ହାଇଦ୍ରାବାଦ: ଏଠାକାର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍ଠାରେ ସୋମବାର ଚଳିତ ଆଇପିଏଲ୍ର ଷୋଡ଼ଶ ସଂସ୍କରଣରେ ୩୪ତମ ମ୍ୟାଚ୍ ଖେଳାଯାଇଛି । ଏଥିରେ ଘରୋଇ ସନ୍ରାଇଜର୍ସ ହାଇଦ୍ରାବାଦ ସହ ଭ୍ରମଣକାରୀ ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା ହୋଇଥିବା ବେଳେ ଦିଲ୍ଲୀ ୭ ରନ୍ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୯ ୱିକେଟ୍ରେ ୧୪୪ ରନ୍ କରିଥିଲା । ଏହାର ଜବାବରେ ହାଇଦ୍ରାବାଦ ୬ ୱିକେଟ୍ ବିନିମୟରେ ୧୩୭ ରନ୍ କରିବା ଫଳରେ ଦିଲ୍ଲୀ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଦଳର ଅଲ୍ରାଉଣ୍ଡର୍ ଅକ୍ଷର ପଟେଲ୍ ୩୪ ରନ୍ କରିବା ସହ ୨ଟି ୱିକେଟ୍ ନେଇ ଦଳର ଏହି ବିଜୟରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି ।
ଓପନର ଫିଲ୍ ସଲ୍ଟ ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ଫଳରେ ଦିଲ୍ଲୀକୁ ପ୍ରାରମ୍ଭିକ ଝଟ୍କା ଲାଗିଥିଲା । ତେବେ ଅନ୍ୟତମ ଓପନର ତଥା ଅଧିନାୟକ ଡେଭିଡ୍ ୱାର୍ଣ୍ଣର୍ ଓ ମିଚେଲ୍ ମାର୍ଶଙ୍କ ମଧ୍ୟରେ ୩୮ ରନ୍ର ଭାଗୀଦାରୀ ହୋଇଥିଲା । ମାତ୍ର ୧୫ ବଲ୍ରେ ୫ଟି ଚୌକା ସହ ୨୫ ରନ୍ କରି ମାର୍ଶ ଆଉଟ୍ ହୋଇଥିଲେ । ତାଙ୍କ ପରେ ପରେ ୱାର୍ଣ୍ଣର୍ ୨୦ ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୨୧ ରନ୍ରେ ପ୍ୟାଭିଲିଅନ୍ ଫେରିଥିଲେ । ସର୍ଫରାଜ ଖାନ୍ ଗୋଟିଏ ଛକା ସହ ୧୦ ଓ ଅମନ୍ ହକୀମ୍ ଖାନ୍ ମାତ୍ର ୪ ରନ୍ କରି ଆଉଟ୍ ହେବା ଫଳରେ ଦିଲ୍ଲୀ ୬୨ ରନ୍ ମଧ୍ୟରେ ୫ଟି ୱିକେଟ୍ ହରାଇଥିଲା । ଏହି ସମୟରେ ମନୀଷ ପାଣ୍ଡେ ଓ ଅକ୍ଷରଙ୍କ ମଧ୍ୟରେ ଷଷ୍ଠ ୱିକେଟ୍ ପାଇଁ ୬୯ ରନ୍ର ଭାଗୀଦାରୀ ହେବା ଫଳରେ ଦିଲ୍ଲୀ ସମ୍ମାନଜନକ ସ୍ଥିତିରେ ପହଞ୍ଚିଥିଲା । ଏହି ଭାଗୀଦାରୀରେ ଅକ୍ଷର ୪ଟି ଚୌକା ସହ ୩୪ ରନ୍ର ଯୋଗଦାନ ଦେଇଥିଲେ । ସେହିପରି ପାଣ୍ଡେ ୨୭ ବଲ୍ ଖେଳି ୨ଟି ଚୌକା ସହ ୩୪ ରନ୍ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ୱାଶିଂଟନ୍ ସୁନ୍ଦର ୩ଟି, ଭୁବନେଶ୍ୱର କୁମାର ୨ଟି ଓ ଟି. ନଟରାଜନ୍ ଗୋଟିଏ ୱିକେଟ୍ ନେଇଥିଲେ ।
ବ୍ୟାଟିଂରେ ଦଳ ଓପନର ହ୍ୟାରୀ ବ୍ରୁକ୍ଙ୍କ ୱିକେଟ୍ ସ୍କୋର୍ ୩୧ ଥିବା ସମୟରେ ହରାଇଥିଲା । ବ୍ରୁକ୍ ମାତ୍ର ୭ ରନ୍ କରିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ଦ୍ୱିତୀୟ ୱିକେଟ୍ରେ ଅନ୍ୟତମ ଓପନର ମୟଙ୍କ ଅଗରୱାଲ୍ ସାଥୀ ବ୍ୟାଟ୍ସମ୍ୟାନ୍ ରାହୁଲ୍ ତ୍ରିପାଠୀଙ୍କ ସାଥୀରେ ୩୮ ରନ୍ ଯୋଡ଼ିବା ପରେ ବିଦାୟ ନେଇଥିଲେ । ସେ ୩୯ ବଲ୍ ଖେଳି ୭ଟି ଚୌକା ଜରିଆରେ ୪୯ ରନ୍ କରିଥିଲେ । ତ୍ରିପାଠୀ ୧୫, ଅଭିଷେକ ଶର୍ମା ୫ ଓ ଅଧିନାୟକ ଆଇଡେନ୍ ମାର୍କରାମ୍ ୩ ରନ୍ କରି ଆଉଟ୍ ହୋଇଥିଲେ । ଏଥିସହ ହାଇଦ୍ରାବାଦ ମାତ୍ର ୮୫ ରନ୍ ମଧ୍ୟରେ ୫ ଜଣ ବ୍ୟାଟ୍ସମ୍ୟାନ୍ଙ୍କୁ ହରାଇଥିଲା । ଷଷ୍ଠ ୱିକେଟ୍ରେ ହେନ୍ରିକ୍ କ୍ଲାସେନ୍ ଓ ସୁନ୍ଦରଙ୍କ ମଧ୍ୟରେ ୪୧ ରନ୍ର ଭାଗୀଦାରୀ ହୋଇଥିଲେ ହେଁ ଶେଷରେ ଦଳ ବିଜୟଠାରୁ ଦୂରରେ ରହିଯାଇଥିଲା । ଏଥିସହ ଦଳ ତା’ର ସପ୍ତମ ମ୍ୟାଚ୍ରେ ପଞ୍ଚମ ପରାଜୟ ବରଣ କରିଛି । କ୍ଲାସେନ୍ ମାତ୍ର ୧୯ ବଲ୍ରେ ୩ଟି ଚୌକା ଓ ଗୋଟିଏ ଛକା ସହ ୩୧ ଏବଂ ସୁନ୍ଦର ୧୫ ବଲ୍ରେ ୩ଟି ଚୌକା ଜରିଆରେ ଅପରାଜିତ ୨୪ ରନ୍ କରିଥିଲେ । ଦିଲ୍ଲୀ ପକ୍ଷରୁ ଅକ୍ଷରଙ୍କ ବ୍ୟତୀତ ଆନ୍ରିଚ୍ ନୋର୍ଜେ ୨ଟି ଏବଂ ଈଶାନ୍ତ ଶର୍ମା ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।