ଭୁବନେଶ୍ୱର : ଲୁପସ୍ ଏକ ସଂକ୍ରମକ ରୋଗ ନୁହେଁ । ଏହା ଏକ ଅଟୋ ଇମ୍ୟୁନ୍ (ସ୍ୱ-ପ୍ରତିରକ୍ଷୀ) ରୋଗ ।
ତେବେ ଏହାର ଚିକିତ୍ସା ସମ୍ଭବ । ତେଣୁ ରୋଗକୁ ଡରିବା ପରିବର୍ତେ ଉପଯୁକ୍ତ ଚିକିତ୍ସା କରାଗଲେ ମଣିଷ ସୁସ୍ଥ ହୋଇପାରିବ ।
ଏଭଳି ସଚେତନତାର ବାର୍ତା ନେଇ ବିଶ୍ୱ ଲୁପସ୍ ଦିବସ ଅବସରରେ ଇନ୍ଷ୍ଟିୁଚ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍
ହସ୍ପିଟାଲ୍ ପକ୍ଷରୁ ବୁଧବାର ଏକ ସଚେତନତା ରାଲି ଆୟୋଜିତ ହୋଇଯାଇଛି ।
ବୁଧବାର ସକାଳେ ରାଜଧାନୀର ମାଷ୍ଟରକ୍ୟାଂଟିନ୍ ଛକ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏହି ସଚେତନତା ରାଲିର ଆୟୋଜନ
କରାଯାଇଥିବା ବେଳେ ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ଓ
ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହି ସଚେତନତା ରାଲିର ଶୁଭାରମ୍ଭ
କରିଥିଲେ ।
ସମ୍ ହସ୍ପିଟାଲର ଏଭଳି ସଚେତନତା ପଦକ୍ଷେପକୁ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା
ପ୍ରଶଂସା କରିଥିଲେ । ଏହି ରୋଗକୁ ପରାସ୍ତ କରିବା ପାଇଁ ଉପଯୁକ୍ତ ଚିକିତ୍ସା ଓ ସଚେତନତାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଣ୍ଡା
ଓ ଶ୍ରୀ ଜେନା କହିଥିଲେ ।
ଏହି ଅବସରରେ ସମ୍ ହସ୍ପିଟାଲ କ୍ଲିନିକାଲ ଇମୁନୋଲୋଜି ଆଣ୍ଡ ର୍ୟୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପ୍ରଦୀପ୍ତ
ଶେଖର ପାତ୍ରୋ ଲୁପସ୍ ରୋଗ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିବା ବେଳେ ୧୫ ରୁ ୫୦ ବର୍ଷ ମଧ୍ୟରେ ଥିବା ବାଳିକା ଓ
ମହିଳାମାନଙ୍କ କ୍ଷେତ୍ରରେ ଏହି ରୋଗ ଦେଖାଯାଉଛି ବୋଲି କହିଥିଲେ । ରୋଗ ପ୍ରତିରୋଧକ ଶକ୍ତିରେ ସମସ୍ୟା ସୃଷ୍ଟି ହେଲେ
ଲୁପସ୍ ଭଳି ମାରାତ୍ମକ ବ୍ୟାଧି ଶରୀରରେ ଦେଖା ଦେଇଥାଏ । ଶରୀରରେ ବିଭିନ୍ନ ପ୍ରକାର ଦାଗ, ଜ୍ୱର, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ହୃଦ
ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଏଥି ନିମନ୍ତେ ଠିକ୍ ସମୟରେ ରୋଗର ଚିହ୍ନଟ, ଉପଯୁକ୍ତ ପରୀକ୍ଷା ଓ ଚିକିତ୍ସାର
ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଏହି ର୍ୟାଲିରେ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ସମ୍ ହସ୍ପିଟାଲର
ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତୀ ମିନତୀ ମିଶ୍ର ଓ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇ ଏହି ମାରାତ୍ମକ
ରୋଗ ବିଷୟରେ ସଚେତନତାର ବାର୍ତା ପ୍ରଦାନ କରିଥିଲେ ।