ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫିରୋଜାବାଦରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବଡ଼ ଭଉଣୀର ବିବାହ ଚାଲିଥିବା ବେଳେ ସାନ ଭଉଣୀ ଦୁଷ୍କର୍ମର ଶିକାର ହୋଇଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ବଡ଼ ଭଉଣୀଙ୍କ ବିବାହ ପାଇଁ ଏକ ମଣ୍ଡପର ଆୟୋଜନ କରାଯାଇଥିଲା । ବରଯାତ୍ରୀ ଆସି ଠିକ ସମୟରେ ମଣ୍ଡପରେ ପହଞ୍ଚି ଯାଇଥିଲେ । ବରଯାତ୍ରୀଙ୍କୁ କନ୍ୟାପକ୍ଷ ସ୍ୱାଗତ କରିବା ସହିତ ବିବାହ ପାଇଁ ଥିବା ରୀତିନୀତି ସବୁ ଆରମ୍ଭ କରି ଦେଇଥିଲେ । ଉଭୟପକ୍ଷ ବିବାହକୁ ନେଇ ବେଶ ଖୁସିରେ ମଜାମସ୍ତି କରୁଥିଲେ ।
ଏତିକି ବେଳେ କନ୍ୟାଙ୍କ ସାନ ଭଉଣୀ ମଣ୍ଡପରେ ଥିବା ଶୌଚାଳୟକୁ ଯାଇଥିଲେ । ବାଳିକାଙ୍କୁ ଏକା ଶୌଚାଳୟକୁ ଯାଉଥିବା ଦେଖି ସେହି ଗ୍ରାମର ଜଣେ ଯୁବକ ତାଙ୍କ ପଛରେ ଯାଇଥିଲା । ଆଉ ଭୟଭୀତ କରି ବାଳିକାଙ୍କ ସହିତ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ପରେ ଦୁଷ୍କର୍ମକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ବାଳିକାଙ୍କ ଅବସ୍ଥା ଦେଖି ପରିବାରଲୋକ ତାଙ୍କୁ ପଚାରିବାରୁ ସେ କହିଥିଲେ, ଗାଁର ଜଣେ ଯୁବକ ତାଙ୍କ ସହିତ ଦୁଷ୍କର୍ମ କରିଥିଲା ।
ଏହି ଘଟଣା ଶୁଣିବା ପରେ ହସଖୁସିରେ ଭରିଥିବା ଦୁଇପରିବାର କ’ଣ କରିବେ କିଛି ବୁଝି ପାରି ନଥିଲେ । ପରିବାରଲୋକ ବଡ଼ ଝିଅର ବିବାହ ଯଥାଶୀଘ୍ର ଶେଷ କରିବା ପରେ ପୁଲିସ ଥାନାରେ ଯାଇ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ତଦନ୍ତ ଆରମ୍ଭ କରିଛି । ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇ ଦେଇଛି । ଦୋଷୀକୁ ଖୁବଶୀଘ୍ର ଧରିବାକୁ ପୁଲିସ ଚେଷ୍ଟା କରୁଛି ବୋଲି କହିଛି ।