ହାମିଲଟନ : ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ-୨୦୨୨ରେ ଭାରତ ଆଜି ଏକ ଦମଦାର ବିଜୟ ହାସଲ କରିଛି । ୱେଷ୍ଟଇଣ୍ଡିଜକୁ ୧୫୫ ରନରେ ପରାସ୍ତ କରି ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ଭାରତ ପକ୍ଷରୁ ଧାର୍ଯ୍ୟ ୩୧୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୱେଷ୍ଟଇଣ୍ଡିଜ ୪୦.୩ ଓଭରରେ ସମସ୍ତ ୱିକେଟ ହରାଇ ୧୬୨ ରନ କରିବାକୁ ସକ୍ଷମ ହୋଇଥିଲା । ଏହି ବିଜୟ ସହ ଭାରତ ୩ଟି ମ୍ୟାଚ ଖେଳି ୨ଟି ବିଜୟ ସହିତ ୪ ପଏଣ୍ଟ ହାସଲ କରିଛି । ତେବେ ଉଚ୍ଚ ରନ୍ ହାର ଯୋଗୁଁ ଭାରତ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ଭାରତ ପକ୍ଷରୁ ସ୍ନେହ ରଣା ୩ ୱିକେଟ ନେଇଥିବା ବେଳେ ମେଘନା ସିଂହ ୨ ୱିକେଟ ଅକ୍ତିଆର କରିଛନ୍ତି । ପୂର୍ବରୁ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ଓଭରରେ ୮ ୱିକେଟ୍ ହରାଇ ୩୧୭ ରନ୍ ହାସଲ କରିଥିଲା । ଭାରତର ଦୁଇ ବ୍ୟାଟର ସ୍ମୃତି ମାନ୍ଧାନା ଓ ହରମାନପ୍ରିତ କୌର ଶତକ ହାସଲ କରିଥିଲେ । ମାନ୍ଧାନା ୧୧୯ ବଲରେ ୧୩ଟି ଚୌକା ଓ ଦୁଇଟି ଛକା ସହ ୧୨୩ ରନ୍ ସଂଗ୍ରହ କରିଥିଲେ । ୧୦ଟି ଚୌକା ଓ ଦୁଇଟି ଛକା ସହ ହରମନପ୍ରୀତ ମଧ୍ୟ ୧୦୭ ବଲରେ ୧୦୯ ରନ୍ ସଂଗ୍ରହ କରିଥିଲେ । ଏହାକୁ ମହିଳା ବିଶ୍ୱକପରେ ଭାରତର ସର୍ବାଧିକ ସ୍କୋର ବୋଲି କୁହାଯାଉଛି । ୩୧୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୱେଷ୍ଟଇଣ୍ଡିଜ ମହିଳା ଦଳର ସମସ୍ତ ଖେଳାଳୀ ୧୬୨ ରନରେ ଅଲ ଆଉଟ ହୋଇଯାଇଥିଲେ । ଦଳ ପକ୍ଷରୁ ଡିଣ୍ଡ୍ରା ଡଟିନ ସର୍ବାଧିକ ୬୨ ରନ ସ୍କୋର କରିଥିବାବେଳେ ହେଲି ମାଥ୍ୟୁସ ୪୩ ରନ କରିଥିଲେ । ଦଳର ଅନ୍ୟ କୌଣସି କେଳାଳୀ ଅଧିକ ରନ କରିବାକୁ ସକ୍ଷମ ହୋଇ ନଥିଲେ । ତେବେ ସିମେନ କ୍ୟାମ୍ବେଲ୧୧ ଓ ଚେଡେନ ନେସନ ୧୯ ରନ କରିଥିଲେ । ଭାରତର ସ୍ମୃତି ମାନ୍ଧାନା ପ୍ଳେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ସୂଚନାଯୋଗ୍ୟ, ମିତାଲି ରାଜ୍ଙ୍କ ନେତୃତ୍ୱାଧିନ ଭାରତୀୟ ଦଳ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ବୃହତ ବିଜୟ ହାସଲ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ନିକଟରୁ ୬୨ରନରେ ପରାଜିତ ହୋଇଥିଲା । ତେବେ ଆଜି ମ୍ୟାଚରେ ଭାରତର ଶୀର୍ଷ ଭାଗ ବ୍ୟାଟର ମାନେ ଚମତ୍କାର ପ୍ରଦର୍ଶନ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।