36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶ୫୦%ରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ କେରଳ ଓ ମହାରାଷ୍ଟ୍ରରୁ

୫୦%ରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ କେରଳ ଓ ମହାରାଷ୍ଟ୍ରରୁ

ଥିରୁଅନନ୍ତପୁରମ: ଦେଶରେ ଚିହ୍ନଟ ହେଉଥିବା କରୋନା ମାମଲାର ୫୦%ରୁ ଅଧିକ ମାମଲା କେବଳ ମହାରାଷ୍ଟ୍ର ଓ କେରଳରୁ ଚିହ୍ନଟ ହେଉଛି । ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୯,୦୮୩ ଓ କେରଳରେ ୧୩,୭୭୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାର ୮୦% ନୂଆ ମାମଲା ଦେଶର ୯୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରରାଳୟର ସଂଯୁକ୍ତ ସଚିବ ଲଭ୍ ଅଗ୍ରୱାଲ୍ କହିଛନ୍ତି । ୬୬ ଜିଲ୍ଲାରେ ୮ ଜୁଲାଇକୁ ପଜିଟିଭିଟି ହାର ୧୦%ରୁ ଅଧିକ ଥିଲା । ଦୈନନ୍ଦିନ ନୂଆ ମାମଲା ହ୍ରାସ ପାଇଛି ବୋଲି ସେ କହିଛନ୍ତି । ଗତ ଏକ ସପ୍ତାହ ଧରି ପ୍ରତ୍ୟେକ ଦିନ ନୂଆ ମାମଲାରେ ୮% ହ୍ରାସ ଦେଖିବାକୁ ମିଳିଛି । ଦେଶରେ ସୁସ୍ଥ ହାର ମଧ୍ୟ ବଢ଼ିଛି । ଆଜି ସୁସ୍ଥ ହାର ୯୭.୨% ରହିଛି । ଦେଶ ଏବେ ମଧ୍ୟ କରୋନା ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ରହିଛି । ଅର୍ଥାତ୍ ଦେଶରୁ ଦ୍ୱିତୀୟ ଲହର ସମ୍ପୂର୍ଣ୍ଣ ରୂପେ ଯାଇନାହିଁ । ନିକଟରେ ବ୍ରିଟେନ୍‌, ବାଙ୍ଗଲାଦେଶ ଓ ରୁଷରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଦେଖାଯାଇଛି । ଆମକୁ ସାବଧାନ ରହିବା ଉଚିତ୍ ।

କୌଣସି ପ୍ରକାରର ଅସାବଧାନତା ତୃତୀୟ ଭୟଙ୍କର ହୋଇପାରେ ବୋଲି ସେ କହିଛନ୍ତି । ବଜାର, ହାଟ ତଥା ଟୁରିଷ୍ଟ ପ୍ଲେସ୍‌ରେ ଲୋକମାନେ କଟକଣାକୁ ମାନୁନାହାନ୍ତି ଓ କୋଭିଡ୍ ନିୟମକୁ ଅଣଦେଖା କରୁଛନ୍ତି । ତେଣୁ ସେହି ସମସ୍ତ ସ୍ଥାନରେ ଆଗାମୀ ସମୟରେ ବିପଦ ଦେଖାଯାଇପାରେ ବୋଲି ନିତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡାକ୍ତର ଭି କେ ପାଲ୍ କହିଛନ୍ତି । ଟୁରିଜିମ୍ ବଢ଼ିବା ଦରକାର, ଜୀବନ ଆଗକୁ ଯିବା ଦରକାର, କିନ୍ତୁ ଆମେ ଅବହେଳା କରିବା ଉଚିତ୍ ନୁହେଁ । ଆମେ କୋଭିଡ୍ ନିୟମକୁ ଅଣଦେଖା କଲେ ଭାଇରସ୍ ଜଣଙ୍କ ନିକଟରୁ ଅନ୍ୟ ଜଣକ ପାଖକୁ ପହଞ୍ଚିବା ପାଇଁ ଅଧିକ ସମୟ ନେବନାହିଁ ବୋଲି ସେ ସତର୍କ କରାଇଛନ୍ତି । ଗର୍ଭବତୀ ମହିଳାଙ୍କ ନିକଟରେ କୋଭିଡ୍ ସଂକ୍ରମଣର ଗମ୍ଭୀରତା ବଢ଼ିଯାଇଥାଏ । ଏଥିପାଇଁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ଜରୁରୀ । ଗର୍ଭବତୀ ମହିଳା କରୋନା ସଂକ୍ରମିତ ହେଲେ ଡେଲିଭରୀରେ ବିପଦ ବଢ଼ିଥାଏ ବୋଲି ସେ କହିଛନ୍ତି ।

ସମ୍ପ୍ରତି ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ୫୦ ହଜାରରୁ କମ୍ ରହୁଛି । ଆଜି ସମଗ୍ର ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୪୩,୩୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୯୧୧ ଜଣ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦେଶା ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୫୮,୭୨୭ ରହିଛି । ଅପରପକ୍ଷରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୪୪,୪୫୯ କୋଭିଡ୍ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କରୋନାରୁ ରିକଭରୀ ହାର ୯୭.୧୯% ରହିଛି । ସାପ୍ତାହିକ ପଜିଟିଭିଟି ହାର ୫%ରୁ କମ୍ ରହିଛି । ଠିକ୍ ସେହିପରି ଦୈନିକ ପଜିଟିଭିଟି ହାର ୨.୪୨% ରହିଛି ଯାହା ଗତ ୧୮ ଦିନ ଧରି କ୍ରମାଗତ ଭାବେ ୩%ରୁ କମ୍ ରେକର୍ଡ କରାଯାଇଛି । ଏଯାବତ୍ ଦେଶରେ ୪୨.୭୦ କୋଟି ଲୋକଙ୍କର କରୋନା ପରୀକ୍ଷା କରାଯାଇଥିବା ବେଳେ ୩୬.୮୯ କୋଟି ଲୋକଙ୍କର ଟିକାକରଣ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking