ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀର କଂଗ୍ରେସର ଲୋକସଭା ପ୍ରାର୍ଥୀ କହ୍ନେୟା କୁମାରଙ୍କ ଉପରେ କାଲି ଫିଙ୍ଗିବା ପରେ ଦିଲ୍ଲୀ ପୋଲିସ ଜଣେ ୪୧ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛି ବୋଲି ପୋଲିସ କହିଛି । ଅଭିଯୁକ୍ତ ଜଣକ ନୂଆ ଉସମାନପୁରର ବାସିନ୍ଦା ଅଜୟ କୁମାର ଏ.କେ.ଏ ରଣବୀର ଭଟ୍ଟୀ ବୋଲି ଜଣାପଡିଛି। ପୋଲିସର ସୂଚନାନୁସାରେ, ମେ ୧୭, ସନ୍ଧ୍ୟା ୬:୫୩ ରେ ଇଙ୍କି ଘଟଣା ସମ୍ପର୍କରେ ପୋଲିସ କଣ୍ଟ୍ରୋଲ ରୁମକୁ କଲ ଆସିଥିଲା। ଡିସିପି କହିଛନ୍ତି ଯେ ସୋମବାର ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବା ପାଇଁ ଉଦ୍ୟମ ଚାଲିଛି। ସୂଚନା ଅନୁଯାୟୀ, କହ୍ନେୟାଙ୍କୁ ମାଲ୍ୟାର୍ପଣ କରିବା ବାହାନାରେ ଆସିଥିବା ଯୁବକ ଜଣକ ତାଙ୍କୁ ଚାପୁଡ଼ା ମାରିଥିଲେ ପରେ କାଳି ଫିଙ୍ଗିଥିଲେ । ଏହାପରେ କହ୍ନେୟାଙ୍କ ସମର୍ଥକମାନେ ତାଙ୍କୁ ଧକ୍କା ଦେଇଥିଲେ । ସେ କରତାର ନଗର ଅଞ୍ଚଳରେ ପ୍ରଚାର କରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ଏହି ସମୟରେ ଆମ୍ ଆଦମୀ ପାର୍ଟିର ମହିଳା କାଉନସିଲର ଛାୟା ଶର୍ମାଙ୍କୁ ମଧ୍ୟ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ସମୟରେ କହ୍ନେୟାଙ୍କ ଅନେକ ସମର୍ଥକ ଉପସ୍ଥିତ ଥିଲେ । ଯାହା ପରେ ଲୋକେ କାଳି ଫିଙ୍ଗୁଥିବା ବ୍ୟକ୍ତିଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ଆକ୍ରମଣ ପରେ କହ୍ନେୟା ନିଜେ କହିଥିଲେ ଯେ ‘କାଳି ଫିଙ୍ଗିବା କିଛି ବଡ଼ କଥା ନୁହେଁ’ । ଏହି ପୁରା ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଆମ୍ ଆଦମୀ ପାର୍ଟିର କାଉନସିଲର ଛାୟା ଶର୍ମା କହିଥିଲେ ଯେ କଂଗ୍ରେସ ନେତାଙ୍କ ବୈଠକ ହୋଇଥିଲା । ବୈଠକ ସରିବା ପରେ କହ୍ନେୟା କୁମାର ଓ ସମସ୍ତ ନେତା ବିଲ୍ଡିଂରୁ ବାହାରକୁ ଆସୁଥିବା ବେଳେ ୭ରୁ ୮ ଜଣ ସେଠାକୁ ଆସିଥିଲେ, ଯେଉଁଥିରୁ ଦୁଇ ଜଣଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିଲା । ଏହି ସମସ୍ତ ଲୋକ କୋଠା ଭିତରକୁ ପଶି କହ୍ନେୟା କୁମାରଙ୍କୁ ମାଲ୍ୟାର୍ପଣ କରିବା ବାହାନାରେ ଚାପୁଡ଼ା ମାରିଥିଲେ । ଜଣେ ବାଳକ ୩୦ରୁ ୪୦ ଜଣଙ୍କ ଉପରକୁ କଳା କାଳି ଫିଙ୍ଗିଥିଲେ । ଏହି ଘଟଣାକୁ ନେଇ କାଉନସିଲର ଛାୟା ଶର୍ମା ଲିଖିତ ଅଭିଯୋଗ କରିଥିଲେ । ତେବେ ଏହି ଆସନରେ ବିଜେପିର ପ୍ରାର୍ଥୀ ରହିଛନ୍ତି ମନୋଜ ତିୱାରୀ । ଏହି ଆକ୍ରମଣ ପରେ କହ୍ନେୟା କୁମାରଙ୍କ କାର୍ୟ୍ୟାଳୟରୁ ଏକ ଆନୁଷ୍ଠାନିକ ବୟାନ ସାମ୍ନାକୁ ଆସିଥିଲା । କହ୍ନେୟାଙ୍କୁ ଯେଉଁ ଭଳି ପ୍ରବଳ ସମର୍ଥନ ମିଳୁଛି ଏବଂ ପରାଜୟର ଭୟ ଏବେର ସାଂସଦ ମନୋଜ ତିୱାରୀଙ୍କୁ ନିରାଶ କରିଛି । ତାଙ୍କ ସାଥୀ ଗୁଣ୍ଡାମାନଙ୍କୁ ପଠାଇ କହ୍ନେୟାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ଅନୁମାନ କରାଯାଉଛି । ମେ’ ୨୫ତାରିଖରେ ହିଂସାର ଜବାବ ଲୋକେ ଭୋଟରେ ଦେବେ ବୋଲି ବିବୃତ୍ତିିରେ କୁହାଯାଇଥିଲା ।