ନୂଆଦିଲ୍ଲୀ: ତିହାର ଜେଲ୍ରେ ବନ୍ଦୀଥିବା ଜମ୍ମୁ-କଶ୍ମୀରର ବିଚ୍ଛିନତାବାଦୀ ନେତା ୟାସିନ୍ ମଲିକ୍ ଶୁକ୍ରବାରଠାରୁ ଆମରଣ ଅନଶନ ଆରମ୍ଭ କରିଛି । ତା’ ମାମଲାର ଠିକ୍ ଭାବେ ତଦନ୍ତ କରାଯାଉନଥିବା ଅଭିଯୋଗ କରି ସେ ଏହି ନିଷ୍ପତ୍ତି ନେଇଛି । ଆସିନ୍ ମଲିକ୍କୁ ଏନ୍ଆଇଏ କୋର୍ଟ ଦୁଇଟି ମାମଲାରେ ଆଜୀବନ କାରାଦଣ୍ଡ ଶୁଣାଇଛି । ତା ବିରୋଧରେ ୟୁପିଏ ଏବଂ ଆଇପିସିର ଅନ୍ୟ ଧାରା ମାମଲା ରୁଜୁ କରାଯାଇଥିଲା । ଜେଲ୍ର ବରିଷ୍ଠ ଅଧିକାରୀମାନେ ଇଣ୍ଡିଆନ୍ ଏକ୍ସପ୍ରେସ୍କୁ କହିଛନ୍ତି, ଶୁକ୍ରବାର ୟାସିନ୍ ମଲିକ୍ ଖାଦ୍ୟ ଗ୍ରହଣ କରିବାକୁ ମନା କରିବା ସହ ଅନିଶ୍ଚିତ କାଳ ପାଇଁ ଆମରଣ ଅନଶନ ଆରମ୍ଭ କରିଥିଲା । ଟେରର୍ ଫଣ୍ଡିଂ ମାମଲାରେ ଏନ୍ଆଇଏ ଜମ୍ମୁ-କଶ୍ମୀର ଲିବରେସନ୍ ଫ୍ରଣ୍ଟ୍ ପ୍ରମୁଖ ମଲିକ୍କୁ ୨୦୧୯ରେ ଗିରଫ କରିଥିଲା । କଶ୍ମୀର ବିଚ୍ଛିନ୍ନବାଦୀଙ୍କୁ ପାକିସ୍ତାନରୁ ଅର୍ଥ ମିଳୁଛି ବୋଲି ୨୦୧୭ରେ ଏହି ମାମଲା ହାତକୁ ନେଇଥିବା ଏନ୍ଆଇଏ ଏଫ୍ଆଇଆର୍ରେ ଦର୍ଶାଇଥିଲା । ଲସ୍କର-ଏ-ତୋଏବାର ହାଫିଜ୍ ସୟିଦ୍ ଏବଂ ହିଜ୍ବୁଲ୍ ମୁଜାହିଦ୍ଦିନ୍ର ସୈୟଦ୍ ସଲ୍ଲାଉଦ୍ଦିନ୍ ପକ୍ଷରୁ ଘାଟିରେ ଅଗ୍ନିକାଣ୍ଡ, ଟେକାପଥର ମାଡ଼, ହରତାଳ ଏବଂ ବିରୋଧ ପ୍ରଦର୍ଶନ ମାଧ୍ୟମରେ ଅଶାନ୍ତି ବଜାୟ ରଖିବା ପାଇଁ ଏହି ଅର୍ଥ ଯୋଗାଇ ଦିଆଯାଉଛି । ଏହି ମାମଲାରେ ଏନ୍ଆଇଏ ୟାସିନ୍ ମଲିକ୍ ବ୍ୟତୀତ ଦଖ୍ତରାନ୍-ଏ- ମିଲତ୍ର ଆସିୟା ଅନ୍ଦ୍ରାବୀ ଏବଂ ଜମ୍ମ-କଶ୍ମୀର ଡେମୋକ୍ରାଟିକ୍ ଫ୍ରିଡମ୍ ପାର୍ଟିର ଶବୀର ଶାହଙ୍କୁ ମଧ୍ୟ ଗିରଫ କରିଥିଲା ।
ୟାସିନ୍ ମଲିକ୍ର ଏହି ଆମରଣ ଅନଶନକୁ ନେଇ ପାକିସ୍ତାନରେ ପ୍ରତିକ୍ରିୟା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଶାହବାଜ୍ ନୱାଜ୍ ସରିଫ୍ ଏକ ଟ୍ୱିଟ୍କରି ‘ହୁରିୟତ୍ ନେତା ୟାସିନ୍ ମଲିକ୍ର ଲଗାତାର ଉତ୍ପୀଡ଼ନ କଶ୍ମୀରବାସୀଙ୍କୁ ତାଙ୍କର ପ୍ରତିନିଧିତ୍ୱ କରୁଥିବା ସ୍ୱରରୁ ବଞ୍ଚିତ କରାଯିବାର ଏକ ଅଂଶବିଶେଷ । ମିଥ୍ୟା ମାମଲା ସହ ଜାଲ୍ ମୋକଦ୍ଦମା ଏବଂ ଦଣ୍ଡ ମାଧ୍ୟମରେ ଭାରତ ଯେପରି ରାଜନୈତିକ କର୍ମକର୍ତ୍ତାଙ୍କ ମାନବାଧିକାରର ଉଲ୍ଲଂଘନ କରୁଛି ସେଥିରୁ ଅଧିକାରର ରକ୍ଷା କରିବା ନିମନ୍ତେ ସତର୍କ ରହିବାକୁ ହେବ’ ବୋଲି ଲେଖିଛନ୍ତି ।