ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ବିଭିନ୍ନ ସ୍କୁଲର ଯୁବ ଭାରତୀୟଙ୍କ ଯୋଗଦାନ
ଶିକ୍ଷା ପରିଦର୍ଶନ କାର୍ଯ୍ୟକ୍ରମରେ ବିଧାନସଭାର କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହେଲେ
ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଭୁବନେଶ୍ୱର ଶାଖା ପକ୍ଷରୁ ଯୁବ ଭାରତୀୟଙ୍କୁ ଯୁବ ଭାରତୀୟ ସଂସଦ କାର୍ଯ୍ୟକ୍ରମ ଅଧିନରେ ଓଡ଼ିଶା ବିଧାନସଭାର କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରିବା ପାଇଁ ଶିକ୍ଷା ପରିଦର୍ଶନର ବ୍ୟବସ୍ଥା କରାଯାଇଥିଲା । ଏଥିରେ ୮ଟି ବିଦ୍ୟାଳୟର ନବମରୁ ଦ୍ୱାଦଶ ଶ୍ରେଣୀର ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ଯୋଗଦେଇ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ଓଡ଼ିଶା ବିଧାନସଭାର ଏକ ଗୌରବମୟ ଐତିହ୍ୟ ଓ ପରମ୍ପରା ରହିଛି । ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର । ଏହାର ଗରିମା ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ
କର୍ତ୍ତବ୍ୟ । ଛାତ୍ରଛାତ୍ରୀମାନେ ସେମାନଙ୍କର ପାଠ୍ୟକ୍ରମରେ ବିଧାନସଭା ଓ ସଂସଦର କାର୍ଯ୍ୟ, ଧାରା ଓ ପରିସର ସମ୍ପର୍କିତ ଜ୍ଞାନ ଆହରଣ କରୁଥିଲେ ମଧ୍ୟ ଏଭଳି ଶିକ୍ଷାବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନେ ବିଧାନସଭାର କାର୍ଯ୍ୟଧାରା ସମ୍ପର୍କରେ ବିଷଦ ଭାବେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିପାରିବେ ।
ଆଜିର ଛାତ୍ରଛାତ୍ରୀମାନେ ଆଗାମୀ ଦିନର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାମିଲ ହୋଇ ଦେଶ ଓ ଜାତି ଗଠନରେ ଅବଦାନ ରଖିବା ପାଇଁ ସ୍ୱତସ୍ପୁର୍ତ୍ତ ଭାବେ ଆଗେଇ ଆସିବା ଉଚିତ । ନିଜକୁ ଜଣେ ଜଣେ ସୁନାଗରିକ ଭାବେ ପରିବର୍ତ୍ତନ କରି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଆହୁରି ସମୃଦ୍ଧ ଓ ଗରୀୟାନ୍ କରିବା କ୍ଷେତ୍ରରେ ଯୋଗଦାନ ଦେବା ଉଚିତ । ତା’ହେଲେ ଯାଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହୋଇପାରିବ ।
ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବିଧାନସଭାର କାର୍ଯ୍ୟଧାରା ଓ କାର୍ଯ୍ୟକଳାପ ଓ ଏହାର ବ୍ୟାପକ ପରିସର ସମ୍ପର୍କରେ ଅବଗତ କରାଇଥିଲେ ।
ଏହି ଅବସରରେ ବିଧାନସଭାର ମୁଖ୍ୟ ନିରାପତ୍ତା ଅଧିକାରୀ ଶ୍ରୀ ଗୋପାଳ ଚନ୍ଦ୍ର ବେହେରା ଉପସ୍ଥିତ ଥିବାବେଳେ ବରିଷ୍ଠ ଗବେଷଣା ଅଧିକାରୀ ଶ୍ରୀ ପ୍ରଦୀପ କୁମାର କୁଲୁ, ଗବେଷଣା ଅଧିକାରୀ ଶ୍ରୀ ଜୟକୃଷ୍ଣ ପ୍ରଧାନ ଓ ଶ୍ରୀ ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ମଦର୍ସ ପବ୍ଲିକ୍ ସ୍କୁଲ, ଡିପିଏସ୍ କଳିଙ୍ଗ, ଓଡ଼ିଏମ୍ ପବ୍ଲିକ୍ ସ୍କୁଲ, ନୁ୍ୟ ଷ୍ଟୁ୍ୟଆର୍ଟ ସ୍କୁଲ, ନାଳନ୍ଦା ପବ୍ଲିକ୍ ସ୍କୁଲ, ଡିପିଏସ୍ ଢେଙ୍କାନାଳ, କେଟି ଗ୍ଲୋବାଲ ସ୍କୁଲ ଓ ଲୟୋଲା ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।










