36.1 C
Bhubaneswar
Saturday, May 18, 2024
Homeଓଡିଶାକୋଟିଆ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀଙ୍କୁ...

କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ : ସିପିଆଇ

ଭୁବନେଶ୍ୱର : ଓଡ଼ିଶା-ଆନ୍ଧ୍ରର ସୀମାନ୍ତବର୍ତ୍ତୀ ଅଞ୍ଚଳ କୋଟିଆ ଗ୍ରାମପୁଞ୍ଜରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା, କେନ୍ଦ୍ର ସରକାରଙ୍କ ଉଦାସୀନତା ଓ ପ୍ରଶାସନର ଦାୟିତ୍ୱହୀନତା ଦାୟୀ ବୋଲି ସିପିଆଇ ରାଜ୍ୟ ପରିଷଦ ମତ ପ୍ରକାଶ କରିଛି । ପ୍ରକାଶଥାଉ କି ସିପିଆଇର ଏକ ପ୍ରତିନିଧି ଦଳ କୋଟିଆ ପରିଦର୍ଶନ କରି ରାଜ୍ୟ ପରିଷଦରେ ରିପୋର୍ଟ ଉପସ୍ଥାପିତ କରିଛନ୍ତି ।
ଗତକାଲି କ୍ଷୀରୋଦ ସିଂହଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟ ପରିଷଦର ବୈଠକ ପରେ ପ୍ରକାଶିତ ଏକ ପ୍ରେସ୍ ବିବୃତିରେ କୁହାଯାଇଛି– କୋଟିଆ ଗ୍ରାମପୁଞ୍ଜର ୨୧ଟି ଗାଁରେ ଆନ୍ଧ୍ରର ବେଆଇନ ହସ୍ତକ୍ଷେପ ଓ ଅନୁପ୍ରବେଶ ବିରୋଧରେ ଓଡ଼ିଶା ସରକାର ସୁପ୍ରିମ କୋର୍ଟରେ ମୋକଦ୍ଦମା କରିଥିଲେ । ମାନ୍ୟବର ସୁପ୍ରିମ କୋର୍ଟ ୨୦୦୬ ମାର୍ଚ୍ଚ ୩୦ ତାରିଖରେ ଏହା ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ହୋଇଥିବାରୁ ସୁପ୍ରିମ କୋର୍ଟର ବିଚାର ପରିସରଭୁକ୍ତ ନୁହେଁ; ପାର୍ଲାମେଣ୍ଟ ହିଁ ଏହାର ସମାଧାନ କରିପାରିବେ ବୋଲି ମତ ଦେଇ, ସେ ପର୍ଯ୍ୟନ୍ତ ଆନ୍ଧ୍ର ସରକାର ଏହି ଗ୍ରାମମାନଙ୍କରେ ହସ୍ତକ୍ଷେପ ନ କରିବା ପାଇଁ ସ୍ଥାୟୀ ରହିତାଦେଶ ଜାରି କରିଥିଲେ । ସେତେବେଳେ ଓଡ଼ିଶାରେ ବିଜେଡି-ବିଜେପି ସରକାର ଥିଲେ ସୁଦ୍ଧା ଫଳପ୍ରଦ ପଦକ୍ଷେପ ନିଆଗଲା ନାହିଁ । ଏହି ରହିତାଦେଶ ବଳରେ ସମ୍ପ୍ରତି ଏହି ଗ୍ରାମମାନଙ୍କରେ ଆନ୍ଧ୍ରର ବେଆଇନ ପଞ୍ଚାୟତ ନିର୍ବାଚନକୁ ରାଜ୍ୟ ସରକାର ବନ୍ଦ କରାଇ ନ ପାରି ଜଳକା ଭଳି ଚାହିଁ ରହିଲେ । ଏଣୁ ବର୍ତ୍ତମାନ ସୁପ୍ରିମ କୋର୍ଟରେ କେବଳ ଅଦାଲତ ଅବମାନନା ମୋକଦ୍ଦମା ଯଥେଷ୍ଟ ନୁହେଁ । ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାର ଏବଂ ଓଡ଼ିଶାର କେନ୍ଦ୍ରମନ୍ତ୍ରୀମାନେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ କରନ୍ତୁ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକ ସର୍ବଦଳୀୟ ପ୍ରତିନିଧିଦଳର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ ଏବଂ ରାଜ୍ୟ ସରକାର ସୀମାନ୍ତବର୍ତ୍ତୀ ଜିଲ୍ଲାମାନଙ୍କରେ ଦକ୍ଷ ଓଡ଼ିଆ ଅଫିସରମାନଙ୍କୁ ନିଯୁକ୍ତ କରିବା ସଙ୍ଗେ ସଙ୍ଗେ ସର୍ବଦଳୀୟ କମିଟି ଗଢ଼ି ପରିସ୍ଥିତିର ମୁକାବିଲା କରନ୍ତୁ ।
ସେହିପରି ମଣ୍ଡିମାନଙ୍କରେ ଚାଷୀଙ୍କ ଧାନ କିଣା ନ ହୋଇ ପଡ଼ିରହିଛି ଓ ଅନେକ ସ୍ଥାନରେ ଗଜା ହୋଇଗଲାଣି । ଅନେକସ୍ଥାନରେ ଟୋକନ ଥାଇ ମଧ୍ୟ ମଣ୍ଡିରେ ଧାନ ନେଉ ନାହାନ୍ତି ଏବଂ ଟୋକନର ମିଆଦ ପୁରିଗଲେ ଧାନ କିଣାଯାଉ ନାହିଁ । ଏସବୁ ଫଳରେ ଚାଷୀମାନେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ଏହାର ପ୍ରତିକାର ପାଇଁ କେନ୍ଦ୍ର ସରକାରଙ୍କ ଏଫସିଆଇ ଓଡ଼ିଶାରୁ ସବୁ ଚାଉଳ ନେଉ ଏବଂ ରାଜ୍ୟ ସରକାର ଚାଷୀଙ୍କଠାରୁ ସମସ୍ତ ଧାନ କିଣନ୍ତୁ ବୋଲି ଦାବି କରାଯାଇଛି ।
ପରିଷଦରେ ଗୃହୀତ ଅନ୍ୟଏକ ପ୍ରସ୍ତାବରେ ୩ଟି କଳା କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାନ୍ତରେ ଚାଲିଥିବା ଐତିହାସିକ କୃଷକ ଆନ୍ଦୋଳନକୁ ସମର୍ଥନ କରାଯିବା ସହିତ ଏପ୍ରିଲ ୨ରୁ ୯ ପର୍ଯ୍ୟନ୍ତ ପାର୍ଟିର ଗଣପାଣ୍ଠି ଅଭିଯାନ ଚଳାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଉକ୍ତ ବୈଠକରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକ ଓ ରାମକୃଷ୍ଣ ପଣ୍ଡା, ଜାତୀୟ ପରିଷଦ ସଭ୍ୟ ଅଭୟ ସାହୁ, ସହ ସମ୍ପାଦକ ପ୍ରଶାନ୍ତ ମିଶ୍ର ଓ ଅଶୋକ ଦାଶ ପ୍ରମୁଖ ବିଭିନ୍ନ ପ୍ରସ୍ତାବମାନ ଆଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking