ଦି ଓଭାଲ୍ : ଦିନକ ପରେ ଏଠାରେ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍ଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟ୍ର ଏହି ଦ୍ୱିତୀୟ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ସକାଶେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଏଠାରେ କଡ଼ା ଅଭ୍ୟାସ ଜାରି ରଖିଛନ୍ତି । ତେବେ ଟିମ୍ ଇଣ୍ଡିଆ ବୋଲିଂ ଲାଇନ୍ ବେଶ୍ ମଜଭୁତ ଏବଂ ଦଳର ଉଭୟ ପେସର୍ ଓ ସ୍ପିନର୍ମାନେ ନିଶ୍ଚିତ ଭାବେ ମ୍ୟାଚ୍ରେ ବ୍ୟାଟିଂ ଲାଇନ୍କୁ ଚାଲେଞ୍ଜ୍ ଦେବେ ବୋଲି ମତ ପ୍ରକାଶ କରିଛନ୍ତି ଅଷ୍ଟ୍ରେଲିଆ ଦଳର ତାରକା ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ ।
ଯଦିଓ ପୂର୍ବରୁ ଅଷ୍ଟ୍ରେଲିଆ ଦଳର ବ୍ୟାଟ୍ସମ୍ୟାନ୍ମାନେ ମୁଖ୍ୟତଃ ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ରବୀନ୍ଦ୍ର ଜାଡେଜାଙ୍କ ମୁକାବିଲା ପାଇଁ ସ୍ୱତନ୍ତ୍ର ଅଭ୍ୟାସ କରିଆସିଛନ୍ତି, କିନ୍ତୁ ଏଥର ସେମାନଙ୍କ ପାଇଁ ମହମ୍ମଦ ଶମି ଓ ମହମ୍ମଦ ସିରାଜ୍ ମଧ୍ୟ ମୁଣ୍ଡବ୍ୟଥାର କାରଣ ହେବେ ବୋଲି ସ୍ମିଥ୍ ସ୍ୱୀକାର କରିଛନ୍ତି । ସୋମବାର ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସ୍ମିଥ୍ କହିଛନ୍ତି ଯେ ଟିମ୍ ଇଣ୍ଡିଆ ପାଖରେ ପେସ୍ ଓ ସ୍ପିନ୍ର ଉପଯୁକ୍ତ ସମ୍ମିଶ୍ରଣ ଉପଲବ୍ଧ ରହିଛି ।
ବିଶେଷକରି ଶମି ଓ ସିରାଜ୍ ଦଳର ମୁଖ୍ୟ ପେସର୍ ହୋଇଥିବା ବେଳେ ସେମାନଙ୍କ ପାଖରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍ଙ୍କୁ ସମସ୍ୟାରେ ପକାଇବା ସକାଶେ ଯଥେଷ୍ଟ ଦକ୍ଷତା ରହିଛି । ତା’ଛଡ଼ା ଡ୍ୟୁକ୍ ବଲ୍ ମଧ୍ୟ ସେମାନଙ୍କୁ ବେଶ୍ ସୁହାଇବ । ଅଧିକନ୍ତୁ ଇଂଲିଶ୍ କଣ୍ଡିସନ୍ରେ ଭାରତୀୟ ସ୍ପିନର୍ମାନେ ବିଗତ ଦିନରେ ପ୍ରଭାବଶାଳୀ ପ୍ରଦର୍ଶନ କରିଆସିଛନ୍ତି । ତେଣୁ ଏହି ବୋଲିଂ ଲାଇନ୍ ବିପକ୍ଷରେ ସଫଳତା ପାଇବାକୁ ହେଲେ ଆମକୁ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ସ୍ମିଥ୍ କହିଛନ୍ତି ।
ବିଗତ ଦିନରେ ଦିନିକିଆ ଓ ଟି-୨୦ ବିଶ୍ୱକପ୍ ଫାଇନାଲ୍ରେ ଖେଳିବାର ଅଭିଜ୍ଞତା ରଖିଥିବା ସ୍ମିଥ୍ ଡବ୍ଲ୍ୟୁଟିସି ଫାଇନାଲ୍କୁ ଭିନ୍ନ ଭାବେ ଦେଖନ୍ତି । ଅବଶ୍ୟ ଏହା ଉପରେ ସେ ବିଶେଷ ଭାବେ ଚିନ୍ତା କରିନାହାନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ତାଙ୍କ ଦଳ ଟେଷ୍ଟ୍ କ୍ରିକେଟ୍ରେ ବେଶ୍ ଭଲ ଖେଳିଛି । ତା’ଛଡ଼ା ଡବ୍ଲ୍ୟୁଟିସି ଫାଇନାଲ୍ ଖେଳିବା ନିଶ୍ଚିତ ଭାବେ ସ୍ୱତନ୍ତ୍ର ଅନୁଭୂତି ଦେବ ବୋଲି ସ୍ମିଥ୍ ଆଶା କରିଛନ୍ତି ।
ସେହିପରି ଫାଇନାଲ୍ ସକାଶେ ଦଳର ଅଭ୍ୟାସ ସଂକ୍ରାନ୍ତରେ ମତ ଦେବାକୁ ଯାଇ ସ୍ମିଥ୍ କହିଛନ୍ତି ଯେ ଗତ କିଛି ଦିନ ହେଲା ବେକେନ୍ହାମ୍ଠାରେ ଏକାଧିକ ଟ୍ରେନିଂ ସେସନ୍ ବେଶ୍ ସଫଳ ରହିଛି । ତା’ଛଡ଼ା ଏଠାରେ ସୋମବାର ମଧ୍ୟ ଟ୍ରେନିଂ ସେସନ୍ ବେଶ୍ ଲମ୍ବା ରହିଥିଲା । ମଙ୍ଗଳବାର ବି କଡ଼ା ଅଭ୍ୟାସ ଜାରି ରହିବ ବୋଲି ସ୍ମିଥ୍ କହିଛନ୍ତି । ଗତ ୧୮୮୦ରୁ ଟେଷ୍ଟ୍ ମ୍ୟାଚ୍ ଆୟୋଜନ କରିଆସୁଥିଲେ ମଧ୍ୟ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏଠାରେ ଜୁନ୍ରେ ଟେଷ୍ଟ୍ ଖେଳାଯିବ ।
ଏଥିସକାଶେ ଏକ ଘାସୁଆ ପିଚ୍ ପ୍ରସ୍ତୁତ କରାଯାଇଛି । ସୋମବାର ସୁଦ୍ଧା ପିଚ୍ରେ ଯଥେଷ୍ଟ ଘାସ ଥିବା ଦେଖାଯାଇଥିଲେ ହେଁ ମ୍ୟାଚ୍ ପୂର୍ବରୁ ଘାସର ପରିମାଣକୁ ହ୍ରାସ କରାଯିବ ବୋଲି ସୂଚନା ମିଳିଛି । ଏ ସଂକ୍ରାନ୍ତରେ ସ୍ମିଥ୍ କହିଛନ୍ତି ଯେ ଅଦ୍ୟାବଧି ସେ ପିଚ୍ ଅନୁଧ୍ୟାନ କରିନାହାନ୍ତି । ତେଣୁ ସେ ବିଷୟରେ ବିଶେଷ କିଛି କହିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ । କିନ୍ତୁ ଗ୍ରୀଷ୍ମ କାଳରେ ଏଠାକାର ପିଚ୍ ମୁଖ୍ୟତଃ ଶୁଷ୍କ ଥାଏ ।
ତେଣୁ ଦିନ ଗଡ଼ିବା ସହ ସ୍ପିନର୍ମାନଙ୍କୁ ପିଚ୍ ସୁହାଇବ ବୋଲି ସ୍ମିଥ୍ କହିଛନ୍ତି । ତାରକା ପେସର୍ ଜୋଶ୍ ହେଜଲଉଡ୍ ଅନ୍ତିମ ସମୟରେ ମ୍ୟାଚ୍ରୁ ବାଦ୍ ପଡ଼ିଥିବାରୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହେବାକୁ ଥିବା ସ୍କଟ୍ ବୋଲାଣ୍ଡ୍ ନିଶ୍ଚିତ ଭାବେ ଦଳ ପାଇଁ ଫାଇଦାଦାୟକ ସାବ୍ୟସ୍ତ ହେବେ ବୋଲି ସ୍ମିଥ୍ ଆଶା କରିଛନ୍ତି । ଦିନକୁ ଦିନ ଲିଗ୍ କ୍ରିକେଟ୍ର ଚାହିଦା ବଢ଼ୁଥିବାରୁ ଟେଷ୍ଟ୍ କ୍ରିକେଟ୍ର ଉଜ୍ଜ୍ୱ୍ଳ ଭବିଷ୍ୟତ ନେଇ ସ୍ମିଥ୍ ଚିନ୍ତା ପ୍ରକଟ କରିଛନ୍ତି ।
ଛୋଟ ଛୋଟ ଦେଶଗୁଡ଼ିକ ଯଥେଷ୍ଟ କମ୍ ଟେଷ୍ଟ୍ ଖେଳୁଥିବା ବେଳେ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରି ଦେଶ କେବଳ ଟେଷ୍ଟ୍ କ୍ରିକେଟ୍ର ଅସ୍ତିତ୍ୱକୁ ବଜାୟ ରଖିଛନ୍ତି । ତେଣୁ ଟେଷ୍ଟ୍ କ୍ରିକେଟ୍ର ଭବିଷ୍ୟତ ନେଇ ସେ ସାମାନ୍ୟ ଚିନ୍ତିତ । କିନ୍ତୁ ଆଗାମୀ ଦିନରେ ଏହାର ପୂର୍ବ ଚାହିଦା ଫେରିବ ବୋଲି ମଧ୍ୟ ସ୍ମିଥ୍ ଆଶା ପ୍ରକାଶ କରିଛନ୍ତି ।