27.9 C
Bhubaneswar
Friday, April 17, 2026
Homeଓଡିଶାଟେଣ୍ଡର ଦୁର୍ନିତି ପ୍ରତିବାଦରେ ଗଣଶିକ୍ଷା ମନ୍ତ୍ରୀ, ଆଇଟି ମନ୍ତ୍ରୀ ଏବଂ ଆଇଟି ସଚିବଙ୍କ ସରକାରୀ ବାସଗୃହ...

ଟେଣ୍ଡର ଦୁର୍ନିତି ପ୍ରତିବାଦରେ ଗଣଶିକ୍ଷା ମନ୍ତ୍ରୀ, ଆଇଟି ମନ୍ତ୍ରୀ ଏବଂ ଆଇଟି ସଚିବଙ୍କ ସରକାରୀ ବାସଗୃହ ସମ୍ମୁଖରେ ବିକ୍ଷୋଭ କରିବ ଯୁବ କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଓକାକର ଟେଣ୍ଡର ପ୍ରକ୍ରିୟାକୁ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ରଞ୍ଜିତ ପାତ୍ର ତିରସ୍କାର କରିଛନ୍ତି । ଓକାକ ମାଧ୍ୟମରେ ଟେଣ୍ଡରକରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଆଇଟି ସଚିବ ବିଶାଳ କୁମାର ଦେବ, ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓଡ଼ିଶାର ରାଜସ୍ୱରୁ କୋଟି କୋଟି ଟଙ୍କା ହଡ଼ପ କରିବାପାଇଁ ଚକ୍ରନ୍ତ କରିଛନ୍ତି ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି । ୧୨୮ଟି ଆଦର୍ଶ ବିଦ୍ୟାଳୟରେ କମ୍ପ୍ୟୁଟର ଲ୍ୟାବ ପ୍ରତିଷ୍ଠା କରି ସେଥିରୁ ଅର୍ଥ ହରିଲୁଟ କରିବାପାଇଁ ଏକ ଠକ କମ୍ପାନୀ ଆଇଏନପି ଟେକ୍ନୋଲୋଜିସ ଲିମିଟେଡକୁ କାର୍ଯ୍ୟାଦେଶ ଦିଆଯିବାର ବ୍ୟବସ୍ଥା ସରିଛି । ଏହି କମ୍ପାନୀ ଏହି ଧଳାହାତି ମାନଙ୍କୁ ସନ୍ତୁଷ୍ଟ କରି କମ୍ପ୍ୟୁଟର ଲ୍ୟାବ ପ୍ରତିଷ୍ଠା କରିବ ଏବଂ ନିମ୍ନମାନର କାର୍ଯ୍ୟକରି ଏମାନଙ୍କ ଲାଞ୍ଚଦେବ । ଏହି କମ୍ପାନୀ ନାମରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ ମଧ୍ୟ ରହିଛି ।

ଏହି ପରିପ୍ରେକ୍ଷୀରେ ପୂର୍ବତନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଏବଂ ଭୁବନେଶ୍ୱର ଲୋକସଭାର କଂଗ୍ରେସ ପ୍ରାର୍ଥୀ ସୟଦ ୟାସିର ନୱାଜ କହିଛନ୍ତି ଯେ ୧୮.୨.୨୦୨୬ ରେ ଓକାକ ଆଦର୍ଶ ବିଦ୍ୟାଳୟ ସଂଗଠନର ସ୍କୁଲ ମାନଙ୍କରେ ୧୨୮ଟି କମ୍ପ୍ୟୁଟର ଲ୍ୟାବ ପ୍ରତିଷ୍ଠା ପାଇଁ ପ୍ରାୟ ୭୦ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ଏହି ଟେଣ୍ଡରକୁ ଏକ ଅସାଧୁ କମ୍ପାନୀ ଆଇଏନପି ଟେକ୍ନୋଲୋଜିସ ଲିମିଟେଡକୁ ଦେବାର ସମସ୍ତ ବ୍ୟବସ୍ଥା ସରିଛି । ଆଇଏନପି ୫ ବର୍ଷ କମ୍ପ୍ୟୁଟର ଲ୍ୟାବ ପାଇଁ ଯୋଗାଣ, ଉପକରଣ ପ୍ରତିସ୍ଥାପନ ଏବଂ କମ୍ପ୍ୟୁଟର ଲାବ୍ରୋଟୋରି ପରିଚାଳନା କାର୍ଯ୍ୟ କରିବେ ।
ଆଇଏନପି କମ୍ପାନୀ ନାମରେ ବିନା ଅନୁମତିରେ “ସବଜେକ୍ଟ ୱାର୍କସ” ବ୍ୟବହାର ଅଭିଯୋଗ ନେଇ ଦିଲ୍ଲୀ ହାଇକୋର୍ଟରେ ଥିନଭେଣ୍ଟ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ କେସ କରିଛନ୍ତି । ଅଭିଯୋଗକାରୀ କମ୍ପାନୀର ଇଂଜିନିୟରମାନେ ପରୀକ୍ଷା କରି ଦେଖିଛନ୍ତି ଯେ ଏଭଳି ଚୋରି କାର୍ଯ୍ୟ କରିଛି । ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏ ସମ୍ପର୍କରେ ଅବଗତ ଅଛନ୍ତି । ଏଣୁ ଆଇଏନପିର ଚୋରି ବାବଦରେ କେସ ଚାଲୁ ରହିଛି । ଅନ୍ୟପକ୍ଷରେ ଏହି ଆଇଏନପି କମ୍ପାନୀକୁ କାର୍ଯ୍ୟାଦେଶ ନଦେବା ପାଇଁ ୨୦୨୩ ମସିହାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ତତ୍‌କାଳନୀ ପ୍ରୋଜେକ୍ଟ ଡାଇରେକ୍ଟର ଓକାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପତ୍ର ସଂଖ୍ୟା ୨୦୧୬/ଓଏଭିଏସ ଏକ ପତ୍ର ଲେଖିଥିଲେ ଯେ ସ୍ମାର୍ଟକ୍ଲାସ, ଆଇସିଟି ଲ୍ୟାବ, ସିସିଟିଭି ନେଟୱାକିଂ ପ୍ରଭୃତି ପାଇଁ ଆଇଏନପିକୁ କାର୍ଯ୍ୟାଦେଶ ନଦେବା ପାଇଁ । ଏବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ୧୨୮ ଟି କମ୍ପ୍ୟୁଟର ଲ୍ୟାବ ପ୍ରତିଷ୍ଠ ପାଇଁ ସରକାରଙ୍କ ପକ୍ଷରୁ ଅସାଧୁ କମ୍ପାନୀ ଆଇଏନପି ଟେକ୍ନୋଲୋଜିସ ଲିମିଟେଡକୁ ବଛାଯାଇଥିବାର ଖବର ମିଳିଛି । ଅନ୍ୟପକ୍ଷରେ ଏହି କମ୍ପାନୀ ନାମରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ ମଧ୍ୟ ରହିଛି । ସୁତରାଂ ଆଇଟି ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ଆଇଟି ସଚିବଙ୍କ ଚକ୍ରାନ୍ତରେ ଆଦର୍ଶ ବିଦ୍ୟାଳୟ ସଂଗଠନର ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ୱାସଘାତକତା କରାଯାଉଛି, ନିମ୍ନ ମାନର କାର୍ଯ୍ୟପାଇଁ ଏକ ଅସାଧୁ କମ୍ପାନୀକୁ କାର୍ଯ୍ୟାଦେଶ ଦିଆଯାଉଛି ।

ଆମେ ପୂର୍ବରୁ ୫୩୭୦ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲରେ ଏଆଇ କ୍ଲାସରୁମ ପତ୍ରିଷ୍ଠା ପାଇଁ ଏକ ୫ବର୍ଷିଆ କାର୍ଯ୍ୟାଦେଶ ଏକ ଠକ କମ୍ପାନୀ ସେଲ୍‌କନ୍ ଇମ୍‌ଟେକ୍ସ ପ୍ରାଇଭେଟ ଲିମିଟେଡକୁ ଦିଆଯାଉଛି ବୋଲି ଅଭିଯୋଗ କରିଥିଲୁ । ଏଥିରେ ଓକାକ ପକ୍ଷରୁ ଟେଣ୍ଡର କରାଯାଇ ସରକାରଙ୍କର ୧୦୦୦ କୋଟି ଟଙ୍କା ବ୍ୟୟ ହେବାର ବ୍ୟବସ୍ଥା ସରିଛି । ଏହି ଷଡଯନ୍ତ୍ରରେ ଗଣ ଶିକ୍ଷାମନ୍ତ୍ରୀ, ଆଇଟି ମନ୍ତ୍ରୀ ଓ ସଚିବ ବିଶାଳ ଦେବଙ୍କର ଚକ୍ରାନ୍ତ ରହିଛି । ଏହି କମ୍ପାନୀ ନିଜର ଆର୍ଥିକସ୍ଥିତିକୁ ବଢ଼ାଚଢ଼ା କରି ଉପସ୍ଥାପନ କରିଛି । କମ୍ପାନୀ ନାମରେ ଠକେଇ, ଜାଲିଆ, ଆର୍ଥିକ ଅପରାଧ ଭୟସୃଷ୍ଟିକାରୀ, ଷଡଯନ୍ତ୍ରକାରୀ ପ୍ରଭୁତି ବିଭିନ୍ନ ମକ୍କଦ୍ଦମା ହାଇଦ୍ରାବାଦରେ ଚାଲିଛି । ଏଭଳି ଏକ ଠକ କମ୍ପାନୀକୁ କିଭଳି ଭାବରେ ଦାୟିତ୍ୱ ଦିଆଯିବ ତାହା ମଧ୍ୟ ଆଶ୍ଚର୍ଯ୍ୟଜନକ । ଟେଣ୍ଡରଟିକୁ ଦେଖି ଜଣାପଡୁଛି ଆଗରୁ ସବୁ ନିଷ୍କତ୍ତି ସରିଛି । ଏହା କେବଳ ଟେଣ୍ଡର ନୁହେଁ, ଏହା ଛାତ୍ରମାନଙ୍କର ଭବିଷ୍ୟତର ପ୍ରଶ୍ନ । ଓଡ଼ିଶାରେ ଏ.ଆଇ. କ୍ଷମତା ଯୁକ୍ତ ଡିଜିଟାଲ ଆସେସ୍‌ମେଣ୍ଟ ଭର୍ଚ୍ୟୁଆଲ କ୍ଲାସ୍ ରୁମ୍ କରିବା ଭଳିଆ ଭିତ୍ତିଭୂମି ଓଡ଼ିଶାର ସରକାରୀ ସ୍କୁଲର ନାହିଁ ।

ପ୍ରାୟ ୫୦ ହଜାର ସରକାରୀ ସ୍କୁଲରୁ ଅର୍ଦ୍ଧାଧିକ ସ୍କୁଲରେ ଶିକ୍ଷକ ମରୁଡି ପଡିଛି । ୨୦ ହଜାର ସରକାରୀ ସ୍କୁଲରେ ଡେସ୍କ, ବେଞ୍ଚ ନଥିବାରୁ ପିଲାମାନେ ତଳେ ବସୁଛନ୍ତି । ୧୫ ଶହ ସରକାରୀ ସ୍କୁଲରେ ବିଜୁଳି ସଂଯୋଗ ନାହିଁ । ୧୭୬୩ ସରକାରୀ ସ୍କୁଲରେ କୋଠା ବିପଦ ସଂକୁଳ ଅବସ୍ଥାରେ ଅଛି । କମ୍ପ୍ୟୁଟର ଶିକ୍ଷକ ନଥିବାରୁ ବହୁ ସ୍କୁଲରେ କମ୍ପ୍ୟୁଟର ଖତ ଖାଉଛି । ମାତ୍ର ୩୦ ପ୍ରତିଶତ ଶିକ୍ଷକଙ୍କର କମ୍ପ୍ୟୁଟର ଜ୍ଞାନ ଅଛି । ୩.୯ ପ୍ରତିଶତ ସରକାରୀ ସ୍କୁଲରେ ନିଜର ପିସିଏସ ବା ଡେସ୍କଟପ୍ ବ୍ୟବସ୍ଥା ରହିଛି । ୨୫.୭ ପ୍ରତିଶତ ଫଙ୍କସ୍‌ନାଲ ସ୍ମାଟ ରୁମ୍ ରହିଛି । ୨୯ ପ୍ରତିଶତ ସରକାରୀ ସ୍କୁଲ ମୋବାଇଲ ଫୋନ୍ ବ୍ୟବହାର କରି ଶିକ୍ଷାଦାନ କରୁଛନ୍ତି ।

ସୁତରାଂ ଭିତ୍ତିଭୂମି ନସଜାଡ଼ି ଦୁଇଟି ଠକ କମ୍ପାନୀ ଆଇଏନପି ଟେକ୍ନୋଲୋଜିସ ଲିମିଟେଡ ଓ ସେଲ୍‌କନ୍ ଇମ୍‌ଟେକ୍ସ ପ୍ରାଇଭେଟ ଲିମିଟେଡ ସହିତ ଭିତିର ବୁଝାମଣା କରି ଓକାକ ମାଧ୍ୟମରେ ଟେଣ୍ଡର କରାଇ ଆଇଟି ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ଆଇଟି ସଚିବ ଆଦର୍ଶ ବିଦ୍ୟାଳୟ ସଂଗଠନ ସ୍କୁଲରେ କମ୍ପ୍ୟୁଟର ଲ୍ୟାବ ଏବଂ ଓଡ଼ିଶାର ସରକାରୀ ଓ ଅନୁଦାନ ପ୍ରାପ୍ତ ସରକାରୀ ସ୍କୁଲରେ ଏଆଇ କ୍ଲାସରୁମ ନାମରେ ସରକାରୀ ଅର୍ଥକୁ ଆତ୍ମସାତ କରିବାପାଇଁ ଯେଉଁ ଷଡଯନ୍ତ୍ର କରିଛନ୍ତି ସେ ସମ୍ପର୍କରେ ଆମେ ସରକାରଙ୍କୁ ପ୍ରେସମିଟ ମାଧ୍ୟମରେ ସୂଚାଇଲେ ମଧ୍ୟ ସରକାର ଏ ସଂକ୍ରାନ୍ତରେ କୌଣସି ଉତ୍ତର ରଖିଲେ ନାହିଁ । ସୁତରାଂ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଏହି ଦୁର୍ନିତି ବିରୁଦ୍ଧରେ ଆସନ୍ତା ତା. ୨୦.୬.୨୦୨୬ ସୋମବାର ଦିନ ଦିବା ୧୧ ଘଂଟା ସମୟରେ ଆଇଟି ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ଆଇଟି ସଚିବ ବିଶାଳ ଦେବଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ କରାଯିବାପାଇଁ ସ୍ଥିର ହୋଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କେଦାର ଦଳେଇ, ଜାଭେଦ ଅକତର ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking