ଅଯୋଧ୍ୟା: ୨୦୨୩ ଡିସେମ୍ବରରେ ଅଯୋଧ୍ୟାସ୍ଥିତ ରାମମନ୍ଦିରରେ ପୂଜାର୍ଚ୍ଚନା କାର୍ଯ୍ୟ ଆରମ୍ଭ ହେବ ବୋଲି ରାମଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଆଜି ରାମମନ୍ଦିର ଶିଳାନ୍ନ୍ୟାସର ଏକ ବର୍ଷ ପୂର୍ତ୍ତି ଘଟିବ । ଇତିମଧ୍ୟରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଥିବାବେଳେ ୨୦୨୫ ସୁଦ୍ଧା ଏହା ସମ୍ପୂର୍ଣ୍ଣଭାବେ ଶେଷ ହେବ । ଏଥିପାଇଁ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ତେବେ ଟ୍ରଷ୍ଟ ପକ୍ଷରୁ ଇତିମଧ୍ୟରେ ପ୍ରାୟ ୩ ହଜାର କୋଟି ଟଙ୍କାର ଚାନ୍ଦା ମିଳିସାରିଛି । ୧୧୦ ଏକର ଜମି ଉପରେ ମୁଖ୍ୟ ମନ୍ଦିର ସମେତ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମର୍ାଣ ହେବାର ପ୍ରସ୍ତାବ ରହିଛି । ୨୦୨୩ ଡିସେମ୍ବର ସୁଦ୍ଧା ମନ୍ଦିରର ଗର୍ଭଗୃହ ସମେତ ତଳମହଲାର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ଏବଂ ଭକ୍ତମାନେ ଏଠାରେ ପୂଜାର୍ଚ୍ଚନା କରିପାରିବେ ବୋଲି ଟ୍ରଷ୍ଟର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି ।
ସେହି ସମୟରେ ରାମଲାଲାଙ୍କ ବିଗ୍ରହକୁ ଗର୍ଭଗୃହରେ ସ୍ଥାପନ କରାଯିବାର ଯୋଜନା ରହିଛି । ମନ୍ଦିରର ମୂଳଦୁଆ ୧୨ ମିଟର ଗଭୀର ହୋଇଥିବାବେଳେ ଦେଶର ବିଭିନ୍ନ ପ୍ରାନ୍ତରୁ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସ୍ୱତନ୍ତ୍ର ପଥର ଏଠାକୁ ଅଣାଯାଉଛି । ମନ୍ଦିର ନିର୍ମାଣରେ ୪ ଲକ୍ଷ ଘନଫୁଟ ପଥର ଓ ମାର୍ବଲ ବ୍ୟବହୃତ ହେବ । ଭୂପୃଷ୍ଠରୁ ମନ୍ଦିର ଚୂଡାର ଉଚ୍ଚତା ୧୬୧ ଫୁଟ ନିର୍ଦ୍ଧାରିତ ହୋଇଥିବାବେଳେ ମନ୍ଦିରର ଲମ୍ବ ୩୬୦ ଫୁଟ ଓ ପ୍ରସ୍ଥ ୨୩୫ ଫୁଟ ରହିବ । ମନ୍ଦିର ତିନି ମହଲା ବିଶିଷ୍ଟ ହୋଇଥିବାବେଳେ ପ୍ରତ୍ୟେକ ମହଲାର ଉଚ୍ଚତା ୨୦ ଫୁଟ ଧାର୍ଯ୍ୟ କରାଯାଇି । ରାମନବମୀ ଦିନ ଏକ ସ୍ପତନ୍ତ୍ର ଝରକା ଦେଇ ସୂର୍ଯ୍ୟକିରଣ ରାମଲାଲାଙ୍କ ବିଗ୍ରହ ଉପରେ ପଡିବାର ବ୍ୟବସ୍ଥା କରାଯାଉଛି । ପରିସରରେ ଅତିଥିଶାଳା, ସଂଗ୍ରହାଳୟ, ପାଠାଗାର, ଗୋଷ୍ଠୀ ଭୋଜନାଳୟ ମଧ୍ୟ ନିର୍ମିତ ହେବାର ଯୋଜନା ରହିଛି ।