ଭୁବନେଶ୍ୱର: ସଉତୁଣୀକୁ ସାବାଡ଼ କରିବାକୁ ଯାଇ ନିଜ ଝିଅ ଜ୍ୱାଇଁଙ୍କୁ ବ୍ୟବହାର କରି ଅପହରଣ କରିବା ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ଅପହରଣରେ ବ୍ୟବହୃତ କାର ଓ ମାରଣାସ୍ତ୍ର ଜବତ କରିଛି । ଏହି ମାମଲାରେ ପୁଲିସ ବଡ଼ଗଡ଼ ବ୍ରିଟ କଲୋନୀର ପ୍ରସାଦ ମହାପାତ୍ର ଓରଫ ବଣ୍ଟି (୨୯),ଅର୍ଚ୍ଚନା ପାତ୍ର (୪୯), ଅଲିଭା ପାତ୍ର (୨୪) ଓ ବଡ଼ଗଡ଼ ଥାନା ଅନ୍ତଗର୍ତ ମଇଁଷାଖାଲର ରାକେଶ ମଲ୍ଲିକ (୨୩)କୁ ଗିରଫ କରି କୋର୍ଟଚାଲାଣ କରିଛି? ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ଏକ କାର, ନଗଦ ୩୯ ହଜାର ୭ଶହ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛି । ସୂଚନା ଅନୁଯାୟୀ, ଚିନ୍ତାମଣିଶ୍ୱରରେ ରହୁଥିବା ଦିଲ୍ଲୀପ ପାତ୍ର ଦୁଇଟି ବିବାହ କରିଛନ୍ତି ।
ଦିଲ୍ଲୀପ ପେଶାରେ ଜଣେ ଠିକାଦାର ହୋଇଥିବା ବେଳେ ତାଙ୍କର ପ୍ରଥମ ପତ୍ନୀ ଅର୍ଚ୍ଚନା ଚିନ୍ତାମଣିଶ୍ୱରରେ ରହୁଥିବା ବେଳେ ଦ୍ୱିତୀୟ ପତ୍ନୀ ଅନିମା ଏୟାରପୋର୍ଟ ଥାନା ଅନ୍ତର୍ଗତ ଭୀମପୁର ଅଞ୍ଚଳରେ ରୁହନ୍ତି । ଦିଲ୍ଲୀପ ଦ୍ୱିତୀୟ ବିବାହ କରିବା ପରେ ତାଙ୍କର ପ୍ରଥମ ପତ୍ନୀ ଅର୍ଚ୍ଚନାଙ୍କ ସହ ଭଲ ପଡ଼ୁ ନ ଥିଲା । ଏପରିକି ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ମାମଲା କୋର୍ଟରେ ବିଚାରଧୀନ ରହିଛି । ଏପରିସ୍ଥଳେ ନିଜ ସଉତୁଣୀ ଉପରେ ପ୍ରତିଶୋଧ ପରାୟଣ ହୋଇ ଦିଲ୍ଲୀପଙ୍କ ପ୍ରଥମ ପତ୍ନୀ ଅର୍ଚ୍ଚନା ବୁଧବାର ନିଜର ଝିଅ ଅଲିଭା, ଜ୍ୱାଇଁ ପ୍ରସାଦଙ୍କୁ କାର ଯୋଗେ ସଉତୁଣୀ ଅନିମାଙ୍କ ଘରକୁ ପଠାଇଥିଲେ ।
ସେଠାରେ ଝିଅ ଜ୍ୱାଇଁ ପହଞ୍ଚି ପ୍ରବଳ ପାଟିତୁଣ୍ଡ କରିବା ସହ ଅନିମାଙ୍କ ମାଡ଼ ମାରିଥିଲେ । ଏପରିକି ଘରେ ଥିବା ସୁନା ଅଳଙ୍କାର ଲୁଟ କରିବା ସହ ଅନିମାଙ୍କ ମାଉସୀ ପୁଅ ଭାଇ ରଶ୍ମିଙ୍କୁ ଅପହରଣ କରି ନେଇଥିଲେ । ପରେ ଅଭିଯୁକ୍ତମାନେ ରଶ୍ମିଙ୍କୁ ବଡ଼ଗଡ଼ ସ୍ଥିତ ବୁଦ୍ଧପାର୍କରେ ଅପହରଣ କରି ଆଣି ପାର୍କର ୱାଚମ୍ୟାନ ରାକେଶ ରହୁଥିବା ଘରେ ବନ୍ଧକ ରଖିଥିଲେ । ଏନେଇ ଅନିମା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ମାମଲାର ତନାଘନା କରିବା ସହ ଅଭିଯୁକ୍ତ ଅର୍ଚ୍ଚନା, ତାଙ୍କ ଝିଅ ଅଲିଭା ଏବଂ ଜ୍ୱାଇଁ ପ୍ରସାଦଙ୍କୁ ଗିରଫ କରିବା ସହ ଏହି ଘଟଣାରେ ଅଭିଯୁକ୍ତ ତିନି ଜଣଙ୍କୁ ସହଯୋଗ କରିଥିବା ପାର୍କର ୱାଚମ୍ୟାନ ରାକେଶଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।