ଫ୍ଲୋରିଡା : ଫ୍ଲୋରିଡାର କେପ୍ କେନ୍ଭରେଲ୍ରୁ ବୁଧବାର ଲଞ୍ଚ୍ କରାଯାଇଥିବା ବିଶ୍ୱର ପ୍ରଥମ ଥୀ-ଡି ପ୍ରିଣ୍ଟେ୍ ରକେଟ୍ ଟେରେନ୍-୧ ବିଫଳ ହୋଇଛି । ଏହା ଅର୍ବିଟ୍ରେ ପହଞ୍ଚିବା ପୂର୍ବରୁ ହିଁ ବିଫଳ ହୋଇଯାଇଛି । କାଲିଫର୍ଣ୍ଣିୟାର ରିଲେଟିଭିଟି କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ରକେଟ୍ରେ ୯ ଥ୍ରୀ-ଡି ଇଞ୍ଜିନ୍ ଥିଲା । ରକେଟ୍ରେ ଫୁଏଲ୍ ଭାବେ ତରଳ ମିଥେନ୍ ବ୍ୟବହାର କରାଯାଇଥିବା ବେଳେ ଏହି ଟେଷ୍ଟ୍ ଫ୍ଲାଇଟ୍ର ନାମ ‘ଗୁଡ୍ ଲକ୍ ହାଭ୍ ଫନ୍’ ରଖାଯାଇଥିଲା ।
ଲଞ୍ଚ୍ ହେବାପରେ ରକେଟ୍ ପ୍ରଥମ ପର୍ଯ୍ୟାୟରେ ସଫଳ ହୋଇଥିଲା । ରକେଟ୍ ମାକ୍ସ-କ୍ୟୁ ପର୍ଯ୍ୟାୟ ମଧ୍ୟ ଅତିକ୍ରମ କରିଥିଲା । ଏହି ପର୍ଯ୍ୟାୟରେ ରକେଟ୍ ଉପରେ ସର୍ବାଧିକ ଲୋଡ୍ ପଡ଼ିଥାଏ । ଏହା ସତ୍ତ୍ୱେ ପ୍ରାୟ ୪ ମିନିଟ୍ ପରେ ଦ୍ୱିତୀୟ ପର୍ଯ୍ୟାୟକୁ ଯିବା ପୂର୍ବରୁ ନିର୍ଦ୍ଦେଶକ କ୍ଲେ ୱାକର୍ ୱେବ୍କାଷ୍ଟରେ ଗଡ଼ବଡ଼ିର ସୂଚନା ଦେଇଥିଲେ । ଏହାପରେ ରକେଟ୍ ବିଫଳ ହୋଇଥିଲା । ତେବେ ଗଡ଼ବଡ଼ିକାର କାରଣ ଜଣାପଡ଼ି ନାହିଁ । ଟେରେନ୍-୧ ରକେଟ୍କୁ ତୃତୀୟ ପ୍ରୟାସରେ ଲଞ୍ଚ୍ କରାଯାଇଥିଲା ।
ଏହା ପୂର୍ବରୁ ମାର୍ଚ୍ଚ ୮ରେ ଲଞ୍ଚ୍ ହେବାର ଥିଲା । ମାତ୍ର ତାପମାତ୍ରାରେ ଅସୁବିଧା ହେବାରୁ ମାର୍ଚ୍ଚ ୧୧କୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ମାର୍ଚ୍ଚ ୧୧ରେ ଫୁଏଲ୍ ପ୍ରେସର୍ରେ ଅସୁବଧା କାରଣରୁ ଏହାକୁ ପୁଣିଥରେ ଘୁଞ୍ଚାଇ ଦିଆଯାଇଥିଲା । ଲଞ୍ଚ୍ ବେଳେ ଏଥିରେ କେହି କ୍ରୁ ମେମ୍ବର କିମ୍ବା ସାମଗ୍ରୀ ମହଜୁଦ ନଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ରକେଟ୍ ପୃଥିବୀର ଲୋୟର ଅର୍ବିଟ୍ରେ ୧.୨୫୦ କେଜି ଓଜନ ନେବାରେ ସକ୍ଷମ ହେବ ।