ଢାକା : ଭାରତୀୟ ମହିଳା ଟିମ୍ ଏବଂ ବାଂଲାଦେଶ ମହିଳା ଟିମ୍ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଟାଇରେ ଶେଷ ହୋଇଛି । ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ରେ ଡ୍ର’ ରହିଛି । ସିରିଜ୍ର ପ୍ରଥମ ମ୍ୟାଚ୍ ବାଂଲାଦେଶ ଏବଂ ଦ୍ୱିତୀୟ ମ୍ୟାଚ୍ ଭାରତ ଜିତିଥିଲା । ଶନିବାର ଶନିବାର ଏଠାରେ ଖେଳାଯାଇଥିବା ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇ ୪ ୱିକେଟ୍ ବିନିମୟରେ ୨୨୫ ରନ୍ କରିଥିଲା । ଜବାବରେ ଭାରତ ୪୯.୩ ଓଭର୍ରେ ୨୨୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଭାରତକୁ ଶେଷ ୧୯ ବଲ୍ରେ ୧୦ ରନ୍ର ଆବଶ୍ୟକତା ଥିବାବେଳେ ଏହା କରିବାରେ ଟିମ୍ ବିଫଳ ହୋଇଥିଲା ଏବଂ ଏହା ମଧ୍ୟରେ ଅନ୍ତିମ ୪ଟି ୱିକେଟ୍ ମଧ୍ୟ ହରାଇଥିଲା ।
ବାଂଲାଦେଶ ଓପ୍ନର୍ ଫରଗାନା ହକ୍ ୧୬୦ ବଲ୍ରେ ୧୦୭ ରନ୍ କରିଥିଲେ । ଫରଗାନାଙ୍କ ଏହି ଶତକୀୟ ଇନିଂସ୍ରେ ୭ଟି ଚୌକା ସାମିଲ ଥିଲା । ତାଙ୍କୁ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ କରାଯାଇଛି । ଶମିମା ସୁଲ୍ତାନା ୭୮ ବଲ୍ରେ ୫ ଚୌକା ସହାୟତାରେ ୫୨ ରନ୍ କରିଥିବା ବେଳେ କ୍ୟାପ୍ଟେନ୍ ନିଗାର ସୁଲ୍ତାନା ୩୬ ବଲ୍ରେ ୨୪ ରନ୍ର ଇନିଂସ୍ ଖେଳିଥିଲେ । ଶୋଭନା ଅପରାଜିତ ୨୩ ରନ୍ କରିଥିଲେ । ଭାରତ ପକ୍ଷରୁ ସ୍ନେହ ରାଣା ଦୁଇଟି ୱିକେଟ୍ ନେଇଥିବା ବେଳେ ଦେବିକା ବୈଦ୍ୟଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ।
୨୨୬ ରନ୍ର ପିଛା କରୁଥିବା ଟିମ୍ ଇଣ୍ଡିଆ ପକ୍ଷରୁ ହରଲିନ୍ ଦେଓଲ୍ ସର୍ବାଧିକ ୭୭ ରନ୍ କରିଥିଲେ । ୧୦୮ ବଲ୍ର ଇନିଂସ୍ରେ ତାଙ୍କର ୯ଟି ଚୌକା ସାମିଲ୍ ଥିଲା । ତାଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ଘୋଷିତ କରାଯାଇଛି । ଏହା ବ୍ୟତୀତ ଓପ୍ନର୍ ସ୍ମୃତି ମନ୍ଧାନା ୮୫ ବଲ୍ରେ ୫ ଚୌକା ସହାୟତାରେ ୫୯ ରନ୍ କରିଥିଲେ । କ୍ୟାପ୍ଟେନ୍ ହରମନପ୍ରୀତ୍ କୌର୍ ୧୪, ଜେମିମା ରଡ୍ରିଗ୍ସ ୩୩, ଅମନଜୋତ କୌର ୧୦, ଶେଫାଳୀ ବର୍ମା ୪, ଦୀପ୍ତି ଶର୍ମା ୧ ରନ୍ କରିଥିବା ବେଳେ ସ୍ନେହ ରାଣା ଓ ଦେବିକା ବୈଦ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇପାରି ନଥିଲେ । ବାଂଲାଦେଶ ପକ୍ଷରୁ ନାହିଦା ଅଖ୍ତର ସର୍ବାଧିକ ୩ଟି ଏବଂ ମାରୁଫା ଅଖ୍ତର ୨ଟି ୱିକେଟ୍ ଅକ୍ତିଆର କରିଥିଲେ । ସୁଲ୍ତାନା ଖାତୁନ୍, ରାବେୟା ଖାନ୍ ଓ ଫାହିମା ଖାତୁନ୍ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।