28.3 C
Bhubaneswar
Tuesday, May 20, 2025
Homeଓଡିଶା୧୦୨ ଜଣ ସହକାରୀ ପ୍ରଫେସରଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

୧୦୨ ଜଣ ସହକାରୀ ପ୍ରଫେସରଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବୃତ୍ତିଗତ ଦକ୍ଷତା ସହିତ, ଏକ ମାନବୀୟ ସ୍ପର୍ଷ ରୋଗୀମାନଙ୍କ ପାଇଁ ଚମତ୍କାର କରିପାରିବ। ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ ସହକାରୀ ପ୍ରଫେସରମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବା ଅବସରରେ ରୋଗୀ ସେବା କରିବା ସମୟରେ ମାନବୀୟ ସ୍ପର୍ଷ ସୁନିଶ୍ଚିତ କରିବା ଲାଗି ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ଏକ ସଙ୍ଗରେ ୧୦୨ ଜଣ ସହକାରୀ ପ୍ରାଧ୍ୟାପକଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ମିଳିଛି । ଏହି ଅବସରରେ ଡାକ୍ତରମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ଏବଂ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ୍‌’, ଲକ୍ଷ୍ୟ ନେଇ ଆମେ ସ୍ୱାସ୍ଥ୍ୟ ସେବାରେ ରୂପାନ୍ତରଣ ଆଣୁଛୁ । ଜନସାଧାରଣଙ୍କ କାନ୍ଧ ଉପରୁ ସ୍ୱାସ୍ଥ୍ୟ ସେବା ଜନିତ ବ୍ୟୟଭାର ଲାଘବ କରିବା ଉଦ୍ଦେଶ୍ୟ ନେଇ ସମସ୍ତଙ୍କ ପାଇଁ ବିଶ୍ୱସ୍ତରୀୟ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆମ ସରକାର ବଦ୍ଧପରିକର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ରାଜ୍ୟର ସମସ୍ତ ସରକାରୀ ମେଡିକାଲରେ ସ୍ୱାସ୍ଥ୍ୟ ସେବାର ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି । ଆମର ମେଡିକାଲ କଲେଜରେ ମଧ୍ୟ ରୋଗୀଙ୍କୁ ଯେପରି ସର୍ବୋତ୍ତମ ଚିକିତ୍ସା ସେବା ମିଳିବ ତାହା ସରକାର ସୁନିଶ୍ଚିତ କରୁଛନ୍ତି । ହେଲେ ଆମେ ଏତିକିରେ ଅଟକି ଯାଇ ନାହୁଁ ।

ସରକାରୀ ଡାକ୍ତରଖାନାରେ ରୋଗୀ ଓ ଜନସାଧାରଣଙ୍କୁ ଆହୁରି ଭଲ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆମେ ଅତ୍ୟାଧୁନିକ ଏବଂ ନୂଆ ଭିତ୍ତିଭୂମି ସୃଷ୍ଟି କରୁଛୁ । ‘ଆମ ହସ୍ପିଟାଲ’ ଯୋଜନା ମାଧ୍ୟମରେ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ରୂପାନ୍ତରଣ କରାଯାଉ ଥିବା ବେଳେ କମ ସମୟ ଭିତରେ ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଖୋଲିବା ସ୍ୱାସ୍ଥ୍ୟ ସେବା ପ୍ରତି ଥିବା ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ରାଜ୍ୟରେ ଜାରି ରହିଥିବା ରୂପାନ୍ତରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ୫-ଟି ରୂପାନ୍ତରଣ ପଦକ୍ଷେପ ଏକ ନୂଆ ଏବଂ ସଶକ୍ତ ଓଡ଼ିଶା ଗଠନ ପାଇଁ ପଥ ପରିଷ୍କାର କରିଛି । ଟ୍ରାନ୍ସପାରେନ୍ସି, ଟେକ୍ନୋଲୋଜି, ଟିମ୍‌ ୱାର୍କ ଏବଂ ଟାଇମ୍‌ ଆଧାରରେ ଆମେ ଟ୍ରାନ୍ସଫର୍ମେସନ୍‌ ଅବା ରୂପାନ୍ତରଣ ପରିକଳ୍ପନାକୁ ବାସ୍ତବ ରୂପ ଦେଇଛୁ । ତେଣୁ ଆପଣମାନେ ମଧ୍ୟ ଏହି ଉପକ୍ରମ ଅନୁସରଣ କରି ପରିବର୍ତ୍ତନର ସାରଥୀ ହୁଅନ୍ତୁ ବୋଲି ନବନିଯୁକ୍ତ ସହକାରୀ ପ୍ରାଧ୍ୟାପକମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କଠିନ ଅଧ୍ୟବସାୟ ବଳରେ ଆପଣମାନେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି, ଆପଣ ଏବଂ ଆପଣଙ୍କ ପିତାମାତାଙ୍କର ଏହି ଖୁସିକୁ ମୁଁ ଭଲ ଭାବେ ଅନୁଭବ କରିପାରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ଏବଂ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ୍‌’ ଆଭିମୁଖ୍ୟ ନେଇ ରାଜ୍ୟ ସରକାର ଅନେକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । ଗତ ୬ ବର୍ଷ ମଧ୍ୟରେ ରାଜ୍ୟ ସରକାର କୋରାପୁଟ, ବାରିପଦା, ବାଲେଶ୍ୱର, ବଲାଙ୍ଗିର, ପୁରୀ, କେନ୍ଦୁଝର, ସୁନ୍ଦରଗଡ଼ ଓ କଳାହାଣ୍ଡିରେ ୮ଟି ମେଡିକାଲ କଲେଜ ଓ ହସ୍ପିଟାଲ ସମେତ କଟକ ଆଚାର୍ଯ୍ୟ ହରିହର କର୍କଟ ପିଜି ଅନୁଷ୍ଠାନ ଏବଂ କ୍ୟାପିଟାଲ ହସ୍ପିଟାଲରେ ପିଜି ଇନଷ୍ଟିଚ୍ୟୁଟ୍‌ ଖୋଲା ଯାଇଛି । ୨୦୨୪-୨୫ରେ ଯାଜପୁରର ଯଜାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ରାଜ୍ୟ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ଯାଉଛି । ୨୦୦୦ ମସିହା ବେଳକୁ ଓଡ଼ିଶାରେ ପ୍ରତିବର୍ଷ ୩୨୧ ଜଣ ଏମ୍‌ବିବିଏସ୍‌ ଏବଂ ୨୫୪ ଜଣ ବିଶେଷଜ୍ଞ ଡାକ୍ତର ବାହାରୁ ଥିବା ବେଳେ ବର୍ତ୍ତମାନ ପ୍ରତିବର୍ଷ ୨୫୨୫ ଏମ୍‌ବିବିଏସ୍‌ ଏବଂ ୮୫୬ ସ୍ପେଶାଲିଷ୍ଟ ଡାକ୍ତର ବାହାରୁଛନ୍ତି । ଏହି ସଂଖ୍ୟା ପ୍ରତି ବର୍ଷ ବଢ଼ିବାରେ ଲାଗିଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ନିକଟ ଅତୀତରେ ୩୦୦ରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ସ୍ୱାସ୍ଥ୍ୟ ସେବାରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେକ୍ରମେ ପ୍ରତ୍ୟେକ ନାଗରିକଙ୍କୁ ମାଗଣାରେ ଉଚ୍ଚ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ଆଜି ନିଯୁକ୍ତି ପାଇଥିବା ଆସିଷ୍ଟାଣ୍ଟ ପ୍ରଫେସରମାନଙ୍କ ମଧ୍ୟରୁ ଡାକ୍ତର ଭାଗ୍ୟଶ୍ରୀ ପଣ୍ଡା, ଡାକ୍ତର ରୁଚିତ ମହାନ୍ତି ଏବଂ ଡାକ୍ତର ପ୍ରାଚୀ ପ୍ରତିଚି ଦାସ ନିଜ ଅଭିଜ୍ଞତା ବର୍ଣ୍ଣନା କରି ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶୀତା ଅବଲମ୍ବନ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କର ପ୍ରତ୍ୟେକ ଜୀବନ ମୂଲ୍ୟବାନ୍‌ ଆହ୍ୱାନକୁ ଚରିତାର୍ଥ କରିବାରେ କଦାପି ଅବହେଳା କରିବୁ ନାହିଁ । ଜନସାଧାରଣଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଯେପରି ଭାବେ ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ପ୍ରତିଷ୍ଠା କରି ଲୋକଙ୍କ ସେବା କରିବା ଲାଗି ସୁଯୋଗ ଦେଇଛନ୍ତି, ସେଥିପାଇଁ ସେମାନେ କୃତଜ୍ଞତା ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଚିବ ଶାଲିନି ପଣ୍ଡିତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡିଏମ୍‌ଇଟି ସଚ୍ଚିଦାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking