ବୈଶିଙ୍ଗା: ବୈଶିଙ୍ଗା ଥାନା ଗଡଦେଉଳିଆ ପଞ୍ଚାୟତ ବାଳିଆପିଟା ଗ୍ରାମରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି ମାଳତୀ ସିଂ (୩୧) । ପାଞ୍ଚ ବର୍ଷ ତଳେ ମାଳତୀଙ୍କ ସ୍ୱାମୀ ଦେବ ସିଂ ଅଜଣା ରୋଗରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଛୋଟ ଛୋଟ ୩ଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଏ ସଂକ୍ରାନ୍ତରେ ବୈଶିଙ୍ଗା ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି । ଅନ୍ୟଜଣେ ମହିଳା ଅର୍ଜୁନ ମୁର୍ମୁଙ୍କ ସ୍ତ୍ରୀ ଦୁଲି(୩୦) ଆହତ ହୋଇ ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଅସହାୟ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ସହିତ ପିଲାମାନଙ୍କର ପାଠପଢ଼ା ପାଇଁ ପ୍ରଶାସନ ଗୁରୁତ୍ୱ ଦେବାକୁ ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ର ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ କେମିତି ସାହାଯ୍ୟ ମିଳିପାରିବ ସେ ନେଇ ସେ ଚେଷ୍ଠା କରିବେ ବୋଲି କହିଛନ୍ତି ।