ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ପ୍ରତିମାସରେ ଭାରତ ସରକାରଙ୍କଠାରୁ ବିଭିନ୍ନ ପ୍ରକାରର ସାର ଯଥା: ୟୁରିଆ, ଡିଏପି (DAP), ଏସଏସପି (SSP), ଏମଓପି (MOP) ଏବଂ କମ୍ପ୍ଲେକ୍ସ ସାରର ଆବଣ୍ଟନ ପାଉଛନ୍ତି। ଆଜି ସୁଦ୍ଧା ରାଜ୍ୟକୁ ସାର ଯୋଗାଣ ସୁଚାରୁରୂପେ ଚାଲିଛି ଏବଂ ମଇ ୨୦୨୬ ଶେଷ ସୁଦ୍ଧା ଆବଣ୍ଟନ ତୁଳନାରେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ଅଛି। ଏହା ବ୍ୟତୀତ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ନିର୍ଦ୍ଦେଶରେ ସରକାର ସାରର ଉପଲବ୍ଧତା ଏବଂ ସୂଚାରୁ ରୂପେ ବିତରଣ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସାରର କଳାବଜାରୀ, ଅନାବଶ୍ୟକ ମହଜୁଦ ଏବଂ ବିଶେଷ କରି କୃଷି କାର୍ଯ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟରେ ୟୁରିଆର ଅପବ୍ୟବହାର ରୋକିବା ପାଇଁ ପଦକ୍ଷେପ ନିଆଯାଉଛି। କୃଷି ପାଇଁ ଉଦ୍ଦିଷ୍ଟ ୟୁରିଆକୁ ପ୍ଲାଇଉଡ୍, ଗୋ-ଖାଦ୍ୟ, ଡିଜେଲ ଏକଜଷ୍ଟ ଫ୍ଲୁଇଡ୍ (DEF), ରେଜିନ୍ ଶିଳ୍ପ ଆଦିରେ ବ୍ୟବହାର ନକରିବାକୁ ନିଶ୍ଚିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟରେ ସାରର ସଠିକ ଢଙ୍ଗରେ ଏବଂ ସମାନ ବିତରଣ ନିଶ୍ଚିତ କରିବା ପାଇଁ ବିଭାଗ ପକ୍ଷରୁ ନିମ୍ନଲିଖିତ ପଦକ୍ଷେପ ନିଆଯାଇଛି:
* *ମାର୍କଫେଡ୍ (MARKFED) କୁ ଯୋଗାଣ ଦାୟିତ୍ୱ :* ସାର ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ମୋଟ ସାରର ୬୦% ମାର୍କଫେଡ୍କୁ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଯାହାଫଳରେ ପ୍ୟାକ୍ସ (PACS) ଏବଂ ଲ୍ୟାମ୍ପସ (LAMPCS) ମାଧ୍ୟମରେ ସାର ଯୋଗାଣ ସୁନିଶ୍ଚିତ ହୋଇପାରିବ।
* *ହୋଲସେଲର ଭାବେ ପ୍ୟାକ୍ସ ଓ ଲ୍ୟାମ୍ପସ କାର୍ଯ୍ୟ କରିବ :* ବଡ଼ ଗୋଦାମ ଥିବା ପ୍ୟାକ୍ସ ଏବଂ ଲ୍ୟାମ୍ପସଗୁଡ଼ିକୁ ସାର ହୋଲସେଲର ଭାବେ କାର୍ଯ୍ୟ କରିବା ପାଇଁ ଚିହ୍ନଟ କରାଯାଇଛି।
* *ଗୁରୁତ୍ୱପୂର୍ଣ୍ଣ ବୈଠକ:* ମଧ୍ୟ-ପ୍ରାଚ୍ୟରେ ଚାଲିଥିବା ଅସ୍ଥିରତା ସମୟରେ ଓଡ଼ିଶାକୁ ସାର ଯୋଗାଣ ଅବ୍ୟାହତ ରଖିବା ପାଇଁ ମୁଖ୍ୟ ଶାସନ ସଚିବ ବିଭିନ୍ନ ସାର କମ୍ପାନୀର ପ୍ରତିନିଧିମାନଙ୍କ ସହ ବୈଠକ କରିଛନ୍ତି।
* *ନିୟମିତ ଅନୁଧ୍ୟାନ:* କୃଷି ବିଭାଗ ପକ୍ଷରୁ ଅଣ-ଚାଷ ଋତୁରେ ୟୁରିଆ ଏବଂ ଡିଏପି ବିକ୍ରିର ହଠାତ ବୃଦ୍ଧି ଉପରେ ନଜର ରଖିବା ସହ ଷ୍ଟକ୍ ଯାଞ୍ଚ ଏବଂ ଅଣ-କୃଷି କାର୍ଯ୍ୟରେ ସାରର ବ୍ୟବହାର ରୋକିବା ପାଇଁ ନିୟମିତ ପ୍ରବର୍ତ୍ତନ କାର୍ଯ୍ୟ କରାଯାଉଛି।
* *ଜିଲ୍ଲା ଓ ବ୍ଲକ ସ୍ତରୀୟ ସ୍କ୍ୱାଡ୍:* ଷ୍ଟକ୍ ଯାଞ୍ଚ, କଳାବଜାରୀ ଏବଂ ସାର ମହଜୁଦ ରୋକିବା ପାଇଁ ବ୍ଲକ ଏବଂ ଜିଲ୍ଲା ସ୍ତରୀୟ ସ୍କ୍ୱାଡ୍ ଗଠନ କରାଯାଇଛି।
* *ପ୍ରତ୍ୟକ୍ଷ ତତ୍ୱାବଧାନ ସମିତି:* ସାରର ଅପବ୍ୟବହାର ରୋକିବା ଏବଂ ସନ୍ତୁଳିତ ସାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଗ୍ରାମପଞ୍ଚାୟତ, ସବ-ଡିଭିଜନ ଏବଂ ଜିଲ୍ଲା ସ୍ତରରେ ‘ପ୍ରତ୍ୟକ୍ଷ ତତ୍ୱାବଧାନ ସମିତି’ ଗଠନ କରାଯାଇଛି। କୃଷି ବିଜ୍ଞାନ କେନ୍ଦ୍ର (KVK) ବୈଜ୍ଞାନିକମାନେ ମଧ୍ୟ ପଞ୍ଚାୟତସ୍ତରୀୟ ବୈଠକରେ ଚାଷୀଙ୍କୁ ସନ୍ତୁଳିତ ସାର ବ୍ୟବହାର ବିଷୟରେ ଶିକ୍ଷା ଦେଉଛନ୍ତି।
* *ସୀମାନ୍ତ ଜିଲ୍ଲା ଉପରେ ନଜର:* ପଡ଼ୋଶୀ ରାଜ୍ୟକୁ ସାରର ବେଆଇନ ଚୋରା ଚାଲାଣ ରୋକିବା ପାଇଁ ସମସ୍ତ ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
* *କୃଷି ରଥ:* ଅକ୍ଷୟ ତୃତୀୟାର ଶୁଭ ଅବସରରେ ରାସାୟନିକ ସାରର ବ୍ୟବହାର କମ କରିବା ଏବଂ ଜୈବିକ ଚାଷ ପ୍ରତି ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ‘କୃଷି ରଥ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
* *ଉଚ୍ଚସ୍ତରୀୟ ସମୀକ୍ଷା:* ଚାଷୀଙ୍କୁ ସହଜରେ ସାର ଉପଲବ୍ଧ କରାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ଏବଂ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ରାଜ୍ୟକୁ ପର୍ଯ୍ୟାପ୍ତ ଯୋଗାଣ ନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି।
*ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନର ବିବରଣୀ:*
ଡିଲର ପଏଣ୍ଟଗୁଡ଼ିକରେ କରାଯାଇଥିବା କଡ଼ା ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନର ବିବରଣୀ ନିମ୍ନରେ ଦିଆଗଲା:
ଆଜି ପର୍ଯ୍ୟନ୍ତ ୩୫୭୪ ଟି ଡିଲର ପଏଣ୍ଟ ଚଢ଼ାଉ, ୧୨୮୪ ଟି କୁ କାରଣ ଦର୍ଶାଅ ନୋଟିସ ଜାରି, ୩୧୨ ଦୋକାନକୁ ବିକ୍ରି ବନ୍ଦ ନୋଟିସ (Stop Sale) ଜାରି, ୧୦୧ ଙ୍କ ଲାଇସେନ୍ସ (LoA) ନିଲମ୍ବିତ, ୨୧ ଜଣଙ୍କ ଲାଇସେନ୍ସ (LoA) ରଦ୍ଦ, ୨ ଜଣଙ୍କ ସାମଗ୍ରୀ ଜବତ
ଜଣଙ୍କ ନାମରେ ଏଫ୍.ଆଇ.ଆର୍ (FIR) ଦାୟର କରାଯାଇଛି। ଏଥିସହିତ ରାଜ୍ୟରେ ସାର ଦର ବୃଦ୍ଧି ନେଇ କୌଣସି ପ୍ରକାର ଅପପ୍ରଚାରକୁ ନେଇ ଭୟଭୀତ ନ ହେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।










