17.1 C
Bhubaneswar
Saturday, December 28, 2024
Homeଦେଶ ବିଦେଶଡବ୍‌ଲ୍ୟୁପିଏଲ୍‌: ଗୁଜରାଟ ଜାଏଣ୍ଟ୍‌ସର ଲଗାତାର ୩ୟ ପରାଜୟ

ଡବ୍‌ଲ୍ୟୁପିଏଲ୍‌: ଗୁଜରାଟ ଜାଏଣ୍ଟ୍‌ସର ଲଗାତାର ୩ୟ ପରାଜୟ

ବେଙ୍ଗାଲୁରୁ : ଚଳିତ ମହିଳା ପ୍ରିମିୟର୍ ଲିଗ୍ (ଡବ୍‌ଲ୍ୟୁପିଏଲ୍‌-୨)ରେ ଗୁଜରାଟ ଜାଏଣ୍ଟ୍‌ସ ଲଗାତାର ତୃତୀୟ ପରାଜର ସମ୍ମୁଖୀନ ହୋଇଛି । ଶୁକ୍ରବାର ୟୁପି ୱାରିୟର୍ସ ୬ ୱିକେଟ୍‌ରେ ହରାଇଛି । ଲିଗ୍‌ର ଗୁଜରାଟ ଏବେ ସୁଦ୍ଧା ଗୋଟିଏ ବି ମ୍ୟାଚ୍ ଜିତିନାହିଁ । ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗୁଜରାଟ ଜାଏଣ୍ଟ୍‌ସ ୨୦ ଓଭର୍‌ରେ ୫ ୱିକେଟ୍‌ରେ ହରାଇ ୧୪୨ ରନ୍ କରିଥିଲା । ଜବାବରେ ୟୁପି ୱାରିୟର୍ସ ୧୫.୪ ଓଭର୍‌ରେ ୪ ୱିକେଟ୍ ବିନିମୟରେ ଲକ୍ଷ୍ୟ ହାସଲ କରିନେଇଛି । ୟୁପି ପକ୍ଷରୁ ୩୩ ବଲ୍‌ରେ ୬୦ ରନ୍‌ର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିବା ଗ୍ରେସ୍ ହାରିସ୍‌ଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍‌ରେ ପୁରସ୍କୃତ କରାଯାଇଛି । ଗୁଜରାଟ ପକ୍ଷରୁ ଲୌରା ଓଲ୍‌ଭାର୍ଟ ଓ ବେଥ୍ ମୁନି ଇନିଂସ୍ ଓପନ୍ କରି ୪୦ ରନ୍ ଯୋଡ଼ିଥିଲେ । ୧୬ ରନ୍ କରିଥିବା ବେଳେ ମୁନି ୬ଷ୍ଠ ଓଭର୍‌ରେ ସୋଫି ଏକ୍ଲେଷ୍ଟନ୍‌ଙ୍କ ଶିକାର ହୋଇଥିଲେ । ୧୦ମ ଓଭର୍‌ରେ ଓଲ୍‌ଭାର୍ଟ (୨୮)ଙ୍କୁ ଆଉଟ୍ କରି ଦ୍ୱିତୀୟ ସଫଳତା ପାଇଥିଲେ । ଏହାପରେ ହରଲିନ୍ ଦେଓଲ୍ (୧୮)ଙ୍କୁ ରାଜେଶ୍ୱରୀ ଗାଏକ୍‌ୱାଡ୍ ପ୍ୟାଭିଲିୟନ୍ ଫେରାଇଥିଲେ । ଏହାପରେ ଆସ୍‌ଲେ ଗାର୍ଡନର୍ ଓ ଫୋଏବ୍ ଲିଚ୍‌ଫିଲ୍ଡ ୫୨ ରନ୍‌ର ଅର୍ଦ୍ଧଶକୀୟ ଭାଗୀଦାରୀ କରି ଟିମ୍‌କୁ ୧୪୩ ରନ୍‌ର ଲକ୍ଷ୍ୟ ଦେଇଥିଲେ । ଗାର୍ଡନର୍ ୩୦ ରନ୍ କରି ସୋଫିଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଶେଷ ଓଭର୍‌ରେ ଲିଚ୍‌ଫିଲ୍ଡ (୩୫) ରନ୍ ଆଉଟ୍ ହୋଇଥିଲେ । ଦୟାଲନ୍ ହେମଲତା ୨ ଓ କାଥରିନ୍ ବ୍ରାଇସ୍ ୫ ରନ୍‌ରେ ଅପରାଜିତ ରହିଥିଲେ । ଜବାବରେ ୟୁପି ପକ୍ଷରୁ କ୍ୟାପ୍‌ଟେନ୍ ଏଲିସା ହିଲି ଓ କିରଣ ନଭଗିରେ ଇନିଂସ୍ ଓପନ୍ କରିଥିଲେ । ହିଲି ୩୩ ରନ୍ ଏବଂ ନଭଗିରେ ୧୨ ରନ୍ କରି ଆଉଟ୍ ହୋଇଥିଲେ । ତୃତୀୟରେ ବ୍ୟାଟିଂ ପାଇଁ ଆସିଥିବା ଚମାରୀ ଅଟାପାଟ୍ଟୁ ୧୭ ରନ୍ କରିଥିବା ବେଳେ ଶ୍ୱେତା ସେହରାୱତ୍ ୨ ରନ୍ କରି ଆଉଟ୍ ହୋଇଥିଲେ । ଶେଷରେ ଗ୍ରେସ୍ ହାରିସ୍ ଓ ଦୀପ୍ତି ଶର୍ମା ୫୩ ରନ୍‌ର ଅପରାଜିତ ଭାଗୀଦାରୀ କରି ମ୍ୟାଚ୍ ଫିନିଶ୍ କରିଥିଲେ । ହାରିସ୍ ୩୩ ବଲ୍‌ରୁ ୯ ଚୌକା ଓ ୨ ଛକା ସହାୟତାରେ ୬୦ ଏବଂ ଦୀପ୍ତି ୧୪ ବଲ୍‌ରୁ ୩ ଚୌକା ବଳରେ ୧୭ ରନ୍ କରି ଅପରାଜିତ ରହିଥିଲେ । ଏହି ବିଜୟ ଫଳରେ ୟୁପି ୱାରିୟର୍ସ ପଏଣ୍ଟ୍ ଟେବଲ୍‌ର ତୃତୀୟକୁ ଉଠିଛି । ଟିମ୍‌ର ୪ ମ୍ୟାଚ୍‌ରୁ ଦୁଇ ବିଜୟ ସହିତ ୪ ପଏଣ୍ଟ୍ ହୋଇଛି । ଅନ୍ୟପକ୍ଷରେ ଗୁଜରାଟ ସମସ୍ତ ମ୍ୟାଚ୍ ହାରି ଟେବଲ୍ ନିମ୍ନରେ ରହିଛି । ଗୁଜରାଟ ବ୍ୟତୀତ ଅନ୍ୟ ସମସ୍ତ ଟିମ୍‌ଙ୍କ ପଏଣ୍ଟ୍ ୪ ଥିବାବେଳେ ଗୁଜରାଟ ଉନ୍ନତ ରନ୍ ରେଟ୍‌ରେ ମୁମ୍ବାଇକୁ ପଛରେ ପକାଇ ତୃତୀୟରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking