36.1 C
Bhubaneswar
Sunday, May 19, 2024
Homeତ୍ରିପୁରା ବିଧାନସଭା ନିର୍ବାଚନତ୍ରିପୁରା ବିଧାନସଭା ପାଇଁ ଆଜି ଭୋଟ୍

ତ୍ରିପୁରା ବିଧାନସଭା ପାଇଁ ଆଜି ଭୋଟ୍

ଅଗରତାଲା : ତ୍ରିପୁରା ବିଧାନସଭାର ମୋଟ ୬୦ଟି ଆସନ ପାଇଁ ଆଜି ଭୋଟଗ୍ରହଣ କରାଯାଉଛି । ଏଥର ନିର୍ବାଚନରେ କଂଗ୍ରେସ ଓ ବାମଦଳ ମେଣ୍ଟ କରିଥିବାବେଳେ ସେମାନଙ୍କର ଟକ୍କର କ୍ଷମତାଧୀନ ବିଜେପି ସହ ହେବ । ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମାଣିକ ଶାହା, କଂଗ୍ରେସର ହେଭିୱେଟ୍ ବିଧାୟକ ସୁଦୀପ ରାୟ ବର୍ମନ, କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମୀକ ଏବଂ ଜନପ୍ରିୟ ଆଦିବାସୀ ନେତା ଜିତେନ୍ଦ୍ର ଚୌଧୁରୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ମାଣିକ ଶାହା ୨୦୧୬ରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ । ୨୦୨୧ରେ ବିପ୍ଳବ ଦେବଙ୍କୁ ହଟାଇ ମାଣିକ ଶାହାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।

ସୁଦୀପ ରାୟ ବର୍ମନ ପାଞ୍ଚଥର ବିଧାୟକ ହୋଇଥିବାବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ୧୯୯୮ରୁ ସେ କ୍ରମାଗତଭାବେ ଅଗରତାଲା ଆସନରୁ କଂଗ୍ରେସ ପ୍ରାର୍ଥିଭାବେ ନିର୍ବାଚିତ ହୋଇଆସୁଛନ୍ତି । ପ୍ରତିମା ଭୌମିକ ଧାନପୁର ଆସନରୁ ଦୁଇଥର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କ ନିକଟରୁ ହାରିଯାଇଥିଲେ । ତେବେ ମାଣିକ ସରକାର ଏଥର ପ୍ରତିଦ୍ୱନ୍ଦ୍ୱିତା କରୁନଥିବାରୁ ପ୍ରତିମାଙ୍କ ବିଜୟ ଅପେକ୍ଷାକୃତ ନିଶ୍ଚିତ ଜଣାପଡୁଛି । ଯଦି ପ୍ରତିମା ବିଜୟୀ ହୁଅନ୍ତି ଏବଂ ବିଜେପି ପୁଣି କ୍ଷମତାକୁ ଆସେ, ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସେ ଅନ୍ୟତମ ଦାବିଦାର ହେବେ ବୋଲି କୁହାଯାଉଛି । ସିପିଏମ ନେତା ଜିତେନ୍ଦ୍ର ଚୌଧୁରୀ ପୂର୍ବରୁ ସାଂସଦ ରହିଥିବାବେଳେ ଜଣେ ଜନପ୍ରିୟ ଆଦିବାସୀ ନେତା । ଚଳିତ ନିର୍ବାଚନ ପାଇଁ ସିପିଏମ ତାଙ୍କୁ ମୁଖ୍ୟମନ୍ତ୍ରୀଭାବେ ଉପସ୍ଥାପନ କରିଛି ।

 ସୂଚନାଯୋଗ୍ୟ ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ସର୍ବାଧିକ ୩୬ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା । କଂଗ୍ରେସ ଗୋଟିଏ ହେଲେ ଆସନ ଦଖଲ କରିନଥିବାବେଳେ ସିପିଏମ୍‌କୁ ୧୬ ଏବଂ ଆଞ୍ଚଳିକ ଦଳ ଆଇପିଏଫ୍‌ଟି (ଇଣ୍ଡିପେଣ୍ଡେଣ୍ଟ ପିପୁଲ୍‌ସ ଫ୍ରଣ୍ଟ ଅଫ୍ ତ୍ରିପୁରାକୁ ୮ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ୨୦୧୮ ପୂର୍ବରୁ ବିଜେପି ତ୍ରିପୁରାରେ ଗୋଟିଏ ହେଲେ ବିଧାନସଭା ଆସନ ଅକ୍ତିଆର କରିପାରିନଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରିସ୍ମା ବଳରେ ଦଳ ୨୦୧୮ରେ ଏକକ ସଂଖ୍ୟାଗରିଷ୍ଠତା ସହ ସେଠାରେ ସରକାର ଗଢିବାରେ ସମର୍ଥ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking