ନୂଆଦିଲ୍ଲୀ: ଗତ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତର ଯୁବ ବ୍ୟାଡ୍ମିଣ୍ଟନ୍ ତାରକା ଲକ୍ଷ୍ୟ ସେନ୍ ମଙ୍ଗଳବାର ଘୋଷିତ ବିଡବ୍ଲ୍ୟୁଏଫ୍ ର୍ୟାଙ୍କିଙ୍ଗ୍ରେ କ୍ୟାରିୟର୍ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି । ସେ ପୁରୁଷ ସିଙ୍ଗଲ୍ସ ୱାର୍ଲ୍ଡ ର୍ୟାଙ୍କିଙ୍ଗ୍ରେ ଅଷ୍ଟମ ସ୍ଥାନରେ ରହିଛନ୍ତି । ୨୦୨୧ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ରେ ବ୍ରୋଞ୍ଜ୍ ପଦକ ଜିତିଥିବା ୨୧ ବର୍ଷୀୟ ଲକ୍ଷ୍ୟ ଚଳିତ ସିଜନ୍ରେ ଚିତ୍ତାକର୍ଷକ ଫର୍ମ ପ୍ରଦର୍ଶନ କରିଛନ୍ତି । ଇଣ୍ଡିଆ ଓପନ୍ରେ ସ୍ୱର୍ଣ୍ଣପଦକ ବିଜୟ ସହ ସିଜନ୍ ଆରମ୍ଭ କରିଥିବା ଲକ୍ଷ୍ୟ ଅଲ୍ ଇଂଲଣ୍ଡ ଓପନ୍ ଚାମ୍ପିଅନ୍ଶିପ୍ ଓ ଜର୍ମାନ୍ ଓପନ୍ରେ ରନର୍ସଅପ୍ ହୋଇଛନ୍ତି । ଆହୁରି ଭାରତ ଦୀର୍ଘ ୭୩ ବର୍ଷର ବ୍ୟବଧାନ ପରେ ଥୋମାସ୍ କପ୍ରେ ଐତିହାସିକ ସ୍ୱର୍ଣ୍ଣପଦକ ହାସଲରେ ମଧ୍ୟ ଲକ୍ଷ୍ୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।
ସେହିପରି ପୁରୁଷ ଡବଲ୍ସ ଯୋଡ଼ି ଏମ୍ଆର୍ ଅର୍ଜୁନ-ଧ୍ରୁବ କପିଲା ଦୁଇଟି ସ୍ଥାନରେ ଉନ୍ନତି ଘଟାଇ କ୍ୟାରିୟର୍ରେ ପ୍ରଥମ ଥର ପାଇଁ ୨୧ତମ ସ୍ଥାନରେ ପହଞ୍ଚିଛନ୍ତି । ବର୍ଷ ପ୍ରାରମ୍ଭରେ ଏହି ଯୋଡ଼ି ୪୨ତମ ସ୍ଥାନରେ ଥିବା ବେଳେ ଚଳିତ ସିଜନ୍ରେ ର୍ୟାଙ୍କିଙ୍ଗ୍ରେ ଉଲ୍ଲେଖନୀୟ ଉନ୍ନତି ହାସଲ କରିଛି । ଆହୁରି ଦୁଇ ଥରର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ ର୍ୟାଙ୍କିଙ୍ଗ୍ରେ ଷଷ୍ଠ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି । ସେହିପରି ପୁରୁଷ ଡବଲ୍ସ ବର୍ଗରେ ଭାରତର ଚିରାଗ୍ ଶେଟ୍ଟୀ-ସାତ୍ତ୍ୱିକସାଇରାଜ୍ ରାଙ୍କିରେଡ୍ଡୀ ଅଷ୍ଟମ ସ୍ଥାନରେ ପହଞ୍ଚିଯାଇଛନ୍ତି ।