ରାଇରଙ୍ଗପୁର: ମୋବାଇଲ ଫୋନ ଆଗରେ ତୁଚ୍ଛ ହେଲା ଜୀବନ । ସାମାନ୍ୟ ଫୋନ୍ ପାଇଁ ସାତଜନ୍ମର ସମ୍ପର୍କ ଭୁଲିଗଲା ସ୍ୱାମୀ । ସ୍ତ୍ରୀ ଫୋନ ହଜାଇ ଦେବାରୁ ଠେଙ୍ଗାରେ ପିଟି ପିଟି ତାର ଜୀବନ ନେଇଗଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ତାରାଯୋଡ଼ି ଗ୍ରାମରେ । ମୃତ ମହିଳା ହେଉଛନ୍ତି ଗ୍ରାମର ରାମଚନ୍ଦ୍ର ସିଂଙ୍କ ସ୍ତ୍ରୀ ମୁଗୁଲି ସିଂ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତ ସ୍ୱାମୀକୁ ମଧ୍ୟ ଗିରଫ କରିଛି ।
ସୂଚନା ଅନୁଯାୟୀ, ରବିବାର ରାତିରେ ତାରାଯୋଡ଼ି ଗ୍ରାମର ରାମଚନ୍ଦ୍ର ସିଂ ଓ ସ୍ତ୍ରୀ ମୁଗୁଲି ସିଂଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସ୍ତ୍ରୀ ମୋବାଇଲ ଫୋନ ହଜାଇ ଦେଇଥିବାରୁ ସ୍ୱାମୀ ରାମଚନ୍ଦ୍ର ତାଙ୍କୁ ଖୁବ୍ ଗାଳିଗୁଲଜ କରିଥିଲା । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ରାଗ ଜର୍ଜରିତ ହୋଇ ରାମଚନ୍ଦ୍ର ସିଂ ପାଖରେ ଥିବା ଏକ ଠେଙ୍ଗାରେ ମୁଗୁଲିଙ୍କୁ ବାରମ୍ବାର ପିଟିଥିଲା । ଯେଉଁ କାରଣରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇ ଥିଲା । ସୋମବାର ସକାଳୁ ଘଟଣା ସମ୍ପର୍କରେ ପଡ଼ୋଶୀ ଜାଣିବା ପରେ କୁଳିଅଣା ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ପଠାଇଥିଲା ।
ପରେ ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯିବା ସହିତ ସ୍ୱାମୀ ରାମଚନ୍ଦ୍ର ସିଂଙ୍କୁ ଗିରଫ କରି ବାରିପଦା କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତ ରାମଚନ୍ଦ୍ର ବନ ବିଭାଗରେ ଜଣେ ଅସ୍ଥାୟୀ ବନ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲା । ଏହି ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହିପରି ଆଉ ଏକ ଘଟଣା ଦୁଇ ଦିନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ସିଲଟିଆ ଗ୍ରାମରୁ ଆସିଥିଲା । ଘରୋଇ କଳହକୁ କେନ୍ଦ୍ର କରି ନିଜ ସ୍ତ୍ରୀଙ୍କୁ କଟୁରୀରେ ହାଣିଥିଲା ସ୍ୱାମୀ । ଏହାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀକୁ ଛାଡ଼ି ଅନ୍ୟତ୍ର ଫେରାର ହୋଇଯାଇଥିଲା । ପଡୋଶୀ ଲୋକେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯଶିପୁର ମେଡିକାଲକୁ ଆଣିଥିଲେ । ସେଠାରୁ ତାଙ୍କୁ ଡାକ୍ତର କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏବେ ମହିଳା ଚିକିତ୍ସାଧୀନ ଅଛନ୍ତି । ଅଭିଯୁକ୍ତ ସ୍ୱାମୀ କୁଆଡ଼େ ଫେରାର୍ ହୋଇଯାଇଛି ।