତିଶତ ମାର୍କକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking