ନୂଆଦିଲ୍ଲୀ: କାନ୍ନାଡାର ଟୋରଣ୍ଟୋରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ୮ଜଣ ଯୁବତୀ ଜଣେ ବୃଦ୍ଧଙ୍କୁ ଗୋଟିଏ ମଦ ବୋତଲ ପାଇଁ ହତ୍ୟା କରିଥିବା ଜଣାପଡ଼ିଛି । ମୃତ ବୃଦ୍ଧଙ୍କ ନାମ ଜଣାପଡ଼ି ନାହିଁ । କିନ୍ତୁ ମୃତକଙ୍କ ବୟସ ୫୯ବର୍ଷ ବୟସ ମଧ୍ୟରେ ହେବ ବୋଲି କୁହାଯାଉଛି ।
ସେହିପରି ହତ୍ୟାକାରୀ ଯୁବତୀଙ୍କ ମଧ୍ୟରୁ ତିନିଜଣଙ୍କ ବୟସ ୧୩ବର୍ଷ,ତିନିଜଣଙ୍କ ବୟସ ୧୪ବର୍ଷ ଓ ଅନ୍ୟ ଦୁଇଜଣଙ୍କ ବୟସ ୧୬ବର୍ଷ ବୋଲି ଜଣାପଡ଼ିଛି । ପୁଲିସ ପାଖରେ ଏହି ଖବର ପହଞ୍ଚିବା ମାତ୍ରେ ସେ ଯାଞ୍ଚ ଆରମ୍ଭ କରି ଦେଇଥିଲା ।
ଏହି ଘଟଣାରେ ସମ୍ପୃକ୍ତ ୮ଜଣ ଯୁବତୀଙ୍କୁ ପୁଲିସ ଗିରଫ କରିଥିଲା । ଗିରଫ ପରେ ଡିସେମ୍ବର ୨୯ ତାରିଖରେ ସେମାନଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୁଲିସ କହିଛି । କିନ୍ତୁ ଏହି ଘଟଣାକୁ ନେଇ ବିଶେଷ କିଛି ତଥ୍ୟା ପୁଲିସ ପ୍ରକାଶ କରି ନାହିଁ । ତେବେ କୁହାଯାଉଛି କି ଆଠଜଣ ଯୁବତୀ ସହରର ବିଭିନ୍ନ ସ୍ଥାନରୁ ଆସି ଏକ ଦଳ ଗଠନ କରିଥିଲେ । ସେମାନଙ୍କ ବାସ୍ତବରେ ଲକ୍ଷ୍ୟ କ’ଣ ଥିଲା, ତାହା ପୁଲିସ ଜାଣିବାକୁ ଖୋଲତାଡ କରୁଛି । ତେବେ ଏହି ଆଠଜଣ ଯୁବତୀଙ୍କ ଶିକାରରେ ଜଣେ ବୃଦ୍ଧ ପଡ଼ି ଯାଇଥିଲେ । ବୃଦ୍ଧ ଜଣକଙ୍କ ଠାରୁ ଯୁବତୀମାନେ ମଦ ବୋତଲ ଛଡ଼ାଇବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ଯୁବତୀମାନେ ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ହସ୍ପିଟାଲରେ ପହଞ୍ଚିଥିବା ବେଳେ ଡାକ୍ତର ସେଠାରେ ବୃଦ୍ଧଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।