ନୂଆଦିଲ୍ଲୀ : ସ୍ଥାନୀୟ କେଡି ଯାଦବ ହଲ୍ରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନ୍ଶିପ୍ରେ ଭାରତୀୟ ପ୍ରତିଯୋଗୀଙ୍କ ଦବ୍ଦବା ଜାରି ରହିଛି । ବୁଧବାର ନିଖତ୍ ଜରିନ୍, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିଅନ୍ ନୀତୁ ଗାଙ୍ଘାସ୍ ଏବଂ ସ୍ୱିଟି ବୁରା ସେମିଫାଇନାଲ୍ରେ ପ୍ରବେଶ କରି ଦେଶ ପାଇଁ ପଦକ ପକ୍କା କରିଛନ୍ତି । ବୁଧବାର ଡିଫେଣ୍ଡିଂ ଚାମ୍ପିଅନ୍ ନିଖତ୍ ୫୦ କିଗ୍ରା ବର୍ଗର କ୍ୱାର୍ଟର୍ ଫାଇନାଲ୍ରେ ଥାଇଲାଣ୍ଡ୍ର ଛୁଥ୍ମେତ୍ ରକ୍ଷତଙ୍କୁ ୫-୨ ସ୍ପ୍ଲିଟ୍ ନିଷ୍ପତ୍ତିରେ ହରାଇ ଦେଇଛନ୍ତି ।
୨୬ ବର୍ଷୀୟା ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ବିଜୟିନୀ ନିଖତ୍ ମଙ୍ଗଳବାର ମେକ୍ସିକୋର ଫାତିମା ହେରେରା ଆଲ୍ଭାରେଜ୍ଙ୍କ ବିପକ୍ଷରେ ସର୍ବସମ୍ମତ୍ତ ନିଷ୍ପତ୍ତିରେ ବିଜୟୀ ହୋଇ କ୍ୱାର୍ଟର୍ରେ ପ୍ରବେଶ କରିଥିଲେ । ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିଅନ୍ ନୀତୁ ଗାଙ୍ଘାସ୍ ଏବଂ ସ୍ୱିଟି ବୁରା ଯଥାକ୍ରମେ ୪୮ କିଗ୍ରା ଓ ୮୧ କିଗ୍ରା ବର୍ଗର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି । ହରିଆନାର ୨୨ ବର୍ଷୀୟା ନୀତୁ କ୍ୱାର୍ଟର ଫାଇନାଲ୍ରେ ଆର୍ଏସ୍ସି ଆଧାରରେ ବୁଧବାର ଜାପାନର ମଡୋକା ବାଡ଼ାଙ୍କୁ ହରାଇଛନ୍ତି । ସେହିପରି ସ୍ୱିଟି ବୁରା ବୁଲ୍ଗେରିଆର ଭିକ୍ଟୋରିୟା କେବିକାଭାଙ୍କୁ ହରାଇ ସେମିରେ ପ୍ରବେଶ କରିଛନ୍ତି । ନୀତୁ ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ ଭାବେ ଖେଳି ପ୍ରତିପକ୍ଷଙ୍କୁ ଜୋର୍ଦାର ପଞ୍ଚ୍ କରିଥିଲେ । ଫଳରେ ରେଫରୀ ମ୍ୟାଚ୍ ରୋକି ନୀତୁଙ୍କ ପକ୍ଷରେ ନିଷ୍ପତ୍ତି ଶୁଣାଇଥିଲେ । ନୀତୁ ତିନୋଟି ଯାକ ମ୍ୟାଚ୍ରେ ଆର୍ଏସ୍ସି ନିଷ୍ପତ୍ତିରେ ହିଁ ବିଜୟୀ ହୋଇଛନ୍ତି ।