36.1 C
Bhubaneswar
Saturday, May 18, 2024
Homeଓଡିଶା‘ୟାଶ’ କ୍ଷୟକ୍ଷତି ଆକଳନ, ଆଜି ଆସିବେ କେନ୍ଦ୍ରୀୟ ଟିମ୍

‘ୟାଶ’ କ୍ଷୟକ୍ଷତି ଆକଳନ, ଆଜି ଆସିବେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର : ବାତ୍ୟା ‘ୟାଶ’ ଦ୍ୱାରା ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ରବିବାର ୭ ଜଣିଆ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସୁଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁନୀଲ ବନୱଲଙ୍କ ନେତୃତ୍ୱରେ ଆସୁଥିବା ଏହି କେନ୍ଦ୍ରୀୟ ଟିମ୍ ରାଜ୍ୟର ୪ଟି ବାତ୍ୟା ପ୍ରଭାବିତ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ମୟୂରଭଞ୍ଜ ଗସ୍ତକରି ସବିଶେଷ କ୍ଷୟକ୍ଷତିର ଆକଳନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ୭ ଜଣିଆ ଟିମ୍‌ର ଦୁଇ ଜଣ ସଦସ୍ୟ ଶନିବାର ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ରବିବାର ରାତି ୯ଟାରେ ଶ୍ରୀ ବନୱଲ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ସୋମବାର ଏବଂ ମଙ୍ଗବାର ଦୁଇ ଦିନ ଧରି କେନ୍ଦ୍ରୀୟ ଟିମ୍ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ବାତ୍ୟାଞ୍ଚଳ ପରିଦର୍ଶନରେ ଯିବେ । କ୍ଷୟକ୍ଷତି ଆକଳନ କରି ଫେରିବା ପରେ ମଙ୍ଗଳବାର ଅପରାହ୍ନରେ କେନ୍ଦ୍ରୀୟ ଟିମ୍ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିବା ନେଇ ସ୍ଥିର ହୋଇଛି ।

ସୂଚନାଯୋଗ୍ୟ, ବାତ୍ୟା ପରେ ଗତ ମେ’ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରି ଯାଇଥିଲେ । ଏହି ଅବସରରେ ସେ ରାଜ୍ୟପାଇଁ ୫୦୦ କୋଟିର ସହାୟତା ରାଶି ଘୋଷଣା କରିବା ସହ ଖୁବଶୀଘ୍ର କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସିବେ ବୋଲି କହିଯାଇଥିଲେ । ଇତିମଧ୍ୟରେ ରାଜ୍ୟ ସରକାର ମଧ୍ୟ କ୍ଷୟକ୍ଷତିର ଆକଳନ କରିସାରିଛନ୍ତି । ରାଜ୍ୟରେ ୟଶ୍ କାରଣରୁ ମୋଟ ୬୧୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ତନ୍ମଧ୍ୟରେ ୫୨୦ କୋଟି ଟଙ୍କାର ସରକାରୀ ସମ୍ପତ୍ତି ଏବଂ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି ରହିଛି । ୧୫୦ଟି ଗ୍ରାମ ଜଳମଗ୍ନ ହୋଇଥିବା ବେଳେ ୧୧ ହଜାର ଗ୍ରାମର ୬୦ ଲକ୍ଷ ଲୋକ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ରାଜ୍ୟ ସରକାର ରିପୋର୍ଟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking