19.1 C
Bhubaneswar
Saturday, January 18, 2025
Homeଦେଶ ବିଦେଶଶୋଭନୀୟ ବିଶ୍ୱ ମହିଳା ୱେବ ସମ୍ମିଳନୀ ଉଦଯାପିତ ବିଶ୍ୱବ୍ୟାପି କୋଭିଡ ମୁକାବିଲା ନେଇ ମହିଳାଙ୍କର ଭୂମିକା...

ଶୋଭନୀୟ ବିଶ୍ୱ ମହିଳା ୱେବ ସମ୍ମିଳନୀ ଉଦଯାପିତ ବିଶ୍ୱବ୍ୟାପି କୋଭିଡ ମୁକାବିଲା ନେଇ ମହିଳାଙ୍କର ଭୂମିକା ମହତ୍ଵପୁର୍ଣ

କଟକ/ ଭୁବନେଶ୍ୱର/ ଟରୋଣ୍ଟୋ /ନଉଜିଲ୍ୟାଣ୍ଡ/ ନିୟୁଜର୍ସି / ଦୋହା / ସିଡନୀ / ସେଲାଙ୍ଗର / ଫ୍ରାଙ୍କଫର୍ଟ / ୱେଲିଂଟନ/ ରାଇପୁର / ନୂଆଦିଲ୍ଲୀ ତା.୧୬.୧୨.: ସାରା ବିଶ୍ୱରେ ମହାମାରୀ କରୋନା ର କଡ଼ା ମୁକାବିଲା କରିବାନେଇ ମହିଳାମାନେ ଗ୍ରହଣ କରୁଥିବା ମହତ୍ୱପୂର୍ଣ୍ଣ ଭୂମିକାକୁ ସବୁ ସ୍ତରରେ ଭୁରୀ ଭୁରୀ ପ୍ରଶଂସା କରାଯାଇଛି | ଆନ୍ତର୍ଜାତୀକ ଶୋଭନୀୟତା ନିରୋଧ ଆନ୍ଦୋଳନ ତରଫରୁ ଆୟୋଜିତ ଅଶୋଭନୀୟ ବିଶ୍ୱ ମହିଳା ୱେବ ସମ୍ମିଳନୀରେ ପୃଥିବୀ ର ବିଭିନ୍ନ ଦେଶରୁ ଅଂଶଗ୍ରହଣ କରିଥିବା ନାରୀନେତ୍ରୀ ମାନେ ସାଂପ୍ରତିକ ଯୁଗରେ ସୁସ୍ଥ, ଶାଳୀନ ଓ ଶୋଭନୀୟ ସମାଜ ଗଠନ କ୍ଷେତ୍ରରେ ମହିଳା ମାନଙ୍କର ନିର୍ଣ୍ଣାୟକ ଯୋଗଦାନ ଅବଶ୍ୟଭାମ୍ବି ଓ ଅନସ୍ବୀକାର୍ଯ୍ୟ ବୋଲି ମତପ୍ରକାଶ କରିଥିଲେ | “ସାରା ବିଶ୍ୱରେ କୋଭିଡ – ୧୯ କୁ କାବୁ କରିବାନେଇ ମହିଳା ମାନଙ୍କର ପ୍ରଭାବଶାଲୀ ଭୂମିକା ଏବଂ “ଶିଶୁ କନ୍ୟାର ନିରାପତ୍ତା ଓ ସୁରକ୍ଷା ପାଇଁ ମାନବ ସମାଜକୁ ଜନାଦେଶ ” ଆଦି ଦୁଇଟି ବିଷୟବସ୍ତୁ କୁ ଆଧାର କରି ଅନୁଷ୍ଠିତ ୱେବିନାର କୁ ବିଶିଷ୍ଟ ସମାଜସେବୀ ଡ଼ଃ ଚିଦାତ୍ମିକା ଖଟୁଆ ପରିଚାଳନା କରିଥିଲେ |
ଆଲୋଚନାରେ ଅଂଶ ଗ୍ରହଣ କରି ନୂଆଦିଲ୍ଲୀ ସ୍ଥିତ ବାଳ ବିକାଶ ସମିତି ର ବରିଷ୍ଠ ସଦସ୍ୟା ଡଃ ସରିତା ସଡଙ୍ଗୀ, ଦିନେ ସମଗ୍ର ମାନବ ସମାଜକୁ ଦିଗଦର୍ଶନ ଦେଉଥିବା ଏବଂ ଦେବୀ ରୂପରେ ମଣ୍ଡପରେ ପୂଜା ପାଉଥିବା ନାରୀ, ଆଜି ରାଜରାସ୍ତାରେ ଅତ୍ୟାଚାରିତା, ଶୋଷିତ, ଲାଞ୍ଛିତ ହେବା ସହିତ ନିଜେ ପଥ ଓ ଦିଗ୍ଭ୍ରଷ୍ଟ ହୋଇଥିବା ନେଇ କ୍ଷୋଭପ୍ରକାଶ କରିଥିଲେ | ସୁପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ଛତିଶଗଡ଼ ଜନଜାତି ସାଂସ୍କୃତିକ ବିଭାଗ ର ଉପସଚିବ ପୂର୍ଣ୍ଣଶ୍ରୀ ରାଉତ ଜନଜାତି ଅନ୍ଧ, ମୂକ, ବଧିର ପିଲାମାନଙ୍କୁ ଏହି କୋଭିଡ ସମୟ ରେ ନୃତ୍ୟ, ସଂଗୀତ ଓ ବୈଷୟିକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ଯୋଗ୍ୟ ଏବଂ ସ୍ୱୟଂସମ୍ପନ୍ନ ବନାଯିବାର ଅବଶ୍ୟକତା ଉପରେ ଜୋର ଦେଇଥିଲେ |

ଚାଟାର୍ଡ ଆକାଉଂଟଣ୍ଟ ଶୀତଳ ବୈଦ୍ୟ ଦେଶପାଣ୍ଡେ ଉପନିଷଦର ପଂକ୍ତିକୁ ଉଦ୍ଧାରକରି, ବସୁଧୈବ କୁଟୁମ୍ବକଂ ଆଧାରିତ ଭାରତୀୟ ସଂସ୍କୃତି ସମଗ୍ର ବିଶ୍ୱର ନର ଓ ନାରୀଙ୍କୁ ଏକ ପରିବାର ମଧ୍ୟରେ ଆବଦ୍ଧ କରି ଉଭୟଙ୍କୁ ସମାନ ମାନ୍ୟତା ପ୍ରଦାନ କରୁଛି ବୋଲି ମତ ପ୍ରକାଶ କରିଥିଲେ | ନିଉଜିଲାଣ୍ଡରୁ ସୁରଭି ପଟ୍ଟନାୟକ ବର୍ତ୍ତମାନ ସମୟରେ ନାରୀର ସଂଜ୍ଞାରେ ବ୍ୟାପକ ମାତ୍ରାରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି, ବୋଲି ଦର୍ଶାଇ ଶିକ୍ଷାର ପରିସରକୁ କେବଳ ନାରୀ ଓ ନରଙ୍କ ଭେଦଭାବ ଭିତରେ ସୀମିତ ନରଖିବାକୁ ପରାମର୍ଶ ଦେଇଥିଲେ | ଅନଲାଇନ ସମାବେଶରେ ଉଦବୋଧନ ଦେଇ କାନାଡ଼ା ଓଡ଼ିଆ ସମାଜ ର ସଭାପତି ଡଃ ସୁନନ୍ଦା ମିଶ୍ର ପଣ୍ଡା ନାରୀ, ବ୍ୟକ୍ତି, ଗୋଷ୍ଟି, ଏବଂ ବିଶ୍ୱ ଆଦି ତିନୋଟି ସ୍ତରରେ ସାଂପ୍ରତିକ କୋଭିଡ ମହାମାରୀ ଦ୍ୱାରା ବ୍ୟାପକ ଭାବେ ଆକ୍ରାନ୍ତ ସମାଜର ଅନବରତ ସେବା କରିଚାଲିଛି ବୋଲି ଦର୍ଶାଇଥିଲେ | ସମାଜର ମେରୁଦଣ୍ଡ କୁହାଯାଉଥିବା ମହିଳା ମାନଂକର ଯୁଗଯୁଗ ଧରି ଏକ ସ୍ୱତନ୍ତ୍ର ସ୍ଥାନ ରହିଆସିଛି ଏବଂ ଏବେବି ରହିଛି ତଥା ଭବିଷ୍ୟତରେ ମଧ୍ୟ ରହିଥିବ ବୋଲି ଡ଼ଃ ମିଶ୍ରପଣ୍ଡା ଉଲ୍ଲେଖ କରିଥିଲେ | ଜର୍ମାନୀରୁ ମାଳତୀ ଟି କୃଷ୍ଣସ୍ୱାମୀ ନିଜ ପରିବାରର ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ଏବଂ ଏହାକୁ ଆଗେଇନେବା ଦିଗରେ ନାରୀମାନଙ୍କର ଭୂମିକା ଅତି ମହତ୍ୱପୂର୍ଣ୍ଣ ବୋଲି ସୁଚାଇଥିଲେ | ଆମେରିକାରୁ ଶୁଭଶ୍ରୀ ଦାଶ କରୋନା ମହାମାରୀ ଯୋଗୁଁ ନାରୀ ମାନେ ବହୁ ଭାବରେ ମାନସିକ ଦୁଶ୍ଚିନ୍ତା ର ଶିକାର ହୋଇଛନ୍ତି ବୋଲି ଦର୍ଶାଇ ନାରୀ ଜାତିର ସଶକ୍ତିକରଣ ତଥା କନ୍ୟାସନ୍ତାନର ଶିକ୍ଷା, ଦୀକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ |
ଏହି ଇଣ୍ଟରନେଟ ଅଧିବେଶନ ରେ ଉଦବୋଧନ ଦେଇ କତାରର ଭାରତୀୟ ମହିଳା ସଂଗଠନର ସଭାପତି ସୁସ୍ମିତା ପଟ୍ଟନାୟକ କୋଭିଡ ମହାମାରୀ କୁ କାବୁ କରିବାରେ ନାରୀ ମାନଙ୍କର ବଳିଷ୍ଠ ଯୋଗଦାନ କୁ ଭୁରୀ ଭୁରୀ ପ୍ରଶଂସା କରିଥିଲେ | ବିଖ୍ୟାତ ଚଷୁ ବିଶେଷଜ୍ଞ ଓ ସାହିତ୍ୟକ ଡ଼ଃ. ଅନିତା ପଣ୍ଡା ନାରୀ ର ବିକାଶ ହେଲେ ହିଁ ସମାଜ ଉନ୍ନତି ପଥେ ଅଗ୍ରସର କରିପାରିବ ବୋଲି ମତ ପ୍ରକାଶ କରିଥିଲେ | ମାଲେସିଆର ଗ୍ରୀନ ଔର୍ଲଡ ଫୋରମର ମହାସଚିବ ମାଗେଶ୍ୱରୀ ନାଦରାଜନ ସାରା ପୃଥିବୀରେ ମହିଳା ମାନେ ଏହି କୋଭିଡ କାଳରେ ନିଭାଉଥିବା ଗୁରୁତ୍ୱପୂର୍ଣ ଭୂମିକାକୁ ପ୍ରାଞ୍ଜଳ ଓ ଜୀବନ୍ତ ଭାବେ ଅବତାରଣା କରିଥିଲେ | ଅଷ୍ଟ୍ରେଲିଆରୁ ଡ଼ଃ ପ୍ରଭାତୀ ପାଣିଗ୍ରାହୀ କନ୍ୟା ସନ୍ତାନର ଶିକ୍ଷା ଓ ସମ୍ପନ୍ନତା ଦିଗରେ ସରକାରୀ ଓ ବେସରକାରୀ ସ୍ତରରେ ଅଗ୍ରାଧିକାର ଦିଆଯିବାକୁ ନିବେଦନ ଜଣାଇଥିଲେ |
ଏହି ଅବସରରେ ଭିଡିଓ କାନଫରେନସିଂ ଜରିଆରେ ଅନୁଷ୍ଠିତ “ମାନବିକତାର ସର୍ବବ୍ୟାପୀ ପ୍ରତିଫଳନ” ଶୀର୍ଷକ କବିତା ଆସର ରେ ଦେଶର ବହୁ ପ୍ରତିଷ୍ଠିତ କବୟିତ୍ରୀ ଭାଗ ନେଇଥିଲେ |ବିଶ୍ଵବ୍ୟାପୀ ମାନବିକତା ର ପ୍ରଦର୍ଶନ ଓ ପ୍ରତିଫଳନ ନେଇ ମହିଳା ମାନଙ୍କ ର ପ୍ରଭାବୀ ଭୂମିକା ତଥା ମହାମାରୀ କରୋନା କୁ ଆୟତ୍ତ୍ୱାଧୀନ ରଖିବା ନେଇ ମାତୃଶକ୍ତିର ବିଶେଷତ୍ୱକୁ ଆଧାର କରି କବି ମାନେ ସେମାନଙ୍କର କବିତା ମାଧ୍ୟମରେ ଅନନ୍ୟ ଓ ଅପୂର୍ବ ସୃଜନଶୀଳ ପ୍ରତିଭା ତଥା ପାରଦର୍ଶିତାର ପରିଚୟ ପ୍ରଦାନ କରିଥିଲେ | କବି ସମ୍ମିଳନୀ ରେ ଅଂଶଗ୍ରହଣ କରିଥିବା ବିଶିଷ୍ଟ ସାରସ୍ୱତ ସାଧିକା ମାନଙ୍କ ମଧ୍ୟରେ ଡ଼ଃ ଲକ୍ଷ୍ମୀ ଭଟ୍ଟ, ଲତା ବିନୋଦ ନୋବାଲ, ଡ଼ଃ ଅନିତା ସାବତ, ତପତି ପାଣିଗ୍ରାହୀ, ମାହିଯା ଦଳବେହେରା, ନେହା ଆଲ୍ଲାହାବାଦୀ, ଡ଼ଃ ସିଗମା ସତୀଶ, ଜୟଶ୍ରୀ ମହାପାତ୍ର ଓ ରୀତା ପାତ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ |

ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନିନ୍ଦିତା ଦାସଙ୍କ ଦ୍ୱାରା କୁମାର ଭାଇଙ୍କର ରଚିତ ଆବାହନୀ ସଂଗୀତ ‘ମାଲୋମା’ ର ଗାୟନ ବେଶ ମନମୁଗ୍ଧକର ଥିଲା | ଶୋଭନୀୟ ଆନ୍ଦୋଳନର ସଦସ୍ୟ ଡ଼ଃ ବନଲତା ଦେବୀ ଧନ୍ୟବାଦ ପ୍ରଦାନ କରି ଆଜିର ସମାଜ ହିଂସା , ଈର୍ଷା , କାତରତା ର କରାଳ ଛାୟାରୁ ଖୁବ ଶୀଘ୍ର ମୁକ୍ତ ହେବ ବୋଲି ଆଶା ପ୍ରକଟ କରିଥିଲେ |କବିତା ଆସରକୁ ଈପସା ପ୍ରତିବିମ୍ବିତା ଷଡ଼ଙ୍ଗୀ ଖୁବ ସୁନ୍ଦର, ସୁଚାରୁ ଓ ସାବଲୀଳ ଢଙ୍ଗରେ ସଂଚାଳନା କରିଥିଲେ | ସମଗ୍ର କାର୍ଯ୍ୟକ୍ରମ ଶୋଭନୀୟ ଆନ୍ଦୋଳନର ନିର୍ଦେଶକ ତଥା ସମ୍ମିଳନୀର ଅଧ୍ୟକ୍ଷା ଡ଼ଃ ଅରୁନ୍ଧତୀ ଦେବୀଙ୍କର ସକ୍ରୀୟ ତତ୍ୱାବଧାନ ରେ ସଂପନ୍ନ ହୋଇଥିଲା | ସଭା ଶେଷରେ ଡ଼ଃ ଦେବୀଙ୍କ ନେତୃତ୍ୱରେ ବୃନ୍ଦଗାନ ଜଗତକଲ୍ୟାଣ ପ୍ରାର୍ଥନା ପରିବେଷଣ କରାଯାଇଥିଲା | ଏହି ଆୟୋଜନରେ ଗୁରୁମା ମମତା ପ୍ରଧାନ ସହଯୋଗ କରିଥିଲେ | ନନ୍ଦନ ଦ୍ବିବେଦୀ ଡିଜିଟାଲ ମଞ୍ଚକୁ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking