ଫିରିଙ୍ଗିଆ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଧୀନରେ ଥିବା ବାଲିପଦର ଗାଁ ନିକଟସ୍ଥ ସିଙ୍ଗାବାଲି ପାହାଡ଼ ଉପରୁ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତ ଦେହକୁ ଗୋଛାପଡା ପୋଲିସ ଉଦ୍ଧାର କରିଛି । ତେବେ ମୃତ ମହିଳା ଜଣକ ସେହି ବାଲିପଦର ଗାଁ ର ସହଦେବ ଦିଗାଲଙ୍କ ସ୍ତ୍ରୀ ମୀରା ଦିଗାଲ ବୋଲି ଜଣାପଡିଛି । ଘଟଣାକୁ ନେଇ ମୃତ ମହିଳାଙ୍କ ବାପା ବଟକରା ଦିଗାଲ ତାଙ୍କ ଝିଅକୁ ତାଙ୍କ ଜ୍ୱାଇଁ ସହଦେବ ଦିଗାଲ ଯୌତୁକ ନିର୍ଯାତନା ଦେଇ ହତ୍ୟା କରିଥିବା ନେଇ ଗୋଛାପଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ସୂଚନା ଅନୁସାରେ ମୃତ ମହିଳା ଜଣକ ଆଠବର୍ଷ ତଳେ ବାଲିପଦର ଗାଁର ସ୍ୱର୍ଗତ ସାନି ଦିଗାଲଙ୍କ ସାନ ପୁଅ ସହଦେବ ଦିଗାଲଙ୍କୁ ବାହା ହୋଇଥିଲେ । ବର୍ତ୍ତମାନ ତାଙ୍କର ଏକ ପୁଅ ଥିବା ବେଳେ ଏକ ଝିଅ ମଧ୍ୟ୍ୟ ଅଛନ୍ତି । ବୁଧବାର ସନ୍ଧ୍ୟା ସମୟରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା ।
ମିରା ଦିଗାଲ ଘରେ କାହାକୁ କିଛି ନକହି କୁଆଡେ ଚାଲି ଯାଇଥିଲା । ଗୁରୁବାର ସକାଳୁ ବାଲିପଦର ଗାଁ ର କିଛି ଲୋକ ଗାଁ ପାଖରେ ଥିବା ସିଙ୍ଗାବାଲି ପାହାଡ଼କୁ କାଠ ଆଣିବା ପାଇଁ ଯାଇଥିବା ସମୟରେ ପାହାଡ଼ ଉପରେ ଥିବା ଏକ ଗଛରେ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖି ଗୋଛାପଡା ପୋଲିସକୁ ଖବର ଦେଇଥିଲେ । ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ସହ ଏକ ଟିମ ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେ ଓ ଅତିରିକ୍ତ ତହସିଲଦାର ଅଭିନାଶ ମିଶ୍ରଙ୍କ ଉପସ୍ଥିତିରେ ଶବ ଜବତ କରିବା ସହ ଶବର ପାଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟଚିକିତ୍ସାଲୟକୁ ପଠେଇ ଦେଇଛି । ମୃତ ମହିଳାଙ୍କ ପିତା ବଟକରା ଦିଗାଲ ଙ୍କ ଅଭିଯୋଗ କ୍ରମେ ଗୋଛାପଡା ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି ।