ଖୁଣ୍ଟା: ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ୍ର ବିଭିନ୍ନ ସ୍ଥାନରେ ଆଜି ମଧ୍ୟାହ୍ନରେ ହଠାତ ଖୁବ୍ ଜୋର୍ରେ ବର୍ଷା ହୋଇଥିଲା । ଏଥିସହ ବଜ୍ରପାତ ହେବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ବିଭିନ୍ନ ସ୍ଥାନରେ ୪ ଜଣ ଗୁରୁତର ହୋଇଛନ୍ତି । ବଜ୍ରପାତ ସାଈକୁଳା ଓ ଆରପଟା ପଞ୍ଚାୟତରେ ହୋଇଥିଲା । ମୃତକ ଜଣକ ହେଉଛନ୍ତି ଆରପଟା ପଞ୍ଚାୟତ ଟିକାୟତପୁର ଗ୍ରାମର ଲିଟା ସିଂ (୫୦) । ସେ ବିଲରେ କାମ କରୁଥିବା ସମୟରେ ଏଭଳି ଅଘଟଣ ଘଟିଥିଲା । ସେହିପରି ତାଙ୍କ ଗ୍ରାମର ଦିଲ୍ଲୀପ ସିଂ (୩୦) ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଉଭୟକୁ କୁଆମର ପ୍ରାଥମିକସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଲିଟା ସିଂ କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସାଈକୁଳା ପଞ୍ଚାୟତ ଡିଗି ସାହିର ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ ବାପି ରଣା (୪୦) ଓ ମୁରଲୀ ଦେହୁରୀ (୧୩)ମଧ୍ୟ ଗୁରୁତର ଆହତ ହେବା ଯୋଗୁଁ ତାଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନା ଓ ତାପରେ ମୁରାଲିଙ୍କୁ ବାରିପଦା ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ସାଈକୁଳାର ଅନ୍ୟମାନଙ୍କ ମଧ୍ୟରେ ସବିତା ଦେହୁରୀ ଓ ପ୍ରସନ୍ନ ଦଣ୍ଡପାଟ (୩୦)ଆହତ ହୋଇଛନ୍ତି । ଏମାନଙ୍କୁ କୁଆମରା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ଗ୍ରାମର ଗୋଟିଏ ଗୋରୁ ଓ ଗୋଟିଏ ଛେଳି ଏହି ବଜ୍ରପାତରେ ମରିଥିବା ଜଣାପଡ଼ିଛି ।