27.9 C
Bhubaneswar
Friday, April 17, 2026
Homeଓଡିଶାଦେଶ ଗଠନରେ ଯୁବପିଢ଼ିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ଉପବାଚସ୍ପତି

ଦେଶ ଗଠନରେ ଯୁବପିଢ଼ିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ଉପବାଚସ୍ପତି

ଭୁବନେଶ୍ୱର: ରାଷ୍ଟ୍ରର ଭାଗ୍ୟ ନିର୍ଦ୍ଧାରଣ, ଗଠନ ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଯୁବପିଢ଼ିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶୁକ୍ରବାର ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ ମତ ବ୍ୟକ୍ତ କରିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇନ୍ ମହାବିଦ୍ୟାଳୟ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌) ପକ୍ଷରୁ ଆୟୋଜିତ ଜାତୀୟ ସ୍ତରୀୟ ଯୁବ ସଂସଦ ‘ଲୋକ ସମ୍ବାଦ-୨୦୨୬’ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପବାଚସ୍ପତି ଶ୍ରୀ ଭୋଇ କହିଛନ୍ତି ଯେ ଯେଉଁ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ସୁଦୃଢ଼ ସେ ଦେଶ ଅଧିକ ପ୍ରଗତିଶୀଳ। ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ୪ଟି ପର୍ଯ୍ୟାୟରେ ଆଲୋଚନାଚକ୍ରର କାର୍ଯ୍ୟକ୍ରମ ରହିଥିବା ବେଳେ ଏହାର ପ୍ରସଙ୍ଗ ରହିଛି ‘ୱିଇ ଦ ୟୁଥ, ୱିଇ ଦ ରିପବ୍ଲିକ୍‌’। ଏହି କାର୍ଯ୍ୟକ୍ରମରେ ସର୍ବ ଭାରତୀୟ ରାଜନୈତିକ ପୃଷ୍ଠ ଭୂମିରେ ଲୋକସଭା ଓ ଓଡ଼ିଶା ବିଧାନସଭା ସମ୍ପର୍କରେ ଆଲୋଚନା ତଥା ବିଶ୍ୱର ରାଜନୈତିକ କ୍ଷେତ୍ରରେ ଆମେରିକା, ମିଡିଲ ଇଷ୍ଟ, ଚୀନ୍ ଓ ଋଷିଆକୁ ନେଇ ବିବାଦ ମଧ୍ୟରେ ଭାରତର ଭୂମିକା, ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍‌, ୨୦୨୫ ଏବଂ ଧାର୍ମିକ ଅନୁଷ୍ଠାନ ଗୁଡ଼ିକର ପରିଚାଳନା ଓ ସୁରକ୍ଷା ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିବେ।

କାର୍ଯ୍ୟକ୍ରମରେ ଶ୍ରୀ ଭୋଇ ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥାର ସମ୍ପର୍କରେ ଉଲ୍ଲେଖ କରି ଆଇନ୍ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ସେମାନେ ରାଜନୈତିକ ବ୍ୟବସ୍ଥା ସମ୍ପର୍କରେ ରୁଚି ରଖିବା ଉଚିତ୍ ଏବଂ କିଭଳି ଭାବରେ ସାଂସଦ ଓ ବିଧାୟକମାନେ ଲୋକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓ ଦେଶର ହିତ ପାଇଁ ସଂସଦ ଓ ବିଧାନସଭାରେ ସ୍ୱର ଉତୋଳନ କରୁଛନ୍ତି ସେ ସମ୍ପର୍କରେ ତଥ୍ୟ ରଖିବା ଉଚିତ୍‌। ଏହି ଯୁବ ସଂସଦ କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନେ ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିପାରିବେ ବୋଲି ଉପବାଚସ୍ପତି କହିଥିଲେ। ସେ ଆହୁରି ମଧ୍ୟ ବିଧାନସଭାର ପ୍ରକ୍ରିୟା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଦର୍ଶାଇ ଶ୍ରୀ ଭୋଇ କହିଥିଲେ ଯେ ନ୍ୟାୟିକ ବ୍ୟବସ୍ଥାରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବାର ସମସ୍ତ ପ୍ରଚେଷ୍ଟା ରହିବା ଉଚିତ୍‌।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ ଦଳର ଭୂମିକା ସମ୍ପର୍କରେ ଗୁରୁତ୍ୱାରୋପ କରିବା ସହ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲୋକମାନଙ୍କର ମଧ୍ୟ ଭାଗିଦାରୀ ରହିଛି ବୋଲି କହିଥିଲେ। ଛାତ୍ରଛାତ୍ରୀମାନଙ୍କୁ ରାଜନୀତି କ୍ଷେତ୍ରରେ ନିଜର ଭବିଷ୍ୟତ ଗଢ଼ିବା ନିମନ୍ତେ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ପରିପ୍ରେକ୍ଷୀରେ ନିଜ ବକ୍ତବ୍ୟରେ ଯୁବ ସଂସଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିବା ଉଚିତ୍ ବୋଲି କହିଥିଲେ। ଯୁବପିଢ଼ି ବଜେଟ ଓ ନୀତି ନିର୍ଦ୍ଧାରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅଧିକ ଜ୍ଞାନ ଆହରଣ କରିବା ନିମନ୍ତେ ସେ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏସ୍‌ଏନଆଇଏଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ ଆଜାଦ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଆସୋସିଏଟ ପ୍ରଫେସର ଡକ୍ଟର ଅମୃତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking