ଭୁବନେଶ୍ୱର: ଇନ୍ଫୋସିଟି ଥାନା ଅନ୍ତର୍ଗତ ଜଳିମୁଣ୍ଡାସାହି ନିକଟ ରାସ୍ତାକଡ଼ରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ଲକ୍ଷ୍ମୀ । ଖାଦ୍ୟ ନମିଳିବାରୁ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟଲୋକେ କହିଛନ୍ତି । ଗତ ୬ମାସ ଭିତରେ ସ୍ଥାନୀୟ ଅଞ୍ଚଳରେ ଭୋକର ଜ୍ୱାଳା ଯୋଗୁ ୪ଜଣଙ୍କ ମୃତ୍ୟ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଅତି ଗରିବ ଶ୍ରେଣୀର କିଛି ଆଦିବାସୀ ଲୋକ ମୟୁରଭଞ୍ଜ ସିମିଳିପାଳ ଆଡୁ ଆସି ଜଳମୁଣ୍ଡାସାହି ନିକଟରେ ରହି ସ୍ଥାନିଅ ଅଞ୍ଚଳରେ ଜରି ଗୋଟେଇ ନିଜ ପେଟ ପୋଶୁଛନ୍ତି । ଏଥିସହ ରାସ୍ତାରେ ଖରା,ବର୍ଷ. ଶୀତ- କାକରରେ ପଡି ପଡି ରାତି କଟାଉଛନ୍ତି । ଏମାନଙ୍କ ମଧ୍ୟରୁ ଲକ୍ଷ୍ମୀ ନାମକ ଜଣେ ମହିଳା ଗତ ୬ ମାସ ହେବ ଶିମିଳିପାଳ ଅଞ୍ଚଳରୁ ଆସି ଏଠାରେ ଫୁଟପାଥ୍ରେ ଶୋଇବା ସହ ସ୍ଥାନୀୟ ଅଞ୍ଚଳରେ ଭିକ ମାଗି ନିଜ ପେଟ ପୋଷୁଥିଲେ । ଗତ ୪ଦିନ ହେବ ଦେହ ଖରାପ ଯୋଗୁ ଲକ୍ଷ୍ମୀ ଭିକ୍ଷାବୃତି କରିବାକୁ ଯାଇପାରୁନଥିଲେ । ସେ ଗୋଟିଏ ସ୍ଥାନରେ ଉଲଗ୍ନ ହୋଇ ପଡିରହିଥିଲେ । ରବିବାର ମଧ୍ୟରାତ୍ରରେ କ୍ଷୁଦା ଜ୍ୱାଳାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏସମ୍ପର୍କରେ ସୋମବାର ସକାଳେ ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା ।