ଇଉଜେନ୍ : ଶନିବାରଠାରୁ ଏଠାରେ ଆରମ୍ଭ ହୋଇଥିବା ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ଶିପ୍ରେ ଭାରତର ଦୁଇ ଜଣ ପ୍ରତିଯୋଗୀ ସେମାନଙ୍କ ଇଭେଣ୍ଟ୍ର ଫାଇନାଲ୍ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି । ସେମାନେ ହେଲେ ପୁରୁଷ ଲଙ୍ଗ୍ ଜମ୍ପର୍ ମୁରଲୀ ଶ୍ରୀଶଙ୍କର ଓ ୩ ହଜାର ମିଟର ଷ୍ଟିପଲଚେଜ୍ ପ୍ରତିଯୋଗୀ ଅବିନାଶ ସାବଲେ । ଏହି ପ୍ରତିଯୋଗିତାରେ ଅନ୍ୟତମ ପଦକ ଦାବିଦାର ଥିବା ଶ୍ରୀଶଙ୍କର ତାଙ୍କ ଦ୍ୱିତୀୟ ପ୍ରୟାସରେ ୮ ମିଟର ଦୂରକୁ ଡେଇଁପାରିଥିଲେ । ଚଳିତ ସିଜନ୍ରେ ଏହା ତାଙ୍କର ସର୍ବଶ୍ରେଷ୍ଠ ସଫଳତା ହୋଇଥିବା ବେଳେ ଏହା ମାଦ୍ୟମରେ ସେ ଗ୍ରୁପ୍-ବି’ରେ କ୍ୱାଲିଫିକେସନ୍ ରାଉଣ୍ଡ୍ରେ ଦ୍ୱିତୀୟ ଓ ଓଭରାଲ୍ ସପ୍ତମ ସ୍ଥାନରେ ରହିଥିଲେ । ଏଥିସହ ଶ୍ରୀଶଙ୍କର ଫାଇନାଲ୍ରେ ପହଞ୍ଚିବାରେ ଦେଶର ପ୍ରଥମ ପୁରୁଷ ଲଙ୍ଗ୍ ଜମ୍ପର୍ ହୋଇପାରିଛନ୍ତି ।
ଏହା ପୂର୍ବରୁ ମହିଳା ଆଥଲେଟ୍ ଅଞ୍ଜୁ ବବି ଜର୍ଜ ୨୦୦୩ ପ୍ୟାରିସ୍ ସଂସ୍କରଣରେ ଫାଇନାଲ୍ରେ ପ୍ରବେଶ କରିପାରିଥିଲେ । ଉକ୍ତ ସଂସ୍କରଣରେ ଅଞ୍ଜୁ ଫାଇନାଲ୍ରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ୍ ପଦକ ମଧ୍ୟ ହାସଲ କରିଥିଲେ । ତେବେ ଶନିବାର ଦେଶର ଅନ୍ୟ ଦୁଇ ଜଣ ଲଙ୍ଗ୍ ଜମ୍ପର୍ ମହମ୍ମଦ ଅନୀସ୍ ୟାହିୟା ଓ ଜେସ୍ୱିନ୍ ଆଲଡ୍ରିନ୍ ଫାଇନାଲ୍ରେ ପହଞ୍ଚିବାରେ ବିଫଳ ହୋଇଛନ୍ତି । ଆଲଡ୍ରିନ୍ ଓ ୟାହିୟା ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ମଧ୍ୟ ଗ୍ରୁପ୍-ଏ’ କ୍ୱାଲିଫିକେସନ୍ ରାଉଣ୍ଡ୍ରେ ଯଥାକ୍ରମେ ନବମ ଓ ଏକାଦଶ ସ୍ଥାନରେ ରହିଥିଲେ । ଆଲଡ୍ରିନ୍ ୭.୭୯ ମିଟର ଓ ୟାହିୟା ୭.୭୩ ମିଟର ଦୂରକୁ ଡେଇଁପାରିଥିଲେ ।
କ୍ୱାଲିଫିକେସନ୍ ରାଉଣ୍ଡ୍ରେ କେବଳ ଜାପାନର ୟୁକି ହାଶିଓକା (୮.୧୮ ମିଟର) ଓ ଆମେରିକାର ମାର୍କିସ୍ ଡେଣ୍ଡି (୮.୧୬ ମିଟର) ୮.୧୫ ମିଟରଠାରୁ ଅଧିକ ଦୂରକୁ ଡେଇଁବାରେ ସକ୍ଷମ ହୋଇଥିଲେ । ଅନ୍ୟପକ୍ଷରେ ୨୭ ବର୍ଷୀୟ ସାବ୍ଲେ ହିଟ୍ ନଂ.୩ରେ ତୃତୀୟ ସ୍ଥାନରେ ରହିଥିଲେ । ସେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରିବା ସକାଶେ ୮ ମିନିଟ୍ ୧୮.୭୫ ସେକେଣ୍ଡ୍ ସମୟ ନେଇଥିଲେ । ଗତ ୨୦୧୯ ଦୋହା ସଂସ୍କରଣରେ ବି ଫାଇନାଲ୍ରେ ପହଞ୍ଚିଥବା ସାବ୍ଲେଙ୍କଠାରୁ ଇଥିଓପିଆର ହେଲ୍ମରିୟମ୍ ଆମାରେ (୮:୧୮.୩୪) ଓ ଆମେରିକାର ଇଭାନ୍ ଜାଗେର୍ (୮:୧୮.୪୪) ଦ୍ରୁତତମ ରହିଥିଲେ । ଶ୍ରୀଶଙ୍କର ରବିବାର ଓ ସାବ୍ଲେ ସୋମବାର ସେମାନଙ୍କ ଇଭେଣ୍ଟ୍ର ଫାଇନାଲ୍ରେ ଅବତୀର୍ଣ୍ଣ ହେବେ ।