ଭୁବନେଶ୍ୱର: ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତ୍ ମହାପାତ୍ର ଗିରଫ ହୋଇଥିବାର ଖବର ମିଳିଛି। ବିଳମ୍ବିତ ରାତିରେ ସମ୍ବଲପୁର ବଂଶୀଧରନଗରସ୍ଥିତ ଘରୁ ସୌମ୍ୟଜିତକୁ ଉଠାଇଥିଲା କମିଶନରେଟ୍ ପୁଲିସ। ଆଉ କିଛି ସମୟ ପରେ ପୁଲିସ ସୌମ୍ୟଜିତକୁ ଭୁବନେଶ୍ବରରେ ଆଣି ପହଞ୍ଚିବ। ଗତବର୍ଷ ଶୈଳଶ୍ରୀବିହାରସ୍ଥିତ ଘରୁ ମିଳିଥିଲା ଶ୍ୱେତାଙ୍କ ଝୁଲନ୍ତା ମୃତ ଦେହ। ମୃତ୍ୟୁ ପାଇଁ ବୟଫ୍ରେଣ୍ଡକୁ ଦାୟୀ କରିଥିଲେ ଶ୍ୱେତାଙ୍କ ପରିବାର। ସୂଚନାଯୋଗ୍ୟ ଯେ, ସଫ୍ଟୱେର୍ ଇଂଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ପାଇଁ ତାଙ୍କର ବୟଫ୍ରେଣ୍ଡ ଦାୟୀ ବୋଲି ଗତବର୍ଷ ଚନ୍ଦ୍ରଶେଖରପୁର ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା। ଶ୍ବେତାଙ୍କ ବାପା ଓ ଦୁଇ ଭାଇ ବୟଫ୍ରେଣ୍ଡ ସୌମ୍ୟଜିତ୍ ମହାପାତ୍ର ନାଁରେ ଅଭିଯୋଗ କରିଥିଲେ। ସୌମ୍ୟଜିତ୍ ବିଭିନ୍ନ ସମୟରେ ଶ୍ବେତାଙ୍କୁ ବ୍ଲାକମେଲ୍ କରି ମାନସିକ ନିର୍ଯାତନା ଦେଉଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ। ଦୀର୍ଘ ଦିନ ଧରି ଲିଭ୍-ଇନ୍ ସମ୍ପର୍କରେ ରହିବା ପରେ ବାହାଘର ଭାଙ୍ଗିଯିବାରୁ ଶ୍ବେତା ଘୋର ମାନସିକ ଚାପରେ ଥିଲେ ଜଣାପଡ଼ିଥିଲା।