ନୂଆଦିଲ୍ଲୀ: ଆଫଗାନିସ୍ତାନ ମାଟିରେ ପାକିସ୍ତାନର ସାମରିକ ବିମାନ ଆକ୍ରମଣ ପରେ ଦକ୍ଷିଣ-ମଧ୍ୟ ଏସିଆର ଭୂ-ରାଜନୈତିକ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି । ପାକିସ୍ତାନ ବାୟୁସେନା ଆଫଗାନିସ୍ତାନ ସୀମାନ୍ତ ଅଞ୍ଚଳରେ ଥିବା ସନ୍ଦିଗ୍ଧ ଆତଙ୍କବାଦୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିଥିବା ଦାବି କରିଛି । ତେବେ ଏହି ଆକ୍ରମଣରେ ସାଧାରଣ ନାଗରିକଙ୍କ ପ୍ରାଣହାନି ସହ ଘରଦ୍ୱାର ନଷ୍ଟ ହୋଇଥିବା ଆଫଗାନିସ୍ତାନ ଅଭିଯୋଗ କରିଛି ।ପାକିସ୍ତାନର ଏହି ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ରୁଷ ଅସନ୍ତୋଷ ପ୍ରକାଶ କରିଛି । ମସ୍କୋ କହିଛି, କୌଣସି ସାର୍ବଭୌମ ରାଷ୍ଟ୍ରର ସୀମା ଉଲ୍ଲଂଘନ କରି ସାମରିକ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ। ଏଥିସହ ଉଭୟ ପକ୍ଷକୁ ସଂଯମ ରକ୍ଷା କରିବାକୁ ରୁଷ ପରାମର୍ଶ ଦେଇଛି ।
ଅନ୍ୟପଟେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ ପରେ ତାଲିବାନ ସରକାରର ପ୍ରତିକ୍ରିୟା ମଧ୍ୟ ତୀବ୍ର ହୋଇଛି। ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ତାଲିବାନ ମୁଖପାତ୍ର ପକ୍ଷରୁ ଆକ୍ରମଣର ଜବାବ ଦିଆଯିବ ବୋଲି କୁହାଯାଇଛି । ଦେଶର ସ୍ୱାଧୀନତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ସେମାନେ ପ୍ରସ୍ତୁତ ଥିବା ଦାବି କରିଛନ୍ତି । ଏହାରି ଭିତରେ ଡୁରାଣ୍ଡ ଲାଇନ୍ ନିକଟବର୍ତ୍ତୀ ଅଞ୍ଚଳରେ ତାଲିବାନ ଯୋଦ୍ଧାଙ୍କୁ ହାଇଆଲର୍ଟରେ ରଖାଯାଇଥିବା ଜଣାପଡ଼ିଛି । ଫଳରେ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଆଗକୁ ଉତ୍ତେଜନା ବଢ଼ିବା ସହ ସଶସ୍ତ୍ର ସଂଘର୍ଷର ଆଶଙ୍କା ନେଇ ଚର୍ଚ୍ଚା ଜୋର ଧରିଛି ।










