19.1 C
Bhubaneswar
Sunday, November 24, 2024
Homeଓଡିଶାଫିକି-କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏମ୍‌ଓୟୁ, ମିଲେଟ୍‌ର ଉପକାରିତା ନେଇ ବର୍ଷସାରା କାର୍ଯ୍ୟକ୍ରମ

ଫିକି-କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏମ୍‌ଓୟୁ, ମିଲେଟ୍‌ର ଉପକାରିତା ନେଇ ବର୍ଷସାରା କାର୍ଯ୍ୟକ୍ରମ

ମେଟ୍ରୋସିଟିରେ ହେବ ମିଲେଟ୍ ଫୁଡ୍ ଫେଷ୍ଟିଭାଲ୍
ବିଶ୍ୱକପ୍ ହକି ସମୟରେ ପ୍ରଚାର ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର: ବିଶ୍ୱବ୍ୟାପୀ ମିଲେଟ୍‌କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ତରଫରୁ ୨୦୨୩ ବର୍ଷକୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବରେ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ମିଲେଟ୍ ମିଶନ ପକ୍ଷରୁ କ୍ଷୁଦ୍ରଶସ୍ୟ ଭାବେ ମିଲେଟର ଗୁରୁତ୍ୱ ଏବଂ ଉପକାରିତା ସମ୍ପର୍କରେ ପ୍ରଚାରପ୍ରସାର ପାଇଁ ବର୍ଷସାରା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର କରାଯାଇଛି । କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (ଫିକି)ର ସହଭାଗିତାରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମ କରାଯିବ ।

କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଏବଂ ଫିକିର ଆସିଷ୍ଟାଣ୍ଟ ସେକ୍ରେଟାରୀ ଜେନେରାଲ ମୌସୁମୀ ଘୋଷ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ମିଲେଟ୍‌କୁ ଘରେ ଘରେ ଆଦୃତ କରାଇବା ସହିତ ଏହାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ଷସାରା ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ପାଳନ କରିବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବାବେଳେ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ନିୟମିତ ସମୀକ୍ଷା କରାଯିବ । ବୁଝାମଣାପତ୍ର ଅନୁଯାୟୀ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏବଂ ଫିକିର ସହଭାଗିତାରେ ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ହେବ । ଫିକି ଓ ଓଡ଼ିଶା ସରକାର ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବେ । କୃଷି ବିଭାଗ ନିୟମିତ ଭାବେ କାର୍ଯ୍ୟକ୍ରମଗୁଡ଼ିକ ସମୀକ୍ଷା ଓ ତଦାରଖ ସହିତ ଏଥି ନିମନ୍ତେ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବ । ମିଲେଟର ପ୍ରଚାରପ୍ରସାର ଦିଗରେ ଜନସଂପର୍କ ସଂସ୍ଥା, ଡିଜାଇନର ପାର୍ଟନର, ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ, ନଲେଜ ପାର୍ଟନର, ଗବେଷଣା ଆଦିରେ ଫିକି ସହଭାଗିତା ଯୋଗାଇଦେବ ।

ମିଲେଟ୍‌ର ପ୍ରଚାର ପାଇଁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତି, ସାମାଜିକ ଗଣମାଧ୍ୟମରେ ପ୍ରଚାର ଆଦି କାର୍ଯ୍ୟ ସହିତ ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଅହମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଆଦି ସହରରେ ମିଲେଟ୍ ଫୁଡ୍ ଫେଷ୍ଟିଭାଲ୍ ଆଦିର ଆୟୋଜନ କରାଯିବ । ବିଭିନ୍ନ ଏଫ୍‌ଏମ୍‌ସିଜି କମ୍ପାନୀମାନଙ୍କୁ ମିଲେଟ୍ ଜାତୀୟ ଖାଦ୍ୟକୁ ମୂଲ୍ୟଯୁକ୍ତ କରିବା ପାଇଁ ପୁଂଜିନିବେଶ ଦିଗରେ ଆଲୋଚନା ହେବ । ସହରାଞ୍ଚଳରେ ମିଲେଟ୍‌ର ବ୍ୟାପକ ପ୍ରଚାର ଓ ଜନସଚେତନତା ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ମିଡିଆରେ ବିଶେଷଜ୍ଞମାନଙ୍କ ଦ୍ୱାରା କାର୍ଯ୍ୟକ୍ରମର ଆୟୋଜନ କରାଯିବ । ମିଲେଟ୍ ଜାତୀୟ ଖାଦ୍ୟର ପ୍ରଚାର ଦିଗରେ ଖାଦ୍ୟ ପ୍ରସ୍ତୁତି ନେଇ ବିଭିନ୍ନ ରୋଷେଇ କାର୍ଯ୍ୟକ୍ରମ ଓ ରୋଷେଇ ପ୍ରତିଯୋଗିତା ଟିଭି ଚ୍ୟାନେଲ ଏବଂ ହୋଟେଲ୍ ଆସୋସିଏସନ୍ ଦ୍ୱାରା ଆୟୋଜନ କରାଯିବ । କାର୍ଯ୍ୟକ୍ରମର ଡକ୍ୟୁମେଣ୍ଟେସନ୍ କରାଯିବା ସହିତ ଓଡ଼ିଶା ମିଲେଟ୍ ମିଶନ ସମ୍ପର୍କରେ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯିବ । ଫାଉଣ୍ଡେସନ୍ ବୁକ୍ ଅନ୍ ମିଲେଟ୍‌ସ୍‌ର ଅନ୍ତର୍ଜାତୀୟ ପ୍ରକାଶନ ମଧ୍ୟ କରାଯିବ । ଏଥି ସହିତ ଇଣ୍ଟରନ୍ୟାସନାଲ୍ କନ୍‌ଭେନ୍‌ସନ୍ ଅନ୍ ମିଲେଟ୍‌ର ଆୟୋଜନ ନିମନ୍ତେ ମଧ୍ୟ ଫିକି ଆବଶ୍ୟକ ସହଯୋଗ ଯୋଗାଇଦେବ ।

ଭୁବନେଶ୍ୱର ଓ ରାଉରକେଲାଠାରେ ପୁରୁଷ ବିଶ୍ୱକପ୍ ହକି ପ୍ରତିଯୋଗିତା ସମୟରେ ମିଲେଟ୍ ସମ୍ପର୍କିତ ଭିଡିଓ ପ୍ରଦର୍ଶନ କରାଯିବା ସହିତ ଖେଳାଳି ଓ ଅତିଥିମାନଙ୍କୁ ମିଲେଟ୍ ସମ୍ବନ୍ଧୀୟ ସ୍ମରଣିକା, ବ୍ୟାଗ୍ ଓ ପୁଷ୍ପଗୁଚ୍ଛ ଆଦି ପ୍ରଦାନ କରାଯିବ । ଖେଳାଳିମାନଙ୍କ ଖାଦ୍ୟ ତାଲିକାରେ ଯେପରି ମିଲେଟ୍‌ରୁ ପ୍ରସ୍ତୁତ ଖାଦ୍ୟ ସ୍ଥାନ ପାଇବ, ସେଥିପ୍ରତି ହୋଟେଲଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରାଯିବ । କାର୍ଯ୍ୟକ୍ରମ ଅବସରରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ଶାସନ ସଚିବ ସଂଜୀବ କୁମାର ଚଢ଼ାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଫିକିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking