ଭୁବନେଶ୍ୱର: ନବରଙ୍ଗପୁରରେ ପ୍ରାୟ ୮୦୦ ରୋଗୀ ତତ୍କାଳ ଚିକିତ୍ସା ସୁବିଧା ପାଇବା ଆରମ୍ଭ ହୋଇଛି । ଏଥିପାଇଁ ସୋମବାର ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା ଅଧୀନରେ ଏକ ଡାକ୍ତର ଟିମ୍ ନବରଙ୍ଗପୁର ଅଭିମୁଖେ ଯାତ୍ରା କରିଛନ୍ତି । ଏହା ସେବା କାର୍ଯ୍ୟକ୍ଷମ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିବା ସହିତ ୪ଟି ଜିଲ୍ଲାର ଗରିବ ଜନସାଧାରଣ ଲୋକେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।
ସୋମବାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସଚିବ ଶାଲିନୀ ପଣ୍ଡିତ ଗଣମାଧ୍ୟମକୁ କହିଛନ୍ତି ଯେ ଡିସେମ୍ବର ୨୦୨୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା’ର ଶୁଭାରମ୍ଭ କରିଥିଲେ । ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଭଳି ଚାରୋଟି ଜିଲ୍ଲାକୁ ଫୋକସ୍ କରାଯାଇଥିଲା । ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର, କଟକର ବଡ଼ ହସ୍ପିଟାଲକୁ ଆସିବାକୁ ପଡ଼ିବନି । ନିଜ ଅଞ୍ଚଳରେ ଜଟିଳ ରୋଗର ଚିକିତ୍ସା ଦେବା ପାଇଁ ଏହି ଅଭିନବ ଯୋଜନା ଆରମ୍ଭ ହୋଇଥିଲା । ସେମାନଙ୍କୁ ଜିଲ୍ଲା ଚିକିତ୍ସାଳୟରେ ହିଁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିଲା । ଏବେ ତାର ସୁଫଳ ଲୋକେ ପାଇବା ଆରମ୍ଭ କରିଛନ୍ତି । ଏହା ଜରିଆରେ ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ବି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳିବା ଆରମ୍ଭ କରିଛି ।