23.1 C
Bhubaneswar
Tuesday, March 19, 2024
Homeଖେଳଆଇଏସ୍‌ଏଲ୍‌-୭ : ଚେନ୍ନାୟିନ୍ ୨-୧ରେ ବିଜୟୀ

ଆଇଏସ୍‌ଏଲ୍‌-୭ : ଚେନ୍ନାୟିନ୍ ୨-୧ରେ ବିଜୟୀ

ଗୋଆ : ଚଳିତ ଆଇଏସ୍‌ଏଲ୍‌ରେ ଭାରତୀୟ ଖେଳାଳି ଗୋଲ୍ ଦେବା ସକାଶେ ପଞ୍ଚମ ମ୍ୟାଚ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଛି । ସୋମବାର ସୁଦ୍ଧା ୪ଟି ମ୍ୟାଚ୍ ଖେଳାଯାଇଥିଲେ ହେଁ ଏଥିରେ କେବଳ ବିଦେଶୀ ଖେଳାଳି ହିଁ ସ୍କୋର୍ କରିଥିଲେ । କିନ୍ତୁ ମଙ୍ଗଳବାର ରାତିରେ ଏଠାକାର ତିଲକ ମୈଦାନଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଅନିରୁଦ୍ଧ ଥାପ୍ପା ଗୋଲ୍ କରିଛନ୍ତି । ଫଳରେ ଚଳିତ ସଂସ୍କରଣରେ ସେ ପ୍ରଥମ ଭାରତୀୟ ଭାବେ ଗୋଲ୍ ସ୍କୋର୍ କରିବା ସହ ଦଳର ୨-୧ ଗୋଲର ବିଜୟରେ ମୁଖ୍ୟ ଭୂମିକା ନେଇଛନ୍ତି । ମ୍ୟାଚ୍ ଆରମ୍ଭ ହେବାର ପ୍ରଥମ ମିନିଟ୍‌ରେ ହିଁ ଥାପ୍ପା ଏହି ଗୋଲ୍‌ଟି ଦେଇ ଚେନ୍ନାୟିନ୍ ଏଫସିକୁ ୧-୦ରେ ଆଗୁଆ କରାଇଥିଲେ । ପରେ ୨୬ତମ ମିନିଟ୍‌ରେ ଇସମାଇଲ୍ ଗୋନସାଲଭେସ୍ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ୍ ଦେଇଥିଲେ । ପ୍ରତିପକ୍ଷ ଜାମସେଦପୁର ଏଫସି ପକ୍ଷରୁ ଗତ ବର୍ଷର ଗୋଲଡେନ୍ ବୁଟ୍ ବିଜେତା ନେରିଜସ୍ ଭାଲସ୍କିସ୍ ୩୭ତମ ମିନିଟ୍‌ରେ ଗୋଟିଏ ଗୋଲ୍ ଦେଇଥିଲେ । କିନ୍ତୁ ଏହା କେବଳ ଦଳର ପରାଜୟ ବ୍ୟବଧାନକୁ କମାଇପାରିଥିଲା । ମ୍ୟାଚ୍‌ର ତିନିଟିଯାକ ଗୋଲ୍ ପ୍ରଥମାର୍ଦ୍ଧ ଖେଳରେ ହୋଇଥିଲା । ଏଥିସହ ଗତ ସିଜନ୍‌ରେ ଚେନ୍ନାୟିନ୍‌ର କୋଚ୍ ଥିବା ଓୱେନ୍ କୋଲେ ଜାମସେଦପୁର ଟିମ୍‌ର ଅଭିଯାନ ପରାଜୟ ସହ ଆରମ୍ଭ କରିଛନ୍ତି ।

ପ୍ରଥମ ମିନିଟ୍ ଅର୍ଥାତ୍ ୫୨ ସେକେଣ୍ଡରେ ଥାପ୍ପା ସାଥୀ ଖେଳାଳି ରାଫେଲ୍ କ୍ରିଭେଲାରୋ ଓ ଗୋନସାଲଭେସ୍‌ଙ୍କ ଉଦ୍ୟମରେ ବଲ୍ ପାଇଥିଲେ । ଏହାକୁ ସେ ଗୋଲ୍‌ରେ ପରିଣତ କରି ମ୍ୟାଚ୍‌ରେ ପ୍ରାରମ୍ଭରୁ ହିଁ ରୋମାଞ୍ଚ ଭରିଦେଇଥିଲେ । ସପ୍ତମ ମିନିଟ୍‌ରେ ଜାମସେଦପୁରର ଇଂଲିଶ୍ ଡିଫେଣ୍ଡର୍ ପିଟର୍ ହାର୍ଟଲି ଗୋଲ୍ ଦେବାର ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ । ଫ୍ରିକିକ୍ ଶଟ୍‌କୁ ସେ ହେଡ୍ କରିଥିଲେ ହେଁ ତାହା ଗୋଲ୍ ପୋଷ୍ଟ୍ ବାହାରକୁ ଚାଲିଯାଇଥିଲା । ଦଶମ ମିନିଟ୍‌ରେ ଚେନ୍ନାୟିନ୍‌ର ଗୋନସାଲଭେସ୍ ପ୍ରତିପକ୍ଷ ଖେଳାଳି ଟିପି ରେହନିଶ୍‌ଙ୍କୁ ପରାସ୍ତ କରିଥିଲେ ହେଁ ବଲ୍‌କୁ ଗୋଲ୍‌ପୋଷ୍ଟ୍ ଭିତରେ ପ୍ରବେଶ କରାଇପାରି ନ ଥିଲେ । ୨୦ତମ ମିନିଟ୍‌ରେ ଏଲ. ଛାଙ୍ଗଟେ ଏକ ଗୋଲ୍ ସୁଯୋଗ ହାତଛଡ଼ା କରିଥିଲେ ହେଁ ୨୬ତମ ମିନିଟ୍‌ରେ ଗୋନସାଲଭେସ୍ ଚେନ୍ନାୟିନ୍ ଟିମ୍‌ର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ । ଏହାପରେ ହାର୍ଟଲି ଆହତ ହେବା ଫଳରେ ଚେନ୍ନାୟିନ୍ ରକ୍ଷଣ ବିଭାଗ ଦୁର୍ବଳ ହୋଇପଡ଼ିଥିଲା । ଏହାର ସୁଯୋଗ ନେଇ ଚାକିଚାନ୍ଦ ସିଂଙ୍କ କ୍ରସ୍ ପାସ୍‌କୁ ଭାଲସ୍କିସ୍ ହେଡର୍ ମାଧ୍ୟମରେ ଗୋଲପୋଷ୍ଟରେ ପ୍ରବେଶ କରାଇଥିଲେ । ଦ୍ୱିତୀୟାର୍ଦ୍ଧରେ ଉଭୟ ଟିମ୍ ମଧ୍ୟରେ ଭରପୂର ପ୍ରତିଯୋଗିତା ହୋଇଥିଲେ ମଧ୍ୟ କୌଣସି ଗୋଲ୍ ନ ହେବା ଫଳରେ ୨ ଥର ଚାମ୍ପିଅନ୍ ହୋଇଥିବା ଚେନ୍ନାୟିନ୍ ଜାମସେଦପୁର ବିପକ୍ଷରେ ତୃତୀୟ ବିଜୟ ହାସଲ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking